ଖୋଲୁନି ଚାଷୀ ପଂଜୀକରଣ ପୋର୍ଟାଲ: ଚାଷୀ ହତାଶ
ନାଉଗାଁ,(ଓ୍ବାଇଏନଏସ): ଚାଷୀମାନେ ସୁଲଭ ମୂଲ୍ୟରେ ଧାନ ବିକ୍ରି କରିବା ପାଇଁ ସରକାରଙ୍କ ତରଫରୁ ମଣ୍ଡିର ବ୍ୟବସ୍ଥା କରାଯାଇଛି। ମଣ୍ଡିରେ ଧାନ ଦେବାକୁ ହେଲେ ଚାଷୀମାନେ ସରକାରଙ୍କ ଦ୍ୱାରା ଧାର୍ଯ୍ୟ କରାଯାଇଥିବା ସମୟ ମଧ୍ୟରେ ସ୍ଥାନୀୟ ସେବା ସମବାୟ ସମିତିରେ ଆବଶ୍ୟକୀୟ ତଥ୍ୟ ଦାଖଲ କରି ନିଜର ନାମ ପଂଜୀକରଣ କରିବେ। ଏହାପରେ ସମବାୟ ସମିତି ପକ୍ଷରୁ ଚାଷୀଙ୍କର ଜମିର ତଥ୍ୟ ଅନଲାଇନ ମାଧ୍ୟମରେ ଡାଟା ଏଂଟ୍ରି କରିବା ପରେ ଚାଷୀଙ୍କର ଇ-କେୱାସି କରାଯିବାର ନିୟମ ରହିଛି। କିନ୍ତୁ ସରକାରଙ୍କ ଦ୍ୱାରା ଖୋଲା ଯାଇଥିବା ପୋର୍ଟାଲଟି ହଠାତ୍ ବନ୍ଦ କରି ଦିଆଯାଇଥିବାରୁ ନାଉଗାଁ ବ୍ଳକରେ ଅନେକ ଚାଷୀଙ୍କର ଏପର୍ଯ୍ୟନ୍ତ ନାମ ପଂଜିକରଣ ହୋଇଥିବା ବେଳେ ସେମାନଙ୍କର ନାମ ଅନଲାଇନ ପଂଜିକରଣ ହୋଇପାରୁନାହିଁ। ଯାହାଫଳରେ ଚାଷୀମାନେ କିପରି ଧାନ ବିକ୍ରି କରିବେ ଚିନ୍ତାରେ ରହିଛନ୍ତି। ବନ୍ଦ କରାଯାଇଥିବା ପୋର୍ଟାଲଟି ପୁନର୍ବାର ଖୋଲାଯିବ ବୋଲି କୃଷି ମନ୍ତ୍ରୀ ଆଶ୍ୱସନା ଦେଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ପୋର୍ଟାଲ ନ ଖୋଲିବା ଯୋଗୁ ଚାଷୀମାନେ ପୋର୍ଟାଲ ଖୋଲିବାକୁ ନେଇ ଆଶଙ୍କା ପ୍ରକଟ କରିଛନ୍ତି। ସେହିପରି ଯେଉଁ ସମୟରେ ଚାଷୀ ମାନେ ଆବେଦନ କରୁଥିଲେ ଓ ଡାଟା ଏଂଟ୍ରି କରାଯାଉଥିଲା ସେହି ସମୟରେ ଇଂଟରନେଟର ସମସ୍ୟା ଲାଗି କାର୍ଯ୍ୟ ମନ୍ଥର ଗତିରେ ହୋଇଥିବା ଯୋଗୁ ଡାଟା ଏଂଟ୍ରିରେ ସମସ୍ୟା ସୃଷ୍ଟି ହୋଇଥିବା ଅନେକ ସମବାୟ ସମିତିର ସଂପାଦକ ପ୍ରକାଶ କରିଛନ୍ତି। ସରକାରଙ୍କ ତରଫରୁ ପ୍ରଥମେ ଚାଷୀ ପଂଜୀକୃତ ସମୟ ଅଗଷ୍ଟ ୧୯ ଧାର୍ଯ୍ୟ କରାଯାଇଥିବା ବେଳେ ସମବାୟ ସମିିତିକୁ ଡାଟା ଏଂଟ୍ରିକୁ ୨୫ ଅଗଷ୍ଟ ପର୍ଯ୍ୟନ୍ତ ରହିଥିଲା। ପରବର୍ତି ସମୟରେ ଚାଷୀ ପଂଜିକୃତ ସମୟ ସୀମାକୁ ୨୫ ଅଗଷ୍ଟକୁ ବୃଦ୍ଧି କରାଯାଇଥିବା ବେଳେ ଡାଟା ଏଂଟ୍ରିକୁ ଉକ୍ତ ଦିନ ହିଁ ବନ୍ଦ ରଖାଗାଲା। ଯାହାଫଳରେ ଶେଷ ଦିନରେ ଆବେଦନ କରିଥିବା ଚାଷୀମାନଙ୍କର ଡାଟା ଏଂଟ୍ରି ହୋଇ ପାରିଲାନାହିଁ। ସୂଚନା ମୁତାବକ ଏହି ବ୍ଳକର ୬ଟି ସମବାୟ ସମିତି ଓ ଗୋଟିଏ ସ୍ୱୟଂ ସହାୟୀକା ଦଳ ମଧ୍ୟରୁ ୧ହଜାର ୬୭ଜଣ ଚାଷୀ ଡାଟା ଏଂଟ୍ରି ରୁ ବଂଚିତ ହୋଇଥିବା ଜଣାଯାଇଛି। ସେଥିମଧ୍ୟରୁ ନାଉଗାଁ ସେବା ସମବାୟ ସମିତିରେ ଅନଲାଇନ ମାଧ୍ୟମରେ ୪୬୮ଜଣ ଚାଷୀଙ୍କର ପଂଜୀକୃତ ହୋଇଥିବା ବେଳେ ୧୦୧ଜଣ ଚାଷୀଙ୍କର ଡାଟା ଏଂଟ୍ରି ହୋଇପାରିନାହିଁ। ତିରୁଣା ସେବା ସମବାୟ ସମିତିରେ ୫୮୭ ଜଣ ଚାଷୀଙ୍କର ପଂଜୀକୃତ ହୋଇଥିବା ବେଳେ ୨୩୨ଜଣ, ଡେରିକି ୬୩୬ଜଣ ଚାଷୀ ପଂଜୀକୃତ କରିଥିବା ବେଳେ ୧୭୦ଜଣ, ଗଜରାଜପୁର ୮୬୭ ଜଣ ଚାଷୀ ପଂଜୀକୃତ କରିଥିବା ବେଳେ ୫୫ ଜଣ, ଶିଖର ୪୩୪ଜଣ ଚାଷୀ ପଂଜିକୃତ କରିଥିବା ବେଳେ ୯୫ଜଣ, ବାବା ନନ୍ଦମଣୀ ସ୍ୱୟଂ ସହାୟୀକା ଦଳ ୨୭୪ ପଂଜୀକରଣ କରିଥିବା ବେଳେ ୬୪ଜଣ ଚାଷୀଙ୍କର ଡାଟା ଏଂଟ୍ରି ହୋଇପାରିନଥିବା ଜଣାଯାଇଛି। ତେଣୁ ଯେଉଁ ଚାଷୀମାନଙ୍କର ଡାଟା ଏଂଟ୍ରି ହୋଇପାରିନାହିଁ ସେମାନେ ଉକ୍ତ ପୋର୍ଟାଲ ଖୋଲିବା ପାଇଁ ସରକାରଙ୍କ ନିକଟରେ ଦାବି କରିଛନ୍ତି।