ଓଡ଼ିଶା ହାଇକୋର୍ଟଙ୍କ କଡ଼ା ନିର୍ଦ୍ଦେଶ: ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ସମ୍ପତ୍ତି ସୁରକ୍ଷିତ ରଖ
କଟକ(ସରୋଜ କୁମାର ଦାସ) : ଶ୍ରୀମନ୍ଦିର ସମ୍ପତ୍ତି ହସ୍ତାନ୍ତର ପ୍ରକ୍ରିୟାକୁ ନେଇ ଓଡ଼ିଶା ହାଇକୋର୍ଟ ଗୁରୁତ୍ୱପୂର୍ଣ୍ଣ ରାୟ । ବିଶେଷକରି ମହାପ୍ରଭୁଙ୍କ ଯେଉଁ ସମ୍ପତ୍ତି ରହିଛି ତାହା ମନ୍ଦିର ପ୍ରଶାସନ ହାତରୁ ଖସି ଯାଉଛି । ଥରେ ଜମି ଚାଲିଗଲେ ତାହା ଫେରିବା ପାଇଁ ବହୁ କଷ୍ଟକର ହେଉଛି । ଯାହାକୁ ନେଇ ହାଇକୋର୍ଟ ତୀବ୍ର ଅସନ୍ତୋଷ ଜାହିର କରିବା ସହ ମହାପ୍ରଭୁଙ୍କ ସମ୍ପତ୍ତି ସୁରକ୍ଷିତ ରଖିବା ପାଇଁ ଉଭୟ ମନ୍ଦିର ପ୍ରଶାସନ ଏବଂ ଆଇନ ବିଭାଗ ଏକଠି କାମ କରିବାକୁ ପରାମର୍ଶ ଦେଇଛନ୍ତି । ଏନେଇ ନିର୍ଦ୍ଦେଶନାମା ମଧ୍ୟ ଜାରି କରିଛନ୍ତି । ମହାପ୍ରଭୁଙ୍କ ସମ୍ପତ୍ତିର ଭୂକ୍ଷରଣ କେବଳ ଆଇନଗତ ବ୍ୟତିକ୍ରମ ନୁହେଁ, ଏହା ଆଧ୍ୟାତ୍ମିକ ଅପମାନ ଓ ସାଂସ୍କୃତିକ କ୍ଷତି ବୋଲି କୋର୍ଟ କହିଛନ୍ତି । ଶ୍ରୀଜିଉଙ୍କ ସମ୍ପତ୍ତିର ସୁରକ୍ଷାକୁ ସୁନିଶ୍ଚିତ କରିବା ପାଇଁ କୋର୍ଟ ରାଜ୍ୟ ସରକାରଙ୍କୁ ନିର୍ଦ୍ଧେଶ ଦେଇଛନ୍ତି । ଶ୍ରୀମନ୍ଦିର ରେକର୍ଡ ପତ୍ରର ଡିଜିଟାଇଜେସନ ସହ ମନ୍ଦିର ସମ୍ପତ୍ତି ମ୍ୟୁଟେସନ ଓ ହସ୍ତାନ୍ତର ପ୍ରସଙ୍ଗରେ ମାର୍ଗଦର୍ଶିକା ପ୍ରଣୟନ କରିବାକୁ ହାଇକୋର୍ଟ କହିଛନ୍ତି । ଶ୍ରୀଜଗନ୍ନାଥ ମନ୍ଦିରର ସମ୍ପତ୍ତି ବିବାଦ ସମ୍ପର୍କିତ ମାମଲାର ଶୁଣାଣି କରି ଡକ୍ଟର ଜଷ୍ଟିସ ସଞ୍ଜୀବ କୁମାର ପାଣିଗ୍ରାହୀଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ନିର୍ଦ୍ଦେଶ ପ୍ରଦାନ କରିଛନ୍ତି ।କୋର୍ଟ ତାଙ୍କ ରାୟରେ ସ୍ପଷ୍ଟ କରିଛନ୍ତି ଯେ, ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ନାଁରେ ଥିବା ସମ୍ପତ୍ତି ସଂକ୍ରାନ୍ତୀୟ ତଥ୍ୟ ସଠିକ୍ ଭାବେ ରେକର୍ଡ କରିବାକୁ ରାଜସ୍ବ ଓ ଭୂମି ରେକର୍ଡ କର୍ତ୍ତୃପକ୍ଷ ତୁରନ୍ତ ପଦକ୍ଷେପ ଗ୍ରହଣ କରିବେ । ଶ୍ରୀଜଗନ୍ନାଥ ମନ୍ଦିର ଆଇନ(ସଜେଟିଏ)ରେ ଥିବା ବ୍ୟବସ୍ଥା ସହିତ ପ୍ରକୃତ ଆଇନଗତ ସ୍ଥିତି