ବିଧାୟକଙ୍କ ଦରମା ଓ ଭତ୍ତା ବୃଦ୍ଧି ନିଷ୍ପତ୍ତିକୁ ବିରୋଧ: ହାଇକୋର୍ଟରେ ଜନସ୍ବାର୍ଥ ମାମଲା

କଟକ, (ଓ୍ବାଇଏନଏସ): ବିଧାୟକଙ୍କ ଦରମା‌ ଓ ଭତ୍ତା ବୃଦ୍ଧି ପ୍ରସଂଗ ହାଇକୋର୍ଟରେ ପହଞ୍ଚିଛି। ଏ ସଂପର୍କିତ ନିଷ୍ପତ୍ତିକୁ ବିରୋଧ କରି ହାଇକୋର୍ଟରେ ଜନସ୍ବାର୍ଥ ମାମଲା ଦାୟର ହୋଇଛି। ହାଇକୋର୍ଟର ଆଇନଜୀବୀ କବିତା ପାତ୍ରଙ୍କ ତରଫରୁ ଦାୟର ଆବେଦନରେ ଏପରି ନିଷ୍ପତ୍ତି ଜନବିରୋଧୀ ଓ ଏହା ପ୍ରତ୍ୟାହାର ହେବା ଉଚିତ ବୋଲି ଦର୍ଶାଯାଇଛି। ଏକା ଥରେ ଅଢେଇ ଗୁଣରୁ ଅଧିକ ବଢାଯାଇଛି। ଅନ୍ୟ ରାଜ୍ୟ ଗୁଡ଼ିକର ଯଦି ତୁଳନାତ୍ମକ ସ୍ଥିତି ଦେଖାଯିବ ତେବେ ଏହି କ୍ଷେତ୍ରରେ ଓଡ଼ିଶା ଏବେ ପ୍ରଥମ ସ୍ଥାନ ଅଧିକାର କରିଛି। ବିଧାୟକଙ୍କ ଦରମା ଓ ଭତ୍ତା ବୃଦ୍ଧି ଦ୍ବାରା ରାଜ୍ୟ ରାଜକୋଶରୁ ପ୍ରତିମାସରେ ୫ କୋଟି ଟଙ୍କାରୁ ଅଧିକ ଯିବ। ବିନା କୌଣସି ଆଧାରରେ ବିଧାୟକଙ୍କ ଦରମା ଓ ଭତ୍ତା ଏତେ ପାରିମାଣ ବୃଦ୍ଧି କରାଯାଇଛି। କେଉଁ କାରଣରୁ ବିଧାୟକଙ୍କ ଦରମା ଏତେ ପରିମାଣରେ ବୃଦ୍ଧି କରାଯାଇଛି ତାହା ବୁଝା ପଡ଼ୁ ନାହିଁ। କେତେକ ବିଧାୟକ ବର୍ଦ୍ଧିତ ଦରମା ଗ୍ରହଣ କରି‌ବେ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି। ସାଧାରଣଲୋକ ମଧ୍ୟ ଏପରି ନିଷ୍ପତ୍ତିକୁ ସହଜରେ ଗ୍ରହଣ କରି ପାରୁ ନାହାନ୍ତି। ଲୋକଙ୍କ ମତକୁ ସମ୍ମାନ ଦେଇ କେତେକ ରାଜନୈତିକ ଦଳ ଓ ବୁଦ୍ଧିଜୀବୀ ମଧ୍ୟ ଏପରି ନିଷ୍ପତ୍ତିର ପୁନର୍ବିଚାର ପାଇଁ ଦାବି ଦାବି କରିଛନ୍ତି ବୋଲି ଆବେଦନରେ ଉଲ୍ଲେଖ କରାଯାଇଛି। ଏଠାରେ ଉଲ୍ଲେଖ ଯୋଗ୍ୟ ଯେ ଡିସେମ୍ବର ୯ରେ ବିଧାୟକଙ୍କ ଦରମା ଓ ଭତ୍ତା ବୃଦ୍ଧି କରାଯାଇଥିଲା। ଏକାଥରେ ଅଢ଼େଇ ଗୁଣରୁ ଅଧିକ ବୃଦ୍ଧି କରାଯାଇଥିଲା। ପୂର୍ବତନ ବିଧାୟକଙ୍କ ପେନ୍‌ସନରେ ବି ବୃଦ୍ଧି କରାଯାଇଥିଲା। ଏ ସଂକ୍ରାନ୍ତୀୟ ତିନିଟି ପୃଥକ୍ ବିଲ୍‌ ବିଧାନସଭାରେ ପାରିତ ହୋଇଥିଲା। ୨୦୨୪ ଜୁନ୍ ମାସରୁ ଏହି ବର୍ଦ୍ଧିତ ଦରମା ଲାଗୁ ହେବ। ଏଣିକି ପ୍ରତି ପାଞ୍ଚ ବର୍ଷରେ ବିଧାୟକଙ୍କ ଦରମା ସ୍ବାଭାବିକ ଭାବେ ବୃଦ୍ଧି ହେବ। ଆଉ ବିଧାନସଭାରେ ବିଲ୍‌ ଆଣିବାକୁ ପଡ଼ିବ ନାହିଁ ବୋଲି ଜଣା ପଡ଼ିଥିଲା। ଶେଷ ଥର ପାଇଁ ୨୦୧୭ ମସିହାରେ ବିଧାୟକଙ୍କ ଦରମା ସଂ‌ଶୋଧିତ ହୋଇଥିଲା। ୨୦୧୭ ମସିହା ସଂ‌ଶୋଧନ ପରେ ବିଧାୟକମାନେ ମୂଳଦରମା ବାବଦକୁ ମାସିକ ୩୫ ହଜାର ଟଙ୍କା ପାଉଥିଲେ। ତେବେ ଭତ୍ତା ମିଶାଇଲେ ତାହା ମାସିକ ପାଖାପାଖି ଏକ ଲକ୍ଷ ଟଙ୍କା ହେଉଥିଲା। ଏବେ ସଂଶୋଧନ କରାଯାଇ ମୂଳ ଦରମାକୁ ମାସିକ ୯୦ ହଜାର ଟଙ୍କା କରାଯାଇଛି। ଅନ୍ୟାନ୍ୟ ଭତ୍ତା ମିଶାଇଲେ ମାସିକ ମୋଟ୍‌ ୩.୪୫ ଲକ୍ଷ ଟଙ୍କା ମିଳିବ ବୋଲି ଗଣମାଧ୍ୟମରେ ପ୍ରକାଶିତ ରି‌ପୋର୍ଟରେ ଉଲ୍ଲେଖ କରାଯାଇଥିଲା।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