ଓଡ଼ିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ସଂଘର ମେଧାବୃତ୍ତି ପ୍ରଦାନ ଓ ସମ୍ବର୍ଦ୍ଧନା ସମାରୋହ
କଟକ, (ଓ୍ବାଇଏନଏସ): ଓଡ଼ିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ସଂଘ(ଓଷ୍ଟା) ଆନୁକୁଲ୍ୟରେ ଓଷ୍ଟା ମେଧାବୃତ୍ତି ସମ୍ବର୍ଦ୍ଧନା ସମାରୋହ ଆଜି ନୟାସଡ଼କ ସ୍ଥିତ ଓଷ୍ଟା ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଅଛି । ଓଷ୍ଟାର ସଭାପତି ଅକ୍ଷୟ କୁମାର ମିଶ୍ରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସମ୍ବର୍ଦ୍ଧନା ସଭାରେ ଉଦ୍ଘାଟକ ଭାବେ ଶ୍ରୀଯୁକ୍ତ ଭଗବାନ ପ୍ରସାଦ ସାହୁ, ସ୍ୱତନ୍ତ୍ର ଶାସନ ସଚିବ, ଆଇନ୍ ବିଭାଗ ଯୋଗଦେଇ ଉକ୍ତ ସମାରୋହକୁ ଉଦ୍ଘାଟନ କରିଥିଲେ । ସେ ତାଙ୍କ ଅଭିଭାଷଣରେ କହିଥିଲେ ବିନା ଗୁରୁରେ ବିଦ୍ୟା ସମ୍ଭବ ନୁହେଁ । ଆମମାନଙ୍କର ପ୍ରଥମ ଗୁରୁ ହେଲେ ପିତାମାତା । ପିତାମାତାଙ୍କ କଥା ମାନିବା ଓ ଗୁରୁମାନଙ୍କ ଉପଦେଶକୁ ଗ୍ରହଣ କରି ଆଗକୁ ବଢ଼ିବା ପାଇଁ ସେ ଉପସ୍ଥିତ ଛାତ୍ରଛାତ୍ରୀମାନଙ୍କୁ ପରାମର୍ଶ ଦେଇଥିଲେ । ମୁଖ୍ୟ ଅତିଥି ରୂପେ ଶ୍ରୀଯୁକ୍ତ ବିରେନ୍ଦ୍ର କେରକୋରା, ନିର୍ଦ୍ଦେଶକ, ମାଧ୍ୟମିକ ଶିକ୍ଷା, ଓଡ଼ିଶା ଯୋଗଦେଇ କହିଥିଲେ ଓଷ୍ଟାଦ୍ୱାରା ଆୟୋଜିତ ଏହି ମେଧା ଅନ୍ୱେଷଣ ପରୀକ୍ଷା ଆମ ଓଡ଼ିଶାର ଛାତ୍ରଛାତ୍ରୀ ମାନଙ୍କ ପାଇଁ ପ୍ରେରଣାର ଉତ୍ସ । ମେଧାବୀ ଗୁଣର କୌଣସି ପରିସୀମା ନାହିଁ । ପ୍ରଥମେ ଚରିତ୍ର ଗଠନ ଓ ପରିବାରର ବୟୋଜ୍ୟେଷ୍ଠ ମାନଙ୍କୁ ସମ୍ମାନ ଦେବା ସହିତ ଅବିଶ୍ରାନ୍ତ ପରିଶ୍ରମ ଫଳରେ ଆଗକୁ ବଢ଼ି ସଫଳତା ହାସଲ କରିପାରିବ ବୋଲି ଛାତ୍ରଛାତ୍ରୀମାନଙ୍କୁ ଉପଦେଶ ପ୍ରଦାନ କରିଥିଲେ । ମୁଖ୍ୟବକ୍ତା ଭାବେ ସୁଶ୍ରୀ ଧରିତ୍ରୀ ବରାଳ, ଉପ ହିସାବ ନିୟନ୍ତ୍ରକ, ଭୁବନେଶ୍ୱର ଯୋଗଦେଇ କହିଥିଲେ ବିଦ୍ୟା ଈଶ୍ୱର ଦତ୍ତ । ଛାତ୍ରଛାତ୍ରୀମାନଙ୍କୁ ମେଧାବୀ ହେବା ସହିତ ଗୁଣବାନ ହେବାକୁ ପରାମର୍ଶ ଦେଇ ସେ କହିଥିଲେ ଆମ ଜୀବନରେ ଆସିଥିବା