ସଂକ୍ରାନ୍ତରେ ଶ୍ରୀଜିଉଙ୍କ ସମ୍ପତ୍ତି ସମ୍ପର୍କିତ ତଥ୍ୟ ରେକର୍ଡରେ ଉଲ୍ଲେଖ କରାଯିବ । ଆଇନର ବିରୁଦ୍ଧାଚରଣ କରୁଥିବା ତଥା ଏହି ରାୟ ଅନୁସାରେ ନଥିବା ଯେ କୌଣସି ମ୍ୟୁଟେସନ୍ ବା ଜମି ରେକର୍ଡରେ ସଂଶୋଧନକୁ ବାଦ ଦିଆଯିବ । ସେହିପରି ଏସଜେଟିଏ ଅଧିନ ବର୍ତ୍ତମାନର ପ୍ରକ୍ରିୟା ଓ ବ୍ୟବସ୍ଥାର ସମୀକ୍ଷା କରିବାକୁ ରାଜ୍ୟ ସରକାରଙ୍କୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ସେହିପରି ଧାରା ୧୬(୨)ସମୀକ୍ଷା କରାଯିବ ବୋଲି ହାଇକୋର୍ଟ କହିଛନ୍ତି । ଏହା ଦ୍ୱାରା ମନ୍ଦିର ସମ୍ପତ୍ତିର ଅନଧିକୃତ ହସ୍ତାନ୍ତରଣ ତଥା ମ୍ୟୁଟେସନକୁ ଅନୁମତି ପ୍ରଦାନ କ୍ଷେତ୍ରରେ ରହୁଥିବା ବ୍ୟତିକ୍ରମକୁ ଦୂର କରାଯାଇପାରିବ ବୋଲି ହାଇକୋର୍ଟ କହିଛନ୍ତି । ଶ୍ରୀଜିଉ ଓ ଶ୍ରୀମନ୍ଦିରର ସମ୍ପତ୍ତି ଅଧିକାରକୁ ସୁରକ୍ଷା ଦେବା ଲାଗି ଓ ଅନିୟମିତତା ରୋକିବା ପାଇଁ ସାମ୍ପ୍ରତିକ ବ୍ୟବସ୍ଥାକୁ ଅଧିକ କଠୋର କରିବା ଉପରେ ହାଇକୋର୍ଟ ଗୁରୁତ୍ବାରୋପ କରିଛନ୍ତି । ସେହିଭଳି ଶ୍ରୀମନ୍ଦିର ସମ୍ପତ୍ତି ହସ୍ତାନ୍ତର, ଲିଜ୍, ମ୍ୟୁଟେସନ୍ ସମ୍ପର୍କିତ ପ୍ରସଙ୍ଗରେ ଆଇନ ବିଭାଗ ଓ ମନ୍ଦିର ପ୍ରଶାସନ ଉପଯୁକ୍ତ ସମନ୍ବୟ ରଖିବେ । ବୈଧାନିକ ଆବଶ୍ୟକତା ଅନୁପାଳନ ହୋଇନଥିଲେ ତଥା ପ୍ରାଧିକୃତ ସମ୍ପତ୍ତି କମିଟିର ପୂର୍ବ ସୁପାରିସ ନଥିଲେ ତଥା ଜିଲ୍ଲା ସବରେଜିଷ୍ଟ୍ରାରଙ୍କ ଦ୍ୱାରା ମୂଲ୍ୟାୟନ ହୋଇନଥିଲେ କୌଣସି ଅନୁମୋଦନ ବା ମଞ୍ଜୁରୀକୁ ବୈଧ ବୋଲି ବିବେଚନା କରାଯିବ ନାହିଁ ।
ଯଦି କୋଣସି ପ୍ରଶାସନିକ ଅନିୟମିତତା ଓ ଅବହେଳା ପାଇଁ ଶ୍ରୀଜଗନ୍ନାଥ ମନ୍ଦିର ସମ୍ପତ୍ତିର ବେଆଇନ ହସ୍ତାନ୍ତରଣ କିମ୍ବା ମ୍ୟୁଟେସନ୍ ହୋଇଥାଏ, ତେବେ ଏଭଳି ଘଟଣାର ଚିହ୍ନଟ କରି ଆବଶ୍ୟକ କାର୍ଯ୍ୟପନ୍ଥା ଗ୍ରହଣ କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଆଇନଗତ ଭାବେ ଯେହେତୁ ମହାପ୍ରଭୁ ନାବାଳକ ତେଣୁ ତାଙ୍କ ସମ୍ପତିର ସୁରକ୍ଷା ଦାୟିତ୍ଵ ଅଧିକ ସତର୍କତାର ସହ କରାଯିବା ଉଚିତ୍ ବୋଲି କୋର୍ଟ ରାୟରେ ସ୍ପଷ୍ଟ କରିଛନ୍ତି ।