ଓଡାସିଙ୍ଗି ଠାକୁରାଣୀ ଯାତ୍ରା ; ନାଟକ ଉଦଘାଟନ କଲେ ତହସିଲଦାର
ଦିଗପହଣ୍ଡି(ଅଳକ ନାଥ ମିଶ୍ର) ଦିଗପହଣ୍ଡି ବ୍ଳକ ଓଡାସିଙ୍ଗି ଗ୍ରାମର ଅଧିଷ୍ଠାତ୍ରୀ ଦେବୀ ମା’ ରମାଦେବୀ ବୁଢ଼ୀ ଠାକୁରାଣୀ ଙ୍କ ଯାତ୍ରା ମହୋତ୍ସବ ଶୁକ୍ରବାର ୬ଷ୍ଠ ଦିବସରେ ପହଞ୍ଚିଛି ।ଗୁରୁବାର ସନ୍ଧ୍ୟାରେ କୁକୁଡାଖଣ୍ଡି ଓ ଲେଙ୍କାଖାଳି ଗ୍ରାମ ର ପୌରାଣିକ ରାମାୟଣ ନାଟକ ପରିବେଷଣ ହୋଇଥିଲା । ଦିଗପହଣ୍ଡି ତହସିଲଦାର ସନ୍ତୋଷ କୁମାର ସାହୁ , ଅତିରିକ୍ତ ତହସିଲଦାର ଆଶିଷ କୁମାର ନାୟକ ଅସ୍ଥାୟୀ ଯାତ୍ରା ପୀଠ ରେ ପହଞ୍ଚି ମା’ ଙ୍କ ଦର୍ଶନ କରିବା ସହ ନାଟକ ଉଦଘାଟନ କରିଥିଲେ । ଦୀର୍ଘ ୧୨ ବର୍ଷ ପରେ ଗ୍ରାମରେ ଠାକୁରାଣୀ ଯାତ୍ରା ହେଉଥିବାରୁ ସମଗ୍ର ଗାଁ ଉତ୍ସବ ମୁଖର ହୋଇଉଠିଛି।କର୍ମ ସଂସ୍ଥାନ ପାଇଁ ଦୂର ଦୂରାନ୍ତରେ ରହୁଥିବା ଗ୍ରାମବାସୀ ସପରିବାର ସହ ଗ୍ରାମରେ ପହଞ୍ଚିଛନ୍ତି।ଘରେ ଘରେ ପିଠାପଣା ର ଆୟୋଜନ ଚାଲିଛି।ଯାତ୍ରା ଦେଖିବାକୁ ନିମନ୍ତ୍ରଣ ରକ୍ଷାକରି ପ୍ରତ୍ୟେକ ଘରେ ନିକଟ ସମ୍ପର୍କୀୟ ବନ୍ଧୁ ବାନ୍ଧବ ପହଞ୍ଚିଛନ୍ତି। ପ୍ରତ୍ୟେକ ଦିନ ସନ୍ଧ୍ଯାରେ ମା’ ଙ୍କ ଘଟ ପରିକ୍ରମା ବେଳେ ଶ୍ରଦ୍ଧାଳୁଙ୍କ ଭିଡ଼ ପରିଲକ୍ଷିତ ହେଉଛି। ଜଣାପଡିଛି ।ଗ୍ରାମର ବିଭିନ୍ନ ସାହି ରେ ନିର୍ମାଣ ହୋଇଥିବା ପୈାରାଣିକ ଓ ସାମାଜିକ କଳାକୁଞ୍ଜ ଦେଖିବା ସହ ମୀନା ବଜାର ଓ ରାମ ଦୋଳିର ମଜା ନେବାକୁ ବିଳମ୍ବିତ ସନ୍ଧ୍ୟା ଯାଏଁ ଆଖପାଖ ଗ୍ରାମରୁ ଆସୁଥିବା ଲୋକଙ୍କ ଭିଡ଼ ଦେଖିବାକୁ ମିଳୁଛି । ଯାତ୍ରା ପରିଚାଳନା କମିଟି ସଭାପତି ବାଲଗୋପାଳ ସାହୁ , ଉପସଭାପତି ପି . ରାମେଶ୍ଵର ପାତ୍ର , ସମ୍ପାଦକ ଜି . କ୍ଷେତ୍ର ମୋହନ ରେଡ୍ଡୀ , ସହ ସମ୍ପାଦକ ଅଜୟ ରେଡ୍ଡୀ , କୋଷାଧ୍ୟକ୍ଷ ଶଙ୍କର ସେଠୀ , ଯାତ୍ରା କମିଟି ସଦସ୍ୟ ବୃନ୍ଦ ଓ ଗ୍ରାମବାସୀ ଯାତ୍ରା ପରିଚାଳନାରେ ସହଯୋଗ କରୁଥିବା ଜଣାପଡିଛି ।ରବିବାର ବିଳମ୍ବିତ ରାତିରେ ଯାତ୍ରା ମହୋତ୍ସବ ଉଦଯାପିତ ହେବ ବୋଲି ଯାତ୍ରା କମିଟି ପକ୍ଷରୁ କୁହାଯାଇଛି।