ବର୍ଷେ ପୂରିଲା: କାର୍ଯ୍ୟକ୍ଷମ ହେଉନି ମରୈଗାଁ ସ୍ବାସ୍ଥ୍ୟ ଉପକେନ୍ଦ୍ରର ନବନିର୍ମିତ ଗୃହ
ହାଟଡ଼ିହି,(ଓ୍ବାଇଏନଏସ) : ହାଟଡ଼ିହି ବ୍ଲକ ଅନ୍ତର୍ଗତ ମରୈଗାଁ ଠାରେ ନୂତନ ସ୍ବାସ୍ଥ୍ୟ ଉପକେନ୍ଦ୍ର ଗୃହ (ଆୟୁଷ୍ମାନ ଆରୋଗ୍ୟ ମନ୍ଦିର) ନିର୍ମାଣ କାର୍ଯ୍ୟ ବର୍ଷେ ହେଲା ସରିଯାଇଥିଲେ ବି ଏଯାଏଁ କାର୍ଯ୍ୟକ୍ଷମ ହୋଇନି । ଏହି ନୂତନ ସ୍ବାସ୍ଥ୍ୟ ଉପକେନ୍ଦ୍ରଟି କେବେ କାର୍ଯ୍ୟକ୍ଷମ ହେବ ବୋଲି ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ସୂଚନା ଅନୁସାରେ, ୨୦୨୩-୨୪ ଆର୍ଥିକ ବର୍ଷରେ ଗ୍ରାମ୍ୟ ଉନ୍ନୟନ ବିଭାଗ ଆନନ୍ଦପୁର ପକ୍ଷରୁ ଗତ ୨୦/୦୨/୨୦୨୪ରେ କାର୍ଯ୍ୟ ଆରମ୍ଭ ହୋଇ ୧୯/୧୧/୨୦୨୪ରେ ଶେଷ ହୋଇଛି | କାର୍ଯ୍ୟ ଆରମ୍ଭ ଓ କାର୍ଯ୍ୟ ଶେଷ ତାରିଖ ସହ ନିର୍ମାଣ ଅଟକଳ ମୂଲ୍ୟ ହିସାବରେ ୪୪. ୫୫ଲକ୍ଷ ଟଙ୍କା ବିନିମୟରେ ଗୃହଟି ନିର୍ମାଣ ହୋଇଥିବା ସାଇନ୍ ବୋର୍ଡ଼ରେ ଉଲ୍ଲେଖ ଅଛି। ଗୃହ ନିର୍ମାଣର ଶେଷ ତାରିଖ ଅନୁସାରେ ଆଜକୁ ୧ବର୍ଷରୁ ଉର୍ଦ୍ଧ ହେବ ଉପକେନ୍ଦ୍ର ଗୃହ ସହ ପକ୍କା ପାଚେରି ମଧ୍ୟ ସମ୍ପୂର୍ଣ ହୋଇସାରିଛି। ବର୍ତ୍ତମାନ ସୁଦ୍ଧା ଏହି ସ୍ବାସ୍ଥ୍ୟ ଉପକେନ୍ଦ୍ର(ଆରୋଗ୍ୟ ମନ୍ଦିର) ଟି କାର୍ଯ୍ୟକ୍ଷମ ହେବାରେ ବିଳମ୍ବ କାହିଁକି ବୋଲି ସ୍ଥାନୀୟ ଅଞ୍ଚଳବାସୀଙ୍କୁ ପ୍ରଶ୍ନ କରିଛନ୍ତି | ଆଜିବି ଲୋକେ ସ୍ବାସ୍ଥ୍ୟସେବା ପାଇଁ ୩କି.ମି ଦୂର ତେନ୍ତୁଳିନଣ୍ଡା ସ୍ବାସ୍ଥ୍ୟକେନ୍ଦ୍ରକୁ ଯାଉଛନ୍ତି। ଲୋକେ ହାତପାଆନ୍ତରେ ସ୍ବାସ୍ଥ୍ୟସେବା ନପାଇ ହନ୍ତସନ୍ତ ହେଉଥିବା ଅଭିଯୋଗ ହୋଇଛି। ଏନେଇ ଶାଳଣିଆଁ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ବିପିଏମ୍ ଚନ୍ଦନ ସାହୁ କହିଛନ୍ତି କି, ବର୍ତ୍ତମାନ ସୁଦ୍ଧା ତେନ୍ତୁଳିନଣ୍ଡା ଉପକେନ୍ଦ୍ର ସହ ମରୈଗାଁ ଅନ୍ତର୍ଭୁକ୍ତ ଅଛି । ସରକାରଙ୍କ ନିର୍ଦ୍ଦେଶ ପରେ ତେନ୍ତୁଳିନଣ୍ଡା ଠାରୁ ମରୈଗାଁ ପୃଥକ ହେବା ନେଇ ଚିଠି ଆସିବା ପରେ ମରୈଗାଁ ସ୍ବାସ୍ଥ୍ୟ ଉପକେନ୍ଦ୍ର ତଥା ଆୟୁଷ୍ମାନ ଆରୋଗ୍ୟ ମନ୍ଦିର କାର୍ଯ୍ୟକ୍ଷମ ହେବ। ବ୍ଲକ୍ ମଧ୍ୟରେ ମୋଟ୍ ୧୧ଟି ସ୍ବାସ୍ଥ୍ୟ ଉପକେନ୍ଦ୍ର କାର୍ଯ୍ୟକ୍ଷମ ହେବ ବୋଲି ବିପିଏମ୍ ଶ୍ରୀ ସାହୁ କହିଛନ୍ତି । ସ୍ବାସ୍ଥ୍ୟକେନ୍ଦ୍ରଟି କିଭଳି ଖୁବଶୀଘ୍ର କାର୍ଯ୍ୟକ୍ଷମ ହେବ ସେନେଇ ଆନନ୍ଦପୁର ଉପଜିଲ୍ଲାପାଳ ଦୃଷ୍ଟି ଦେବାକୁ ଅଞ୍ଚଳବାସୀ ଦାବି କରିଛନ୍ତି।


