ହାତୀ ଆକ୍ରମଣରେ ଜଣେ ମୃତ
କେନ୍ଦୁଝର,(ପୂର୍ଣ୍ଣଚନ୍ଦ୍ର ମହାନ୍ତ): ବାଂଶପାଳ ବ୍ଲକ ଅନ୍ତର୍ଗତ ତରମାକାନ୍ତ ପଂଚାୟତ ର ଜଳଡିହା ମାଣିକ ସାହି ଜଙ୍ଗଲ ରାସ୍ତାରେ ଆଜି ଅପରାହ୍ନ ୪ଟାରେ ହାତୀ ଆକ୍ରମଣରେ ଜଣେ ଯୁବକର ମୃତୁ୍ୟ ହୋଇଛି । ତରମାକାନ୍ତ ଜଙ୍ଗଲ ରାସ୍ତା ଦେଇ ସାଇକେଲରେ ପର୍ଶୁ ମୁଣ୍ଡା(୨୮) ଶ୍ୱଶୂର ଘର ଜଳଡିହା ମାଣିକ ସାହିରୁ ଅଡାଳ ସ୍ଥିତ ନିଜ ଘରକୁ ଫେରୁଥିବାବେଳେ ଜଳଡିହା ମାଣିକ ସାହି ନିକଟ ଜଙ୍ଗଲରେ ହଠାତ ୨ଟି ଦନ୍ତା ହାତୀ ହାବୁଡରେ ପଡିଯାଇଥିଲା । ଏହାପରେ ଗୋଟିଏ ଦନ୍ତା ହାତୀ ପର୍ଶୁ ମୁଣ୍ଡାକୁ ଆକ୍ରମଣ କରି ଶୁଣ୍ଢରେ କଚାଡି ଦେଇଥିଲା । ଏହି ଘଟଣାକୁ ନେଇ ଉତ୍ତେଜନା ପ୍ରକାଶ ପାଇଥିଲା । ଘଟଣାସ୍ଥଳରେ ତାର ମୃତୁ୍ୟ ହୋଇଥିବାବେଳେ ଖବର ପାଇଁ ଭୂୟାଁ ଜୁଆଙ୍ଗ ପୀଢ ରେଞ୍ଜର ନୟନକାନ୍ତ ସାହୁ,ବନପାଳ ଜ୍ୟୋତିର୍ମୟୀ ପଟ୍ଟନାୟକ,ବନରକ୍ଷୀ ମିଲ୍ଲିରାଣୀ ଦାସ,ନିଲମ ମହାନ୍ତ ଏବଂ ବନବିଭାଗର ପେଟ୍ରୋଲିଂ ଟିମ ଘଟଣାସ୍ଥଳରେ ପହଁଚିଥିବାବେଳେ ନୟାକୋଟ ଥାନା ଅଧିକାରୀ କିଶୋର ଚନ୍ଦ୍ର ପ୍ରଧାନ,ତରମାକାନ୍ତ ସରପଂଚ ଲିଲିମଣି ମାଝୀ ଏବଂ ପୋଲିସ କର୍ମଚାରୀମାନେ ଲୋକଙ୍କୁ ବୁଝାସୁଝା କରିଥିଲେ । ଶୁଦ୍ଧିକି୍ରୟା ପାଇଁ ବନ ବିଭାଗ ପକ୍ଷରୁ ୧ଲକ୍ଷ ଟଙ୍କା ପ୍ରଦାନ କରାଯାଇଥିବାବେଳେ ସରକାରୀ ସହାୟତା ଏବଂ କ୍ଷତିପୂରଣ ଦିଆଯିବ ବୋଲି ପ୍ରତିଶୃତି ଦେବା ପରେ ଘଟଣାସ୍ଥଳରୁ ଶବ ଉଠିଥିଲା ।


