ଗଞ୍ଜେଇ ଚୋରାଚାଲାଣ ବେଳେ ଅଣଓଡ଼ିଆ ଯୁବକ ଗିରଫ
ଦିଗପହଣ୍ଡି,(ଅଳକ ନାଥ ମିଶ୍ର): ବେଆଇନ ଗଞ୍ଜେଇ ଚୋରାଚାଲାଣ ବେଳେ ଦିଗପହଣ୍ଡି ପୁଲିସ ଟିମ୍ ଶନିବାର ସକାଳ ପ୍ରାୟ ସାଢ଼େ ୯ ଟାରେ ତାମିଲନାଡୁ କୋଇମ୍ବାଟୁର ଜିଲ୍ଲା କାଟୁର ଥାନା ଅଞ୍ଚଳର ଜଣେ ଅଣଓଡିଆ ଯୁବକକୁ ଗିରଫ କରିଥିବା ଜଣାପଡିଛି ।ସେ ହେଲେ ହରି .ଏମ । ଗଞ୍ଜେଇ ଉତ୍ପାଦନର କେନ୍ଦ୍ର କୁହାଯାଉଥିବା ଗଜପତି ଜିଲ୍ଲାର ବିଭିନ୍ନ ସ୍ଥାନରେ ତାମିଲନାଡୁର ଏକ ସକ୍ରିୟ ଗୋଷ୍ଠୀ ଆଡ୍ଡା ଜମାଇ ବାହାର ରାଜ୍ୟକୁ ଗଞ୍ଜେଇ ଚୋରାଚାଲାଣ କରୁଥିବା ଜଣାପଡିଛି । ଗଜପତି ଜିଲ୍ଲା ମୋହନା ଅଞ୍ଚଳରୁ ଗଞ୍ଜେଇ ନେଇ ବ୍ରହ୍ମପୁର ଅଭିମୁଖେ ଯାଉଥିବା ଏକ ଯାତ୍ରୀବାହୀ ବସରେ ୩ ଦିଗପହଣ୍ଡି ଆସିଥିଲେ । ପୁରୁଣା ବସଷ୍ଟାଣ୍ଡ ଠାରେ କିଛି ପୁଲିସ କର୍ମଚାରୀଙ୍କୁ ଦେଖି ସେମାନେ ଚତୁରତାର ସହ ବସରୁ ଓହ୍ଲାଇ ବ୍ୟାଗ୍ ଧରି ଚାଲି ଚାଲି ବ୍ରହ୍ମପୁର ରାସ୍ତାରେ ଯାଉଥିବା ବେଳେ ପୁକି ସନ୍ଦେହରେ ସେମାନଙ୍କ ପିଛା କରିଥିଲା । ପୁଲିସ ଟିମ୍ ପିଛା କରୁଥିବା ଦେଖି ସେମାନେ କାନାରା ବ୍ୟାଙ୍କ ନିକଟସ୍ଥ ବିଲ ରାସ୍ତାରେ ଦୌଡ଼ି ପଳାଇବାକୁ ଉଦ୍ୟମ କରିଥିଲେ । ତେବେ ୨ ରୁ ୩ ଯୁବକ କୌଶଳ କ୍ରମେ ଚମ୍ପଟ ମାରିଥିବା ବେଳେ ହରିକୁ ପୋଲିସ କାବୁ କରିଥିଲା । ସେ ଧରିଥିବା ବ୍ୟାଗ କୁ ତଲାସି କରିବା ପରେ ସେଥିରେ ଗଞ୍ଜେଇ ଥିବା ଜାଣିବା ପରେ ପୁଲିସ ତାଙ୍କୁ ଥାନା କୁ ଉଠାଇ ନେଇ ପଚରାଉଚରା କରିଥିଲା । ସ୍ଥାନୀୟ ତହସିଲଦାର ସନ୍ତୋଷ କୁମାର ସାହୁ, ଥାନା ଅଧିକାରୀ ତଥା ଡିଏସପି ପ୍ରଶାନ୍ତ କୁମାର ପାତ୍ର,ଏସ.ଆଇ ରାଜ କିଶୋର ପାତ୍ର,ରାଜସ୍ବ ନୀରିକ୍ଷକ ଉପେନ୍ଦ୍ର ବେହେରା ଙ୍କ ଉପସ୍ଥିତିରେ ଜବତ ଗଞ୍ଜେଇର ମାପଚୁପ ପରେ ବ୍ଯାଗରେ ୧୦ କେଜି ୬୦୦ ଗ୍ରାମ ଗଞ୍ଜେଇ ରହିଥିବା ଜଣାପଡିଥିଲା । ଏନେଇ ଦିଗପହଣ୍ଡି ଥାନା ମାମଲା ନଂ ୩୭୪/୨୫ ପ୍ରକାରେ ଅଭିଯୁକ୍ତକୁ ଥାନାରେ ଅଟକ ରଖାଯାଇଛି। ରବିବାର ଅଭିଯୁକ୍ତଙ୍କୁ ବ୍ରହ୍ମପୁର ଜିଲ୍ଲା ଜଜ କୋର୍ଟ କୁ ଚାଲାଣ କରାଯିବ ବୋଲି ତଦନ୍ତକାରୀ ଅଧିକାରୀ ଏସ.ଆଇ ସୋଫିଆ ମିଶ୍ର କହିଛନ୍ତି।