ପ୍ରତ୍ୟେକ ଗୁରୁଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ । ଉଭୟ ପିତାମାତା ଓ ଗୁରୁଙ୍କୁ ସମ୍ମାନ ଦେବା, ଈଶ୍ୱରଙ୍କୁ ଭଲ ପାଇବା ଓ ସ୍ୱପ୍ନବିଳାସୀ ହୋଇ ଆଗକୁ ଆଗେଇବା । ଭଲ ମଣିଷ ହୋଇ ପରିବାର, ସମାଜ, ରାଜ୍ୟ ତଥା ଦେଶର ଉନ୍ନତିରେ ସହାୟକ ହେବା । ଶେଷରେ ପିଲାମାନଙ୍କୁ ସୋସିଆଲ ମିଡିଆରୁ ଦୂରେଇ ରହିବାପାଇଁ ମଧ୍ୟ ସେ ପରାମର୍ଶ ଦେଇଥିଲେ ।
ସାଧାରଣ ସଂପାଦକ ରଞ୍ଜନ କୁମାର ଦାଶ ଆଜିକାର ସଭାର ଉଦ୍ଦେଶ୍ୟ ଜ୍ଞାପନ ସହିତ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ମଞ୍ଚାସୀନ ଓଷ୍ଟାର କାର୍ଯ୍ୟକାରୀ ସଭାପତି ନୀଳମଣି ପୁରୋହିତ, ଯୁଗ୍ମ ସାଧାରଣ ସଂପାଦକ ବ୍ରଜକିଶୋର ବିଶ୍ୱାଳ, କୋଷାଧ୍ୟକ୍ଷ ଅଶୋକ କୁମାର ମହାପାତ୍ର ପ୍ରମୁଖ ଉପସ୍ଥିତ ରହି ଛାତ୍ରଛାତ୍ରୀ ମାନଙ୍କୁ ଭଲ ମଣିଷ ହୋଇ ରାଜ୍ୟ ତଥା ଦେଶ ଗଠନରେ ସହାୟକ ହୁଅନ୍ତୁ ବୋଲି ଆଶ୍ରୀର୍ବଚନ ପ୍ରଦାନ କରିଥିଲେ । ଶୈକ୍ଷିକ କମିଟି ସଂପାଦକ ପ୍ରଣବ କୁମାର ଜେନା ଅତିଥି ପରିଚୟ ପ୍ରଦାନ କରିଥିଲେ ।
ପ୍ରାରମ୍ଭରେ ବନ୍ଦେ ଉତ୍କଳ ଜନନୀ ସଂଗୀତ ଗାନ କରାଯାଇଥିଲା । ଓଡ଼ିଶାର ବିଭିନ୍ନ କୋଣ ଅନୁକୋଣରୁ ଓଷ୍ଟା ମେଧା ଅନ୍ୱେଷଣ ପରୀକ୍ଷାରେ କୃତିତ୍ୱ ଅର୍ଜନ କରି ମେଧାବୃତ୍ତି ପାଇବାକୁ ଯୋଗ୍ୟ ବିବେଚିତ ହୋଇଥିବା ୧୧୮ ଜଣ ବିଦ୍ୟାର୍ଥୀଙ୍କୁ ମୁଖ୍ୟ ଅତିଥି ପ୍ରମାଣପତ୍ର ଓ ଉପଢ଼ୌକନ ସହ ସମ୍ବର୍ଦ୍ଧିତ କରି ବୃତ୍ତିରାଶି ୩୦୦୦(ତିନିହଜାର) ଟଙ୍କା ଲେଖାଏଁ ପ୍ରଦାନ କରିଥିଲେ । ଏହି ଅବସରରେ ଓଷ୍ଟାର ନେତୃମଣ୍ଡଳୀ ସର୍ବଶ୍ରୀ ସଞ୍ଜୟ କୁମାର ସିଂହ, ତ୍ରିଲୋଚନ ଦାଶ ଆଦି ଉକ୍ତ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ଉକ୍ତ ଉତ୍ସବରେ ଛାତ୍ରଛାତ୍ରୀମାନଙ୍କ ସହ ସେମାନଙ୍କର ଅଭିଭାବକ/ଅଭିଭାବିକା, ମାର୍ଗଦର୍ଶକ/ମାର୍ଗଦର୍ଶିକାମାନେ ଉପସ୍ଥିତ ଥିଲେ । ଶେଷରେ ରାଜ୍ୟ ଓଷ୍ଟାର କାର୍ଯ୍ୟକାରୀ ସଭାପତି ନୀଳମଣି ପୁରୋହିତ ଧନ୍ୟବାଦ ଅର୍ପଣ କରିଥିଲେ ।


