ନାଉଗାଁ,(ଓ୍ବାଇଏନଏସ): ଜଗତସିଂହପୁର ଜିଲ୍ଲା ନାଉଗାଁ ବ୍ଳକ ଅନ୍ତର୍ଗତ ଡେରିକି ପଂଚାୟତର ଗଙ୍ଗଦାହାଟକୁ ନିଲାମ ଦେବା ପାଇଁ ଏକ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ଉକ୍ତ ବିଜ୍ଞପ୍ତିକୁ ଭିତିକରି ପଂଚାୟତ ପକ୍ଷରୁ ଜନସାଧାରଣଙ୍କ ଅବଗତି ନିମନ୍ତେ ନୋଟିସ ଖାତାରେ ଦସ୍ତଖତ କରାଯିବା ସହ ଡେଙ୍ଗୁରା ମଧ୍ୟ ବାଡା ଯାଇଥିଲା। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଉକ୍ତ ନୋଟିସ ଖାତାରେ କାର୍ଯ୍ୟକ୍ରମର କୌଣସି ବିଷୟ ଉଲ୍ଲେଖ କରାଯାଇନଥିଲା। କିଛି ବ୍ୟକ୍ତି ଏହି ଖାତାରେ ଦସ୍ତଖତ କରିଥିବା ବେଳେ ବଜାର କମିଟିର ସଭାପତି ନରେଶ ସେଠୀ ଏହାକୁ ବିରୋଧ କରିଥିଲେ। ଯାହାଫଳରେ ନୋଟିସ ବୁଲା ବନ୍ଦ ରଖାଯାଇଥିଲା। ସୂଚନାଯୋଗ୍ୟ ଯେ ଗ୍ରାମ ପଂଚାୟତ କାର୍ଯ୍ୟାଳୟ ଡେରିକି ବିଜ୍ଞାପନ (ସଂଖ୍ୟା-୯ ତା ୧୬ ଜୁଲାଇ ୨୦୨୫) ରେ ୨୦୨୫-୨୬ ଆର୍ଥିକ ବର୍ଷ ପାଇଁ ଉପଜିଲ୍ଲାପାଳଙ୍କ ଅନୁମୋଦନ କ୍ରମେ ନିଲାମ ପ୍ରଦାନ କରାଯିବ। ଏହି ନିଲାମ ପାଇଁ ଇଚ୍ଛୁକ ବ୍ୟକ୍ତି ସରକାରୀ ଧାର୍ଯ୍ୟ ମୂଲ୍ୟର ଶତକଡା ୧୦ଭାଗ ଅର୍ଥ ଅମାନତ ଆକାରରେ ଦାଖଲ କରି ନିଲାମରେ ଅଂଶ ଗ୍ରହଣ କରିବେ। ସର୍ବୋଚ୍ଚ ନିଲାମର ୭୫ ଭାଗ ଅର୍ଥ ନିଲାମ ସ୍ଥାନରେ ଦାଖଲ କରିବେ। ଅବଶିଷ୍ଟ ୨୫ ଭାଗ ନିଲାମ ଅଧିକାରୀଙ୍କ ନିର୍ଦ୍ଦେଶକ୍ରମେ ପଂଚାୟତରେ ଦାଖଲ କରାଯିବା ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଏହି ନଲାମ ଜୁଲାଇ ୨୫ ଦିବା ୧୧ ଟା ସମୟରେ କରାଯିବା ପାଇଁ ସ୍ଥିର କରାଯାଇଛି। ଉକ୍ତ ବିଜ୍ଞପ୍ତିକୁ ପରିପତ୍ର ସଂଖ୍ୟା ୧୦ ଓ ୧୧ ରେ ବିଡିଓ ନାଉଗାଁ ଓ ପଂଚାୟତ ସମିତି ସଭ୍ୟ ଡେରିକି ଓ ସମସ୍ତ ଓାର୍ଡ ସଭ୍ୟ/ସଭ୍ୟାଙ୍କ ଅବଗତି ନିମନ୍ତେ ପଠାଯାଇଛି। ଏହି ବିଜ୍ଞପ୍ତିରେ ଯେଉଁ ଦସ୍ତଖତ ରହିଛି ତାହା ଡି. କେ ଜେନା ରହିଥିବା ବେଳେ ପଂଚାୟତର ସରପଂଚଙ୍କ ନାମ ପ୍ରଶାନ୍ତ କୁମାର ଜେନା ବୋଲି ଜଣାଯାଇଛି। ଯାହାକି ନେଇ ସାଧାରଣରେ ସନ୍ଦେହ ପ୍ରକାଶ ପାଇଛି। ସେହିପରି ଜନସାଧାରଣଙ୍କ ଅବଗତି ନିମନ୍ତେ ବୁଲା ଯାଇଥିବା ନୋଟିସ ଖାତାରେ ବିଜ୍ଞାପନ ସଂଖ୍ୟା-୯ ତା ୧୬ ଜୁଲାଇ ୨୦୨୫ ବୋଲି ଉଲ୍ଲେଖ କରାଯାଇ ଜନସାଧାରଣଙ୍କ ଦସ୍ତଖତ ସଂଗ୍ରହ କରାଯାଉଥିଲା। ଏବିଷୟରେ ପଂଚାୟତର ସରପଂଚ ପ୍ରଶାନ୍ତ ଜେନାଙ୍କ ମତାମତ ନେବା ପାଇଁ ଯୋଗାଯୋଗ କରାଯାଇଥିଲେ ମଧ୍ୟ ତାହା ସମ୍ଭବ ହୋଇ ପାରି ନଥିଲା। ପଂଚାୟତ କାର୍ଯ୍ୟ ନିର୍ବାହୀ ଅଧିକରୀ ଅନିତ୍ୟ କୁମାର ଜେନାଙ୍କୁ ପଚାରିବାରେ ବିନା ଲେଖାରେ ନୋଟିସ ବୁଲାଇବାର ନିୟମ ନଥିବା କହିଛନ୍ତି।
