ମେ’ ୨୯ରେ ହେବ ଓଟିଇଟି, ବୋର୍ଡ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ
କଟକ, (ଓ୍ବାଇଏନଏସ) : ମେ’ ୨୯ରେ ଅନୁଷ୍ଠିତ ହେବ ଓଡ଼ିଶା ଶିକ୍ଷକ ଯୋଗ୍ୟତା ପରୀକ୍ଷା (ଓଟିଇଟି)। ଏ ନେଇ ସୋମବାର ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ମାଧ୍ୟମିକ ଶିକ୍ଷା ପରିଷଦ ୱେବସାଇଟ୍ www.bseodisha.nic.in ରେ ଯୋଗ୍ୟ ପ୍ରାର୍ଥୀମାନେ ଅନଲାଇନରେ ଆବେଦନ କରିପାରିବେ। ମାର୍ଚ୍ଚ ୨୬ରୁ ଏପ୍ରିଲ ୯ ତାରିଖ ମଧ୍ୟରେ ପ୍ରାର୍ଥୀମାନେ ଫର୍ମ ଫିଲପ କରିପାରିବେ। ମେ’ ୧୫ରେ ମିଳିବ ଆଡମିଟ କାର୍ଡ। ଉଭୟ ଇନ୍-ସର୍ଭିସ, ନୂଆ ଛାତ୍ରଛାତ୍ରୀ ଆବେଦନ କରିପାରିବେ। ଅନଲାଇନ୍ ପଞ୍ଜୀକରଣ ପାଇଁ ନିର୍ଦ୍ଦେଶାବଳୀ, ପ୍ରାର୍ଥୀଙ୍କ ଯୋଗ୍ୟତା ଏବଂ ଯୋଗ୍ୟତା ମାନଦଣ୍ଡ ସମ୍ବଳିତ ନିର୍ଦ୍ଦେଶାବଳୀ, ପାଠ୍ୟକ୍ରମ ଏବଂ ଜାରି ପ୍ରମାଣପତ୍ର ପାଇଁ ଫର୍ମାଟ୍ (ୱେବସାଇଟ୍) www.bseodisha.nic.in ରେ ଉପଲବ୍ଧ ହେବ। ଅନଲାଇନ୍ ପଞ୍ଜୀକରଣ ସମୟରେ ପ୍ରାର୍ଥୀଙ୍କ ଦ୍ଵାରା ଦାଖଲ କରାଯାଇଥିବା ବ୍ୟକ୍ତିଗତ ତଥ୍ୟ, ଠିକଣା, ଜାତି, ବିଷୟ ଇତ୍ୟାଦି ସୂଚନା ପରବର୍ତ୍ତୀ ପର୍ଯ୍ୟାୟରେ ପରିବର୍ତ୍ତନ କରାଯାଇପାରିବ ନାହିଁ ବୋର୍ଡ ପକ୍ଷରୁ ଦର୍ଶାଯାଇଛି। ଓଟିଇଟି-୨୦୨୬ ପେପର-୧ ସକାଳ ୯ ଟାରୁ ୧୧ଟା ୩୦ମଧ୍ୟରେ ଅନୁଷ୍ଠିତ ହେଉଥିବା ବେଳେ, ପେପର-୨ ଅପରାହ୍ନ ୨ ଟାରୁ ୪ଟା ୩୦ପର୍ଯ୍ୟନ୍ତ ଅନୁଷ୍ଠିତ ହେବ।


