ଓରାଳି ଶାଳଣିଆଁ ରାସ୍ତା ଅବସ୍ଥା ଶୋଚନୀୟ : ପୂର୍ତ୍ତ ବିଭାଗ ପାଇଁ ସାଜିଛି ନେଉଟିଆ କିଆରୀ
ହାଟଡିହି(ବିକାଶ ବିଶ୍ବାଳ): ଓରାଳି – ଶାଳଣିଆଁ ରାସ୍ତା ଅବସ୍ଥା ଦିନକୁ ଦିନ ଶୋଚନୀୟ ହୋଇପଡ଼ୁଛି। ଏହି ରାସ୍ତାଟି ହାଟଡିହି ବ୍ଲକର ଏକ ପ୍ରମୁଖ ରାସ୍ତା ଭାବେ ପରିଗଣିତ ହେଉଥିବା ବେଳେ ରାସ୍ତାଟି ପ୍ରତି ବିଭାଗୀୟ କର୍ତ୍ତୃପକ୍ଷ ଗୁରୁତ୍ୱ ଦେଉନଥିବାରୁ ଜନ ଅସନ୍ତୋଷ ଦେଖା ଦେଇଛି। ଏହି ରାସ୍ତା ଉପରେ ଓରାଳି , କଳିଗାଁ,ଅଁରା, ଶାଳଣିଆଁ, ଗେଡ଼ମା, ଡଅଁର, ଆଇତିପୁର, ସଡ଼ଙ୍ଗ ପ୍ରଭୃତି ପଞ୍ଚାୟତର ୫୦ହଜାରରୁ ଉର୍ଦ୍ଧ୍ଵ ଲୋକ ନିର୍ଭର କରିଥାନ୍ତି । ଗତ ୬ବର୍ଷ ପୁର୍ବେ କୋଟି କୋଟି ଟଙ୍କା ବ୍ୟୟରେ ରାସ୍ତାଟି ନିର୍ମାଣ କରାଯାଇ ଥିଲା। ମାତ୍ର ଭାରିଜାନ ଚ଼ଳାଚ଼ଳ ଯୋଗୁଁ ରାସ୍ତାଟି ଅଳ୍ପଦିନ ଭିତରେ ନଷ୍ଟ ହୋଇ ଖାଲଖମା ସୃଷ୍ଟି ହୋଇଥିଲା। ଲୋକମାନେ ଯାତାୟତ କ୍ଷେତ୍ରରେ ନାହିଁ ନଥିବା ଅସୁବିଧା ଭୋଗ କରିଥିଲେ। ବାରମ୍ଵାର ଖବର ପ୍ରକାଶ ପାଇବାପରେ ପୂର୍ତ୍ତ ବିଭାଗ ଖାଲଖମାଗୁଡିକ ଯାହିତାହି ଭାବେ ପୋତି ଦେଇଥିଲା । ମାତ୍ର ତାହାଦିନ କେଇଟା ଭିତରେ ଉଠିଯାଇଥିଲା। ଏବେ ପୁଣି ମାର୍ଚ୍ଚମାସରେ କିଛି କିଛି ରାସ୍ତାକୁ ପିଚୁ କରିଥିବା ବେଳେ ଆଉ କିଛି ରାସ୍ତାରେ ଡଷ୍ଟ ପକାଯାଇଥିଲା। ମାତ୍ର ମାସଟିଏ ବିି ହୋଇନି ପୁଣି ପୂର୍ବ ଅବସ୍ଥାକୁ ଫେରି ଆସିଲା । ଯେତିକି ବି ଓରାଳି , କଳିଗାଁ, କଇଥଗଡିଆ, ଶାଳକଣିଆଁ, ଶାଳଣିଆଁ ନିକଟରେ ଖାଲ ଖମା ସୃଷ୍ଟି ହୋଇ ରାସ୍ତାଟି ବିପର୍ଯ୍ୟସ୍ତ ହୋଇପଡିଛି। ସତେଯେପରି ଏହି ରାସ୍ତାଟି ପୂର୍ତ୍ତ ବିଭାଗ ପାଇଁ ନେଉଟିଆ କିଆରି ସାଜିଛି। କେବଳ ମରାମତି ନାମରେ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ ଦର୍ଶାଯାଇଛି। ବିଭାଗୀୟ ଉଚ୍ଚ କର୍ତୁପକ୍ଷ ଏଥିପ୍ରତି ଦୃଷ୍ଟି ଦେଇ ତୁରନ୍ତ ରାସ୍ତା ନିର୍ମାଣ କରିବାକୁ ଦାବି ହେଉଛି।