ରାମାୟଣ ନାଟକରେ ଅଶ୍ଳୀଳତା ପ୍ରଦର୍ଶନ ମାମଲା: ୧୦ରୁ ଉର୍ଦ୍ଧ୍ବ କଳାକାର ଏବଂ କମିଟି ସଦସ୍ୟ ଥାନାରେ ହାଜର
ଦିଗପହଣ୍ଡି,(ଅଳକ ନାଥ ମିଶ୍ର) : ଗତ କାର୍ତ୍ତିକ ପୂର୍ଣ୍ଣିମା ଯାତ୍ରା ଉପଲକ୍ଷେ ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଦିଗପହଣ୍ଡି ଥାନା ମୌଳାଭଞ୍ଜା ଗ୍ରାମରେ ପ୍ରତିଯୋଗିତା ମୂଳକ ୨ ଟି ନାଟ୍ୟ ଅନୁଷ୍ଠାନ ପକ୍ଷରୁ ପୈାରାଣିକ ରାମାୟଣ ନାଟକ ରେ ଅଶ୍ଳିଳତା ପ୍ରଦର୍ଶନ ଘଟଣାରେ ପୋଲିସ ପକ୍ଷରୁ ତଦନ୍ତ ଜାରି ରହିଛି। ବୁଧବାର ଖଲିକୋଟ ନିକଟ ଚିକିଲି ଗ୍ରାମର ରାମାୟଣ ନାଟକ ଅନୁଷ୍ଠାନର ୪ କଳାକାର ଙ୍କ ସମେତ ଯାତ୍ରା କମିଟିର ୬ ରୁ ଉର୍ଦ୍ଧ୍ବ ସଦସ୍ୟ ଙ୍କୁ ଥାନାକୁ ଡ଼ାକି ପଚରା ଉଚୁରା କରାଯାଉଥିବା ଆଇଆଇସି ତଥା ଡିଏସପି ପ୍ରଶାନ୍ତ କୁମାର ପାତ୍ର କହିଛନ୍ତି । ନାଟକରେ ରାବଣ ଭୂମିକା ରେ ଅଭିନୟ କରିଥିବା କଳାକାର ଜଣକ ଆଧ୍ୟାତ୍ମିକ ଓ ପୌରାଣିକ କଥାବସ୍ତୁ ରାମାୟଣ ଭଳି ପବିତ୍ର ଗ୍ରନ୍ଥ କୁ ଅପମାନିତ କରି ବେଦମତି ଓ ସୀତା ହରଣ ଦୃଶ୍ୟରେ ଅତ୍ୟନ୍ତ ଅଶ୍ଳିଳତା ଅଙ୍ଗଭଙ୍ଗୀ ପ୍ରଦର୍ଶନ କରିବା ସହ ତାଙ୍କୁ ଉଲଗ୍ନ କରି ଶରୀର ର ବିଭିନ୍ନ ଅଂଶକୁ କାମୁଡ଼ିଥିବା ଅଭିଯୋଗ ହୋଇଥିଲା। ମଙ୍ଗଳବାର ଗଞ୍ଜାମ ଜିଲା ନାଟ୍ୟ ନିର୍ଦ୍ଦେଶକ ସଂଘ ସଭାପତି ରାଜ ଗୋପାଳ ପାଢ଼ୀ ଘଟଣାକୁ ବିରୋଧ କରି ଦିଗପହଣ୍ଡି ଥାନାରେ ଏତଲା ଦେଇଥିଲେ। ଏତଲାକୁ ଭିତ୍ତିକରି ଥାନା ମାମଲା ନଂ.୪୧୯/୨୫ ବିଏନ୍ଏସ ର ଦଫା – ୨୯୯/୨୯୬/୩୫୨/୩(ଆଇ) ଏବଂ ରିପ୍ରେଜେଣ୍ଟେସନ୍ ପ୍ରିଭେନ୍ସନ୍ ଆକ୍ଟ ଅନୁଯାୟୀ ମକଦ୍ଦମା ରୁଜୁ କରାଯାଇଥିଲା।ତଦନ୍ତକାରୀ ଅଧିକାରୀ ଏଏସଆଇ ଘଟଣାର ତଦନ୍ତ ଚଳାଇଥିବା ଜଣାପଡ଼ିଛି। ସାନଖେମୁଣ୍ଡି ବ୍ଲକ ଜିଉରା ଗ୍ରାମ ରାମାୟଣ ନାଟକ ଅନୁଷ୍ଠାନର କୌଣସି କଳାକାର ଥାନାରେ ପହଞ୍ଚି ନଥିବା ତଦନ୍ତକାରୀ ଅଧିକାରୀ କହିଛନ୍ତି।


