ପୁରାତନ ହାଇସ୍କୁଲ ଛାତ୍ରଙ୍କ ବନ୍ଧୁମିଳନ
ଦିଗପହଣ୍ଡି,(ଅଳକ ନାଥ ମିଶ୍ର) : ଦିଗପହଣ୍ଡି ବ୍ଲକ ପଦ୍ମନାଭପୁର ଗ୍ରାମ ସ୍ଥିତ ରାଧାଶ୍ୟାମ ଉଚ୍ଚ ବିଦ୍ୟାଳୟ ୧୯୮୬ ମସିହା ମ୍ୟାଟ୍ରିକ ବ୍ୟାଚ ର ବନ୍ଧୁମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଦିଗପହଣ୍ଡି ବ୍ଲକ ଜକର ଗ୍ରାମ ନିକଟ ମା’ ରତ୍ନେଶ୍ୱରୀ ମନ୍ଦିର ପରିସରରେ ଦୀର୍ଘ ୪୦ ବର୍ଷ ପରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବହୁ ସଂଖ୍ୟକ ପୁରାତନ ଛାତ୍ର ଉପସ୍ଥିତ ଥିଲେ। ମନ୍ଦିରରେ ପୂଜାର୍ଚ୍ଚନା ସହ ପ୍ରଦୀପ ପ୍ରଜ୍ଜ୍ୱଳନ କରାଯାଇ କାର୍ଯ୍ୟକ୍ରମ ଶୁଭାରମ୍ଭ କରାଯାଇଥିଲା। ବହୁ ସଂଖ୍ୟକ ସହପାଠୀ ଏବଂ ପୂର୍ବତନ ଶିକ୍ଷକ ମାନଙ୍କ ବିୟୋଗରେ ସେମାନଙ୍କ ସ୍ମୃତିଚାରଣ କରାଯିବା ସହ ସେମାନଙ୍କ ଅମର ଆତ୍ମା ର ସଦଗତି ନିମନ୍ତେ ନୀରବ ପ୍ରାର୍ଥନା କରାଯାଇଥିଲା। ଛାତ୍ର ଜୀବନରେ ଅତୀତର ସ୍ମୃତିକୁ ମନେପକାଇ ଉପସ୍ଥିତ ସହପାଠୀ ବୃନ୍ଦ ପରସ୍ପର ମଧ୍ୟରେ ଭାବ ଆଦାନ ପ୍ରଦାନ କରିଥିଲେ। ପରେ ଆୟୋଜିତ ଆଲୋଚନା ସଭାରେ ପୁରାତନ ଛାତ୍ର ସଂଘ ଗଠନ କରାଯାଇ ସଭାପତି ଭାବେ ଦୀପକ କୁମାର ସୁବୁଦ୍ଧି,ଉପସଭାପତି ଭାବେ କେ. ସଞ୍ଜୀବ କୁମାର ରେଡ୍ଡୀ,ସମ୍ପାଦକ ଭାବେ ମନୋଜ କୁମାର ସାହୁ ଙ୍କୁ ମନୋନୀତ କରାଯାଇଥିଲା। ପୁରାତନ ଛାତ୍ର ପ୍ରଦୀପ ପାଣିଗ୍ରାହୀ,ବି.ସୂର୍ଯ୍ୟ,ନାରାୟଣ ସାହୁ, ତ୍ରିପତି ସାହୁ,ଅକ୍ଷୟ ରେଡ୍ଡୀ,ଅମ୍ବିକା ବେହେରା ପ୍ରମୁଖ ସମସ୍ତ ପୁରାତନ ଛାତ୍ର ଙ୍କ ସହ ଯୋଗାଯୋଗ କରି ଏଭଳି କାର୍ଯ୍ୟକ୍ରମ ସମ୍ପାଦିତ କରିଥିବାରୁ ସେମାନଙ୍କୁ ପୁରାତନ ଛାତ୍ର ସଂଘ ପକ୍ଷରୁ କୃତଜ୍ଞତା ଜ୍ଞାପନ କରାଯାଇଥିଲା।ଚଳିତବର୍ଷ ଭଳି ପ୍ରତିବର୍ଷ ପୁରାତନ ଛାତ୍ର ସଂଘ ପକ୍ଷରୁ ବନ୍ଧୁମିଳନ କାର୍ଯ୍ୟକ୍ରମ କରାଯିବା ସହ ଆସନ୍ତା ବର୍ଷ ଠାରୁ ସମସ୍ତ ପୁରାତନ ଛାତ୍ରୀ ମାନଙ୍କୁ ମଧ୍ୟ ଏହି କାର୍ଯ୍ୟକ୍ରମରେ ସାମିଲ କରାଯିବା ପାଇଁ ସଭାରେ ବିଧିବଦ୍ଧ ପ୍ରସ୍ତାବ ଗୃହୀତ କରାଯାଇଥିଲା। ନିଜ ନିଜ ବୃତ୍ତିଗତ କାର୍ଯ୍ୟରେ ଉଲ୍ଲେଖନୀୟ ସଫଳତା ପାଇଁ ସଭାରେ ଉପସ୍ଥିତ ପୁରାତନ ଛାତ୍ର ମାନଙ୍କ ଉଜ୍ଜଳମୟ ଭବିଷ୍ୟତ କାମନା କରାଯାଇଥିଲା। ପୁରାତନ ଛାତ୍ରସଂଘ ର ନବନିର୍ବାଚିତ କାର୍ଯ୍ୟକର୍ତ୍ତା ମାନଙ୍କୁ ସଭାରେ ସମ୍ବର୍ଦ୍ଧିତ କରାଯାଇଥିଲା। ଗିରିଜା ପ୍ରସାଦ ରଥ, ତ୍ରିଲୋଚନ ଜାନି, ଭୀମସେନ ସାହୁ,ପି. କୋରାମଣି ପାତ୍ର,ବିନୋଦ ସାହୁ,ୟୁ.ସୂର୍ଯ୍ୟନାରାୟଣ, ଏସ. ମହେଶ୍ବର ରାଓ,ଶ୍ରୀଧର ରଥ,ଏସ. ବୁଦ୍ଧେଶ୍ୱର ରେଡ୍ଡୀ, ଏସ. କୈଳାସ ରେଡ୍ଡୀ,କେ. ଧର୍ମା ରାଜୁ ସୁବୁଦ୍ଧି, ପଦ୍ମ ଚରଣ ମିଶ୍ର,କାମ ରାଜୁ ରେଡ୍ଡୀ,ରମେଶ ପାତ୍ର, ମୋହନ ଆଚାରୀ,ପଦ୍ମ ମହାରଣା, ସିମାଞ୍ଚଳ ସାହୁ ପ୍ରମୁଖ ବହୁ ସଂଖ୍ୟକ ପୁରାତନ ଛାତ୍ର ଉପସ୍ଥିତ ଥିଲେ।


