ଓଡ଼ିଶା ବିଶ୍ବବିଦ୍ୟାଳୟରେ ଖାଲି ପଦ ପୂରଣ ମାମଲା : ସତ୍ୟପାଠ ଦାଖଲ ପାଇଁ ସରକାରଙ୍କୁ ହାଇକୋର୍ଟଙ୍କ ନିର୍ଦ୍ଦେଶ
କଟକ, (ଓ୍ବାଇଏନଏସ): ଓଡ଼ିଶା ବିଶ୍ବବିଦ୍ୟାଳୟରେ ଖାଲି ପଡ଼ିଥିବା ପ୍ରଫେସର, ସହଯୋଗୀ ପ୍ରଫେସର ଓ ସହକାରୀ ପ୍ରଫେସର ପଦ ପୂରଣ ପାଇଁ ରୁଜୁ ମାମଲାରେ ଦୁଇ ସପ୍ତାହ ମଧ୍ୟରେ ସତ୍ୟପାଠ ଦାଖଲ କରିବାକୁ ରାଜ୍ୟ ସରକାରଙ୍କୁ ଓଡ଼ିଶା ହାଇକୋର୍ଟ ନିର୍ଦେଶ ଦେଇଛନ୍ତି। ମୁଖ୍ୟ ବିଚାରପତି ହରିଶ ଟଣ୍ଡନ ଓ ବିଚାରପତି ଏମ.ଏସ ରମଣଙ୍କୁ ନେଇ ଗଠିତ ଖଣ୍ଡପୀଠରେ ଆଇନଜୀବୀ ପ୍ରବୀର କୁମାର ଦାସଙ୍କ ଦ୍ବାରା ରୁଜୁ ହୋଇଥିବା ଏହି ଜନସ୍ବାର୍ଥ ମାମଲାର ପ୍ରାଥମିକ ଶୁଣାଣି ହୋଇଥିଲା। ସରକାରୀ ଓକିଲ ଦର୍ଶାଇଥିଲେ ଯେ, ଉକ୍ତ ବିଶ୍ବବିଦ୍ୟାଳୟର ସ୍ଥାୟୀ କୁଳପତି ନିଯୁକ୍ତି ବିଷୟ ଚୂଡ଼ାନ୍ତ ପର୍ଯ୍ୟାୟରେ ଅଛି ଏବଂ କୁଳପତି ନିଯୁକ୍ତି ହେଲା ପରେ ତୁରନ୍ତ ଅଧ୍ୟାପକ ନିଯୁକ୍ତି ପାଇଁ ପଦକ୍ଷେପ ନିଆଯିବ। ଏତେ ସମୟ ଧରି ଏହି ବିଶ୍ବବିଦ୍ୟାଳୟରେ ଶିକ୍ଷାଦାନ ପାଇଁ ଅଧ୍ୟାପକ ନିଯୁକ୍ତି କରାଯାଇ ନ ଥିବାରୁ ଚିନ୍ତାପ୍ରକଟ କରିବା ସହିତ ଖଣ୍ଡପୀଠ ଏହି ମାମଲାରେ ଦୁଇସପ୍ତାହ ମଧ୍ୟରେ ସରକାରଙ୍କୁ ସତ୍ୟପାଠ ଦାଖଲ ପାଇଁ ନିର୍ଦେଶ ଦେଇଛନ୍ତି। ପରବର୍ତ୍ତୀ ଶୁଣାଣି ଏପ୍ରିଲ ୨୨କୁ ଧାର୍ଯ୍ୟ କରାଯାଇଛି। ଆବେଦନକାରୀ ଆଇନଜୀବୀ ଶ୍ରୀ ଦାସ ଦର୍ଶାଇଛନ୍ତି ଯେ ବିଶ୍ବବିଦ୍ୟାଳୟର ପ୍ରଥମ ଶିକ୍ଷା ବର୍ଷ ୨୦୨୩ ସେପ୍ଟେମ୍ବର ୫ରୁ ଆରମ୍ଭ ହୋଇଥିଲା। ବିଶ୍ବବିଦ୍ୟାଳୟରେ ଓଡ଼ିଆ ସାହିତ୍ୟ, ଭାଷା ବିଜ୍ଞାନ, ଇତିହାସ ଓ ସଂସ୍କୃତି ସମ୍ବନ୍ଧୀୟ ଗବେଷଣା, ଅଧ୍ୟୟନ ଏବଂ ଜ୍ଞାନର ବ୍ୟାପକ ପ୍ରସାର ଉପରେ ଗୁରୁତ୍ବାରୋପ କରାଯିବା ପାଇଁ ବିଭିନ୍ନ ପଦକ୍ଷେପମାନ ଗ୍ରହଣ କରାଯାଉଥିବା କୁହାଯାଇଥିଲା; କିନ୍ତୁ ବିଶ୍ବବିଦ୍ୟାଳୟ ପ୍ରତିଷ୍ଠା ହେବା ଦିନରୁ ଏପର୍ଯ୍ୟନ୍ତ ମଞ୍ଜୁରୀପ୍ରାପ୍ତ ୩ଟି ପ୍ରଫେସର, ୬ଟି ସହଯୋଗୀ ପ୍ରଫେସର ଓ ୧୨ଟି ସହକାରୀ ପ୍ରଫେସର ପଦ ପୂରଣ କରାଯାଇ ନାହିଁ। ଅତିଥି ଶିକ୍ଷକ ଓ ଅବସରପ୍ରାପ୍ତ ପ୍ରଫେସରଙ୍କ ହାତରେ ଶିକ୍ଷାଦାନ ଦାୟିତ୍ବ ରହିଛି। ଏହାଦ୍ବାରା ଓଡ଼ିଆ ବିଶ୍ବବିଦ୍ୟାଳୟରେ ଶିକ୍ଷାଦାନର ମାନ ପ୍ରଭାବିତ ହେଉଛି। ବିଭିନ୍ନ ବିଭାଗରେ ସ୍ନାତକୋତ୍ତର ପାଠ୍ୟକ୍ରମରେ ନାମ ଲେଖାଉଥିବା ଛାତ୍ରଛାତ୍ରୀ ଯେଉଁ ଆଶା ନେଇ ଓଡ଼ିଆ ବିଶ୍ବବିଦ୍ୟାଳୟକୁ ଆସୁଛନ୍ତି ତାହା ପୂରଣ ହେଉ ନାହିଁ। ୨୦୨୫ ମାର୍ଚ୍ଚ ୧୮ରେ ଆବେଦନକାରୀଙ୍କ ତରଫରୁ ଏହି ସବୁ ପଦ ପୂରଣ ପ୍ରସଙ୍ଗ ନେଇ କୁଳାଧିପତିଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲା। ଆବେଦନକାରୀଙ୍କ ସ୍ମାରକପତ୍ରକୁ କୁଳାଧିପତିଙ୍କ କାର୍ଯ୍ୟାଳୟ ତରଫରୁ ଉଚ୍ଚଶିକ୍ଷା ବିଭାଗକୁ ପଠାଯିବା ସହିତ ଉପଯୁକ୍ତ ପଦକ୍ଷେପ ଗ୍ରହଣ କରିବାକୁ କୁହାଯାଇଥିଲା; କିନ୍ତୁ ଏହାପରେ ମଧ୍ୟ ଏହି ପ୍ରସଙ୍ଗରେ କୌଣସି ପଦକ୍ଷେପ ବିଶ୍ବବିଦ୍ୟାଳୟ ବା ଉଚ୍ଚଶିକ୍ଷା ବିଭାଗ ତରଫରୁ ଗ୍ରହଣ କରାଯାଇ ନାହିଁ। ନିର୍ଦ୍ଧାରିତ ସମୟସୀମା ଭିତରେ ଓଡ଼ିଆ ବିଶ୍ବବିଦ୍ୟାଳୟରେ ଖାଲି ପଡ଼ିଥିବା ପ୍ରଫେସର, ସହଯୋଗୀ ପ୍ରଫେସର ଓ ସହକାରୀ ପ୍ରଫେସର ପଦ ପୂରଣ କରିବାକୁ ରାଜ୍ୟ ସରକାର ଓ ବିଶ୍ବବିଦ୍ୟାଳୟକୁ ନିର୍ଦେଶ ଦିଆଯାଉ ବୋଲି ଆବେଦନରେ ଉଲ୍ଲେଖ କରାଯାଇଛି।


