ଓଡିଶା ସେବା ନିବୃତ କର୍ମଚାରୀ ଓ ଶିକ୍ଷକ ବିକାଶ ମଞ୍ଚର ସମ୍ମିଳନୀ
ଆସିକା (ୱାଇଏନ୍ଏସ୍) :ଆସିକା ଏନ୍ଏସି ଅଧୀନସ୍ଥ ବାଣିବିହାର ମୁଖ୍ୟରାସ୍ତା ପାଶ୍ୱର୍ରେ ଥିବା ବରିଷ୍ଠ ନାଗରିକ ଚିତ୍ତବିନୋଦନ କେନ୍ଦ୍ର ପରିସରରେ ଓଡିଶା ସେବା ନିବୃତ କର୍ମଚାରୀ ଓ ଶିକ୍ଷକ ବିକାଶ ମଞ୍ଚ ଗଞ୍ଜାମ ଜିଲ୍ଲା ଶାଖାର ଅଷ୍ଟମ ଜିଲ୍ଲାସ୍ତରୀୟ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଅବସରପ୍ରାପ୍ତ ଶିକ୍ଷକ ପିତବାସ ମହାପାତ୍ରଙ୍କ ଆବହକତ୍ୱରେ ଅନୁଷ୍ଠିତ ହୋଇଥିବା ଓଡିଶା ସେବା ନିବୃତ କର୍ମଚାରୀ ଓ ଶିକ୍ଷକ ବିକାଶ ମଞ୍ଚର ଅଷ୍ଟମ ଜିଲ୍ଲାସ୍ତରୀୟ ସମ୍ମିଳନୀରେ ମୁଖ୍ୟ ଅତିଥି ରୂପେ ସଂଘର ରାଜ୍ୟ ସଂପାଦକ ଶ୍ୟାମସୁନ୍ଦର ଖାଡଙ୍ଗା, ଜିଲ୍ଲା ସଭାପତି କାମରାଜୁ ମହାରଣା, ସଂପାଦକ ପ୍ରଦୀପ କୁମାର ସାହୁ, ଉପଦେଷ୍ଟା ରାଜେନ୍ଦ୍ର କୁମାର ପଣ୍ଡା, ଅବସରପ୍ରାପ୍ତ କର୍ମଚାରୀ ସଂଘ ନେତା ମିହିରକାନ୍ତ ମହାପାତ୍ର, ବିଭୁତି ଭୂଷଣ ଜେନା, ଆସିକା ବରିଷ୍ଠ ନାଗରିକ ମଞ୍ଚର ସଭାପତି ଗଣେଶ ରଥ ପ୍ରମୁଖ ଯୋଗଦେଇ କେନ୍ଦ୍ର ସରକାର ସର୍ବଭାରତୀୟ ସ୍ତରରେ ପେନ୍ସନ୍ ଉପଭୋକ୍ତାଙ୍କ ପ୍ରତି ଲୋକସଭାରେ ଅବିଚାରିତ ଭାବେ ପାରିତ କରାଇଥିବା ବିଲ୍କୁ ତୀବ୍ର ବିରୋଧ କରି ଏହାର ପ୍ରତ୍ୟାହାର ନକଲେ ଆନ୍ଦୋଳନକୁ ଜୋରଦାର୍ କରିବା ଲାଗି ଆହ୍ୱାନ କରିଥିବା ଲକ୍ଷ୍ୟ କରାଯାଇଥିଲା । ଗତ ମାର୍ଚ୍ଚ ମାସ ୨୫ ତାରିଖରେ ପାର୍ଲାମେଣ୍ଟରେ ପାରିତ ହୋଇଥିବା ପେନ୍ସନ୍ ଭାଲିଡେସନ୍ ରୁଲ୍ ଦ୍ୱାରା ଓପିଏସ୍ (୨୦୦୪ ପୂର୍ବବର୍ତ୍ତୀ ଅବସରପ୍ରାପ୍ତ କର୍ମଚାରୀମାନେ) ଅଧିକ କ୍ଷତିଗ୍ରସ୍ତ ହେବେ । ଅବସର ତାରିଖ ଭିତ୍ତିରେ ପେନସନ୍ ନିୟମ ଭିନ୍ନ ଭିନ୍ନ ହେବାର ପ୍ରଥା ନାହିଁ । ବିଗତ ୭ଗୋଟି ଦରମା କମିଶନକୁ ସୁପାରିଶରେ ଏଭଳି ନିୟମ ନଥିବା ବେଳେ ବର୍ତ୍ତମାନ କେନ୍ଦ୍ର ସରକାର ଉକ୍ତ ନିୟମକୁ ଜଳାଞ୍ଜଳି ଦେଇ ଏକ କଳା ଆଇନ ପ୍ରଣୟନ କରିବା ପାଇଁ ନେଇଥିବା ନିଷ୍ପତ୍ତି ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି ମତ ପ୍ରକାଶ ପାଇଥିଲା । ଉକ୍ତ ନିଷ୍ପତି କେନ୍ଦ୍ର ସରକାର ପ୍ରତ୍ୟାହାର କରି ସମସ୍ତ ପେନସନ୍ ଉପଭୋକ୍ତାଙ୍କ ପ୍ରତି ଉଚିତ ନ୍ୟାୟ ପ୍ରଦାନ କରିବାକୁ ଦାବୀ ବି କରାଯାଇଥିଲା । ଏହି ଜିଲ୍ଲାସ୍ତରୀୟ ସମ୍ମିଳନୀରେ ସଂଘର ଉପଦେଷ୍ଟା ରାଜେନ୍ଦ୍ର କୁମାର ପଣ୍ଡା, ଅଶୋକ କୁମାର ଦଳେଇ, ସୁବାସ ଚନ୍ଦ୍ର ମିଶ୍ର, ଜଟେଶ୍ୱର ମହାପାତ୍ର, କେ.କୃଷ୍ଣମୂର୍ତ୍ତି, କବିରାଜ ସାହୁ, ଉପେନ୍ଦ୍ର ନାୟକ, କୈଳାଶ ବେହେରାଙ୍କ ସମେତ ଜିଲ୍ଲାର ବିଭିନ୍ନ ପ୍ରାନ୍ତରରୁ ସଂଘର ବହୁ ସଦସ୍ୟ ଯୋଗଦେଇଥିବା ଲକ୍ଷ୍ୟ କରାଯାଇଥିଲା ।