ଓସେପା ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶକଙ୍କ ଆଦେଶକୁ ଚ୍ୟାଲେଞ୍ଜ: ହାଇକୋର୍ଟଙ୍କ ଜବାବ ତଲବ

କଟକ (ଓ୍ବାଇଏନଏସ): ଓଡ଼ିଶା ବିଦ୍ୟାଳୟ ଶିକ୍ଷା କାର୍ଯ୍ୟକ୍ରମ ପ୍ରାଧିକରଣ(ଓସେପା)ର ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶକଙ୍କ ଅଧ୍ୟକ୍ଷତାରେ ଜାନୁଆରି ୫ରେ ଅନୁଷ୍ଠିତ ବୈଠକରେ ସ୍କୁଲଗୁଡ଼ିକର ଭିତ୍ତିଭୂମି ବିକାଶ ପ୍ରସଙ୍ଗରେ ଗ୍ରହଣ କରାଯାଇଥିବା ନିଷ୍ପତ୍ତିର ବୈଧତାକୁ ଚ୍ୟାଲେଞ୍ଜ କରି ଦାୟର ମାମଲାରେ ହାଇକୋର୍ଟ ଜବାବ ତଲବ କରିଛନ୍ତି। ମାମଲାରେ ରାଜ୍ୟ ବିଦ୍ୟାଳୟ ଓ ଗଣଶିକ୍ଷା ସଚିବ, ଓସେପା ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶକଙ୍କୁ ହାଇକୋର୍ଟ ‌ନୋଟିସ୍‌ ଜାରି କରି ପକ୍ଷ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏଥି ସହିତ ଜାନୁଆରି ୫ର ବୈଠକରେ ଗ୍ରହଣ କରାଯାଇଥିବା ନିଷ୍ପତ୍ତି କାର୍ଯ୍ୟକାରୀ ଉପରେ ହାଇକୋର୍ଟ ଅନ୍ତରୀଣ ଅଙ୍କୁଶ ଜାରି କରିଛନ୍ତି। ଫେବ୍ରୁଆରି ୧୦କୁ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ଧାର୍ଯ୍ୟ କରାଯାଇଛି। ଜଷ୍ଟିସ୍‌ ଆଦିତ୍ୟ କୁମାର ମହାପାତ୍ରଙ୍କୁ ନେଇ ଗଠିତ ଖଣ୍ଡପୀଠ ସୁଶ୍ରୀ ସରିତା ଷଡ଼ଙ୍ଗୀ ଓ ଅନ୍ୟ ତିନି ଜଣଙ୍କ ତରଫରୁ ଦାୟର ଆବେଦନର ଶୁଣାଣି କରି ଏପରି ନି‌ର୍ଦ୍ଦେଶ ପ୍ରଦାନ କରିଛନ୍ତି। ବ୍ଲକ ଶିକ୍ଷା ଅଧିକାରୀଙ୍କ ଅଧୀନରେ ବିଭିନ୍ନ ବ୍ଲକରେ ବୈଷୟିକ ପରାମର୍ଶଦାତା ଭାବେ କାର୍ଯ୍ୟରତ ଆବେଦନକାରୀ ଓସେପାର ଜାନୁଆରି ୫ର ବୈଠକରେ ଗ୍ରହଣ କରାଯାଇଥିବା ନିଷ୍ପତ୍ତିକୁ ବେଆଇନ ବୋଲି ଦର୍ଶାଇ ଏହି ଆବେଦନ ଦାୟର କରିଛନ୍ତି। ଓସେପା ପରିଚାଳନା ପରିଷଦ ବା ନିର୍ବାହୀ ପରିଷଦ ବିନା ଅନୁମୋଦନରେ ଏପରି ନିଷ୍ପତ୍ତି ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଗ୍ରହଣ କରାଯାଇଥିବାରୁ ଏହା ବେଆଇନ ବୋଲି ଆବେଦନକାରୀ ଦର୍ଶାଇଛନ୍ତି। ଏଥି ସହିତ ବୈଠକରେ ଗ୍ରହଣ କରାଯାଇଥିବା ନିଷ୍ପତ୍ତି କାର୍ଯ୍ୟକାରୀ ପ୍ରସଙ୍ଗ ନେଇ ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶକଙ୍କ ତରଫରୁ ବିଭିନ୍ନ କେନ୍ଦ୍ରୀୟ ପବ୍ଲିକ୍‌ ସେକ୍ଟର ଅଣ୍ଡରଟେକିଂ (ସିପିଏସୟୁ) ଓ ଓବିସିସିକୁ ଲେଖା ଯାଇଥିବା ଜାନୁଆରି ୧୭ର ଚିଠି ମଧ୍ୟ ଆଇନ ଅନୁସାରେ ଗ୍ରହଣୀୟ ନୁହେଁ ବୋଲି ଆବେଦନରେ ଉଲ୍ଲେଖ କରାଯାଇଛି। ଜାନୁଆରି ୫ର ବୈଠକରେ ଗ୍ରହଣ କରାଯାଇଥିବା ପ୍ରସ୍ତାବ ଓ ଜାନୁଆରି ୧୭ର ଚିଠିକୁ ରଦ୍ଦ କରାଯାଉ ବୋଲି ଆବେଦନକାରୀ ଦର୍ଶାଇଛନ୍ତି। ମାମଲାର ବିବରଣୀରୁ ପ୍ରକାଶ ଯେ, ଓ‌ସେପା ପକ୍ଷରୁ ସ୍କୁଲଗୁଡ଼ିକର ଭିତ୍ତିଭୂମି ବିକାଶ କାର୍ଯ୍ୟ କରାଯାଉଥିଲା। ଏଥି ପାଇଁ ବୈଷୟିକ ପରାମର୍ଶଦାତା ନିୟୋଜିତ ହୋଇଥିଲେ। ସମଗ୍ର ବିକାଶ, ଷ୍ଟାର୍ସ ଓ ଅନ୍ୟାନ୍ୟ ପ୍ରକଳ୍ପ ଅଧୀନରେ ସମସ୍ତ ପ୍ରାଥମିକ ଓ ମାଧ୍ୟମିକ ସ୍କୁଲ‌ରେ ଭିତ୍ତିଭୂମି ନିର୍ମାଣ ଓ ବିକାଶ କାର୍ଯ୍ୟ ସିପିଏସ୍‌ୟୁ ଓ ଓବିସିସି ମାଧ୍ୟମରେ କରିବା ପାଇଁ ଜାନୁଆରି ୫ରେ ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା। ଏହାପରେ ଗୃହୀତ ପ୍ରସ୍ତାବ ଆଧାରରେ ପଦକ୍ଷେପ ଗ୍ରହଣ ପାଇଁ ବିଭିନ୍ନ ସିପିଏସ୍‌ୟୁ ଓ ଓବିସିସିକୁ ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶକଙ୍କ ତରଫରୁ ଜାନୁଆରି ୧୭ରେ ଚିଠି ଲେଖା ଯାଇଥିଲା। ଏପରି ନିଷ୍ପତ୍ତି ଓ‌ସେପା ପରିଚାଳନା ପରିଷଦ ଓ ନିର୍ବାହୀ ପରିଷଦ ବିନା ଅନୁମୋଦନରେ ନିଆଯାଇଛି ବୋଲି ଅଭିଯୋଗ ହୋଇଥିଲା। ଏପରି ନିଷ୍ପତ୍ତି ଦ୍ବାରା ଓସେପା ଦ୍ବାରା ନିୟୋଜିତ ବୈଷୟିକ ପରାମର୍ଶଦାତା ଓ ଅନ୍ୟ କର୍ମଚାରୀ ଚାକିରି ହରାଇ ପାରନ୍ତି ବୋଲି ଆଶଙ୍କା ପ୍ରକାଶ ପାଇଥିଲା। ଆବେଦନକାରୀଙ୍କ ତରଫରୁ ଆଇନଜୀବୀ ଅକ୍ଷୟ କୁମାର ପାଣ୍ଡେ ମାମଲା ପରିଚାଳନା କରୁଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