ଗଞ୍ଜାମ ଜିଲାରେ ଡ୍ରପ ଆଉଟ୍ ପିଲାଙ୍କ ନିଜେ ସର୍ଭେ କାର୍ଯ୍ୟ ତଦାରଖ କଲେ ଓସେପା ଯୁଗ୍ମ ନିର୍ଦ୍ଦେଶିକା
ଛତ୍ରପୁର(ଓ୍ବାଇଏନଏସ): ରାଜ୍ୟରେ ଡ୍ରପ ଆଉଟ ଏକ ବଡ ସମସ୍ୟା ସୃଷ୍ଟି କରିଛି । ଡ୍ରପ ଆଉଟ ରୋକିବାକୁ ରାଜ୍ୟ ସରକାର ପଦକ୍ଷେପ ନେଇଛନ୍ତି । ଏନେଇ ଅପ୍ରେଲ ୩୦ ରୁ ମେ ୫ ତାରିଖ ପର୍ଯ୍ୟନ୍ତ କରାଯାଉଛି ଡ୍ରପ ଆଉଟ ସର୍ଭେ । ଘରକୁ ଘର ବୁଲି ଶିକ୍ଷକ/ଶିକ୍ଷୟତ୍ରୀ ମାନେ କରୁଛନ୍ତି ଏହି ସର୍ଭେ । ଶୂନରୁ ୧୮ ବର୍ଷର ପିଲାଙ୍କ ତଥ୍ୟ ସଂଗ୍ରହ କରାଯାଉଛି । ଅଧା ପାଠ ଛାଡିଥିବା ପିଲାଙ୍କୁ ଅଧିକ ଗୁରୁତ୍ୱ ଦିଆଯାଉଛି । କେଉଁ ଅଚଂଳରେ କେତେ ପିଲା ଅଧାରୁ ପାଠ ଛାଡିଛନ୍ତି ତାହାର ଏକ ତାଲିକା ପ୍ରସ୍ତୁତ କରାଯାଉଛି । ସର୍ଭେ କରିବା ନେଇ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଚିଠି ଆସିଥିଲା । ଗଞ୍ଜାମ ଜିଲାରେ ୯୩୫ ଜଣ ପିଲା ଡ୍ରପ ଆଉଟ ହୋଇଥିବା ସୂଚନା ମିଳିଛି । ଏପରିକି ଜିଲାରେ କିପରି ଡ୍ରପ ଆଉଟ ସର୍ଭେ କାମ ଚାଲିଛି ସେନେଇ ଏହାର ତଦାରଖ କରିବା ନେଇ ଓସେପା ଯୁଗ୍ମ ନିର୍ଦ୍ଦେଶିକା ତଥା ଗଞ୍ଜାମ ଜିଲାର ନୋଡାଲ ଅଫିସର ଅମିତା ପଟ୍ଟନାୟକ ଗଞ୍ଜାମ ଜିଲାର ବିଭିନ୍ନ ସ୍ଥାନ ପରିଦର୍ଶନ କରିବା ସହ ସର୍ଭେ କାର୍ଯ୍ୟ ତଦାରଖ କରିଥିଲେ । ଖଲ୍ଲିକୋଟ, ରମ୍ଭା ପରେ ଛତ୍ରପୁର ଆସି ନିଜେ ମଧ୍ୟ କିଛି ଘରକୁ ଘର ବୁଲି ତଥ୍ୟ ସଂଗ୍ରହ କରିଥିଲେ । କେଉଁ କାରଣ ପାଇଁ ପିଲାମାନେ ପାଠ ପଢା ଅଧାରୁ ଛାଡୁଛନ୍ତି, କିପରି ଡ୍ରପ ଆଉଟ ପିଲା ଚିହ୍ନଟ ହୋଇ ସ୍କୁଲ ଫେରିବେ ଏହି ସର୍ଭେର ଉଦେଶ୍ୟ । ପରେ ଛତ୍ରପୁର ବ୍ଲକ ଶିକ୍ଷାଧିକାରୀ କାର୍ଯ୍ୟାଳୟ ପରିଦର୍ଶନ କରି ବିଭିନ୍ନ ତଥ୍ୟ ସଂଗ୍ରହ କରିଥିଲେ । ପରେ ଡିପିସି କାର୍ଯ୍ୟାଳୟ ସମିଳନୀ କକ୍ଷରେ ଜିଲାର ଶିକ୍ଷା ସମ୍ବନ୍ଧୀୟ ସମିକ୍ଷା କରିଥିଲେ । ଏଥିରେ ଅତିରିକ୍ତ ଜିଲ୍ଲା ଶିଖାଧିକାରୀ ଏସ. ଧନଞ୍ଜୟ, ଛତ୍ରପୁର ବ୍ଳକ ଶିକ୍ଷାଧିକାରୀ ସୁଜିତ କୁମାର ପାଢ଼ୀ, ସିଆରସିସି ପ୍ରମୁଖ ଉପସ୍ଥିତ ଥିଲେ।


