ମରଣଯନ୍ତା ଜରକାରୁ ବୈଦପୁର ରାସ୍ତା: ମରାମତିର ନାଁ ଧରୁନି ଠିକାଦାର
ବେତନଟୀ ( ଉଦିତ କୁମାର ପରିଡା ) : ମୟୂରଭଞ୍ଜ ଜିଲ୍ଲାର ବେତନଟୀ ବ୍ଲକ ତଥା ବୈଶିଙ୍ଗା ଥାନା ଅର୍ନ୍ତଗତ ୧୮ନ°ଜାତୀୟ ରାଜପଥର ଜରକା ଛକଠାରୁ ଜୁଗପୁରା ରେଳ ଷ୍ଟେସନ ହୋଇ ବୈଦିପୂର୍ ପର୍ଯ୍ୟନ୍ତ ଯାଇଥିବା ରାସ୍ତାର ଅବସ୍ଥା ଅତ୍ୟନ୍ତ ଶୋଚନୀୟ ହୋଇ ପଡ଼ିଛି। ହେଲେ ଗ୍ରାମ୍ୟ ଉନ୍ନୟନ ବିଭାଗ ଏହି ରାସ୍ତାର ମରାମତି କରିବାର ନାମ ଧରୁନଥିବାରୁ ସାଧାରଣ ଲୋକଙ୍କ ଠାରୁ ଆରମ୍ଭ କରି ଯାନବାହନ ଚଳାଚଳରେ ଗୁରୁତର ବାଧା ସୃଷ୍ଟି ହୋଇଛି। ଏହି ରାସ୍ତାର ୭.୩୭୦ କିମି ରାସ୍ତା ତିଆରି ନିମନ୍ତେ ୨ କୋଟି ୪୮ ଲକ୍ଷ ୮୮ ହଜାର ଟଙ୍କା ଅର୍ଥ ମଞ୍ଜୁରି କରାଯାଇ ୨୮.୧୧.୨୧ ତାରିଖରେ ସାଂସଦ ପ୍ରତାପଚନ୍ଦ୍ର ଷଡ଼ଙ୍ଗୀ ଓ ବଡ଼ସାହି ବିଧାୟକ ସନାତନ ବିଜୁଳିଙ୍କ ଦ୍ଵାରା ଶୁଭ ଦିଆଯାଇଥିବା ବେଳେ ୨୦୨୨ ମସିହା ଜୁଲାଇ ମାସରେ ଶେଷ ହେବା ସହିତ ପାଞ୍ଚ ବର୍ଷ ପର୍ଯ୍ୟନ୍ତ ରକ୍ଷଣା ବେକ୍ଷଣ ହେବାର ଚୁକ୍ତି ରହିଛି। ମାତ୍ର ଏହି ରାସ୍ତା ମରାମତି ନହେବାରୁ ଏହା ସିଧାସଳଖ ବିଭାଗୀୟ ଅପାରଗତା ଆଡକୁ ଅଙ୍ଗୁଳି ନିର୍ଦେଶ କରୁଛି। ମରାମତି ବାବଦକୁ ଅର୍ଥ ଥାଇ ମଧ୍ୟ ଅବଧି ଶେଷ ହେବାକୁ ଆହୁରି ଦେଢ଼ ବର୍ଷ ରହିଥିବାବେଳେ ମରାମତି ନହେବା କାରଣ ସନ୍ଦେହଜନକ। ଜରକା ଛକଠାରୁ ବୈଦପୁର ପର୍ଯ୍ୟନ୍ତ ଅନେକ ସ୍ଥାନରେ ପିଚ ଉଠିଯାଇ ରାସ୍ତା ଯାକ ଖାଲଖମାରେ ଭର୍ତ୍ତି ହେବାସହ ରାସ୍ତା ଉପରେ ହମ୍ପସ ନିର୍ମାଣ ଯୋଗୁଁ ଜରୁରୀକାଳୀନ ସେବା ବିଶେଷକରି ୧୦୮ ଆମ୍ବୁଲାନ୍ସ ଓ ଦମକଳ ଗାଡ଼ି ପାଇଁ ସମସ୍ୟା ସୃଷ୍ଟି କରୁଛି। ବିଭାଗୀୟ ଅଧିକାରୀ କି ରାଜନେତାଙ୍କ ଦୃଷ୍ଟି ନପଡିବାରୁ ଜୀବନରେଖା ପାଲଟିଥିବା ୫ ଗୋଟି ପଞ୍ଚାୟତର ୫୦ ହଜାରରୁ ଉର୍ଦ୍ଧ ଗ୍ରାମବାସୀଙ୍କ ସହ ଏହି ରାସ୍ତା ଦେଇ ଦୈନନ୍ଦିନ ଚଳାଚଳ କରୁଥିବା ଯାତ୍ରୀବାହୀ ବସ ମଧ୍ୟ ଅସୁବିଧାର ସମ୍ମୁଖୀନ ହେଉଥିବା ପରିଲକ୍ଷିତ ହେଉଛି। ଏତଦବ୍ୟତିତ ସାଇକେଲ ଯୋଗେ ଯିବା ଆସିବା କରୁଥିବା ସ୍କୁଲ କଲେଜ ଛାତ୍ରୀଛାତ୍ର ମାନେ ଦୈନନ୍ଦିନ ଦୁର୍ଘଟଣାର ସମ୍ମୁଖୀନ ହେଉଥିବା ଘଟଣା ସାମ୍ନାକୁ ଆସୁଛି। ତେବେ ବେତନଟୀ ଗ୍ରାମ୍ୟ ଉନ୍ନୟନ ଉପଖଣ୍ଡ ଅଧିକାରୀ (ଏସଡିଓ) ପଦବୀ ଦୁଇ ମାସ ହେବ ଖାଲି ପଡିଥିବା ଯୋଗୁଁ ଅତି ଶିଘ୍ର ନୂତନ ଅଧିକାରୀଙ୍କୁ ନିଯୁକ୍ତି ଦେବା ସହ ରାସ୍ତା ରକ୍ଷଣାବେକ୍ଷଣ କାର୍ଯ୍ୟରେ ଅବହେଳା ଓ ସରକାରୀ ଚୁକ୍ତିନାମା ଉଲ୍ଲଂଘନ କରିଥିବା ଠିକାଦାରଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଯୁଗପୁରା ରେଳ ଷ୍ଟେସନ ଉନ୍ନୟନ ପରିଷଦର ଅଶ୍ବିନୀ କୁମାର ମହାରଣା , ବିଜୟ କୁମାର ରାଉତ, ନିରଞ୍ଜନ ମହାପାତ୍ର , ହରିହର ମହାପାତ୍ର, ଖଗେଶ୍ବର ମହାପାତ୍ର, ଗିରିଶ ରାଉତ, ଅରୁଣ ରାଉତ, ମହେଶ ଚନ୍ଦ୍ର ମହାପାତ୍ର, ବିଶ୍ବଜିତ ସାହୁ , ମନୋଜ କୁମାର ମହାନ୍ତ ପ୍ରମୁଖ ଦାବି କରିଛନ୍ତି।