ଦେଢ ବର୍ଷ ବିତିଲା: ପଞ୍ଚାୟତ ଜନପ୍ରତିନିଧିଙ୍କୁ ମିଳିଲା ନାହିଁ ମାସିକ ପ୍ରୋତ୍ସାହନ ରାଶି
ବନ୍ତ,(ଚାନ୍ଦିନୀ ମହାନ୍ତି) : ଭଦ୍ରକ ଜିଲା ବନ୍ତ ବ୍ଲକର ୨୫ ପଞ୍ଚାୟତର ୩୫୦ରୁ ଅଧିକ ୱାର୍ଡ ସଭ୍ୟସଭ୍ୟା ଏବଂ ୨୫ ପଞ୍ଚାୟତର ସରପଞ୍ଚ ମାନଙ୍କୁ ଦୀର୍ଘ ଦେଢ ବର୍ଷ ହେବ ମାସିକ ପ୍ରୋତ୍ସାହନ ରାଶି ଏବଂ ବୈଠକ ଭତ୍ତା ମିଳିନଥିବା ଅଭିଯୋଗ ହୋଇଛି । ଜିଲା ପ୍ରଶାସନର ଖାମଖିଆଲି ନୀତି ଯୋଗୁ ଏପରି ସମସ୍ୟା ଦେଖାଯାଇଥିବା କୁହାଯାଇଛି । ରାଜ୍ୟ ସରକାର ଏସମସ୍ତ ପଞ୍ଚାୟତ ଜନପ୍ରତିନିଧି ମାନଙ୍କ ପାଇଁ ପ୍ରୋତ୍ସାହନ ରାଶି ଏବଂ ବୈଠକ ଭତ୍ତା ପ୍ରଦାନ କରିଥିବା ବେଳେ ଜିଲା ପ୍ରଶାସନିକ ଅବହେଳା ଯୋଗୁ ଏହି ଅର୍ଥ ଫେରି ଯାଇଥିବା କୁହାଯାଉଛି । କେବଳ ସମସ୍ତ ପଞ୍ଚାୟତର ସମିତି ସଭ୍ୟସଭ୍ୟା ମାନଙ୍କୁ ଏହି ପ୍ରୋତ୍ସାହନ ରାଶି ବ୍ଲକ ପ୍ରଶାସନ ପକ୍ଷରୁ ମିଳି ଚାଲିଛି । ଏପରିସ୍ଥଳେ ସରପଞ୍ଚ ଓ ୱାର୍ଡ ସଭ୍ୟ ମାନଙ୍କ ପ୍ରତି ଜିଲା ପ୍ରଶାସନର ଏପରି ଅଣଦେଖାକୁ ସରପଞ୍ଚ ଓ ୱାର୍ଡସଭ୍ୟ ମାନେ ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି । ରାଜ୍ୟ ସରକାର ଅର୍ଥ ପ୍ରଦାନ କରୁଥିବା ବେଳେ ତାହାକୁ କାହିଁକି ଜିଲା ପ୍ରଶାସନ କାର୍ଯ୍ୟକାରୀ କରିପାରିଲା ନାହିଁ ଏନେଇ ସେମାନଙ୍କ ମଧ୍ୟରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ପ୍ରକାଶ ଯେ, ଗ୍ରାମାଞ୍ଚଳର ବିଭିନ୍ନ ସମସ୍ୟା ଓ ଲୋକ ମାନଙ୍କ ପାଖରେ ଉତ୍ତରଦାୟୀ ରହିଥିବା ପଞ୍ଚାୟତ ଜନପ୍ରତିନିଧି ମାନଙ୍କୁ ବନ୍ତ ବ୍ଲକ ପ୍ରଶାସନ ପକ୍ଷରୁ ସମ୍ପୂର୍ଣ୍ଣ ଅଣଦେଖା କରାଯାଉଛି । ଦୀର୍ଘ ଦେଢ ବର୍ଷ ହେବ ସେମାନେ ମାସିକ ପ୍ରୋତ୍ସାହନ ରାଶି ଓ ବୈଠକ ଭତ୍ତା ପାଇନାହାନ୍ତି । ଏନେଇ ଟିଲୋ, କାଦବରାଙ୍ଗ, ବନ୍ତ, ବସନ୍ତିଆ ସମେତ ବିଭିନ୍ନ ପଞ୍ଚାୟତର ସରପଞ୍ଚ ମାନେ ବାରମ୍ବାର ବ୍ଲକ ପ୍ରଶାସନ ନିକଟରେ ଦାବୀ କରିଆସୁଥିଲେ ମଧ୍ୟ ସେଥିପ୍ରତି ପ୍ରଶାସନ ଦୃଷ୍ଟି ଦେଉନଥିବା ଅଭିଯୋଗ ହୋଇଛି । ପ୍ରଶାସନର ଏତାଦୃଶ୍ୟ ଅବହେଳାକୁ ସରପଞ୍ଚ ମାନେ ଘୋର ନାପସନ୍ଦ କରିଛନ୍ତି । ଏନେଇ ଟିଲୋ ସରପଞ୍ଚ ସଂଗ୍ରାମ କେଶରୀ ଜେନା କହିଛନ୍ତି ଯେ, ଆମେ ବାରମ୍ବାର ବ୍ଲକ ଅଧିକାରୀ ମାନଙ୍କୁ କହିବାରୁ ସରପଞ୍ଚ ଓ ୱାର୍ଡ ସଭ୍ୟ ମାନଙ୍କର ମାସିକ ପ୍ରୋତ୍ସାହନ ରାଶି ଓ ବୈଠକ ଭତ୍ତା ବିଲ ପଠାଇ ଦିଆଯାଇଛି ବୋଲି ବ୍ଲକ ପ୍ରଶାସନ କହୁଛି । କିନ୍ତୁ ଅଦ୍ୟାବଧି କାହିଁକି ମାସିକ ପ୍ରୋତ୍ସାହନ ରାଶି ଓ ବୈଠକ ଭର୍ତ୍ତା ଅର୍ଥ ପାଇପାରୁନାହାନ୍ତି ସେ ସମ୍ପର୍କରେ ବ୍ଲକ ପ୍ରଶାସନ କୌଣସି ପଦକ୍ଷେପ ନେଇ ନଥିବାରୁ ଜନପ୍ରତିନିଧି ମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି । ଯଦି ତୁରନ୍ତ ସେମାନଙ୍କ ପ୍ରାପ୍ୟ ଦିଆନଯାଏ ତେବେ ପଞ୍ଚାୟତ ପ୍ରତିନିଧି ସଂଘ ପକ୍ଷରୁ ବ୍ଲକ ସମ୍ମୁଖରେ ଆନ୍ଦୋଳନ କରାଯିବ ବୋଲି ଚେତାବନୀ ଦିଆଯାଇଛି ।