ମଦ ପିଇ ତିନିମାସ ଭିତରେ ୫ରୁ ଉର୍ଦ୍ଧ ମୃତ, ଗାଁ ରୁ ମଦ ଚୋରା ବ୍ୟବସାୟ ହଟାଇବାକୁ ଗ୍ରାମବାସୀଙ୍କ ଦାବି

ହାଟଡିହି (ଓ୍ବାଇଏନଏସ): ମଦ ନେଉଛି ଜୀବନ, ଜଣେ ପରେ ଜଣେ ମହିଳାଙ୍କ ମୁଣ୍ଡରୁ ସିନ୍ଦୁର ଲିଭୁଛି। ପାନ ତେଜରାତି ଦୋକାନ ଠାରୁ ଅଧିକ ଅଛି ଚୋରା ମଦ ଦୋକାନ। ଯାହାକୁ ନେଇ ଗ୍ରାମରେ ଦେଖା ଦେଇଛି ଅସନ୍ତୋଷ। ଏପରି ଦେଖିବାକୁ ମିଳିଛି କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକ ଅଁରା ଗ୍ରାମରେ।  ଗ୍ରାମରେ ଚୋରା ଦେଶୀ ମଦର କାରବାର ବ୍ୟାପକ ହେଉଛି। ପାନ ଗ୍ରୋସରୀ ଦୋକାନ ଠାରୁ ଅଧିକ ଖୋଲିଛି ଦେଶୀ ମଦ ଦୋକାନ। ଏହି ଦେଶୀ ମଦ ପିଇ ଗତ କିଛି ମାସ ଭିତରେ ୫ରୁ ଉର୍ଦ୍ଧ ଲୋକଙ୍କ ମୃତ୍ୟୁ ଘଟିଲାଣି। ଗତକାଲି ଗ୍ରାମର ନାଥ ମୁଣ୍ଡା(୪୦)ଙ୍କ ସନ୍ଦେହ ଜନକ ମୃତ୍ୟୁକୁ ନେଇ ଗ୍ରାମରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ସେ ଏହି ଦେଶୀ ମଦ ପିଇ ମୃତ୍ୟୁ ବରଣ କରିଥିବା ନାଥଙ୍କ ପରିବାର ଲୋକେ ଅନୁମାନ କରୁଥିବା କହିଛନ୍ତି। ଗାଁ ରୁ ମଦ ବନ୍ଦ ପାଇଁ ଅନେକ ପ୍ରୟାସ କରାଯାଇ ଥିଲେ ମଧ୍ୟ କୌଣସି ସୁଫଳ ମିଳିପାରିନି। ପୋଲିସ ଓ ଅବକାରୀ ବିଭାଗ ଯାହାକୁ ବି ଧରିଛନ୍ତି ତା ପରଦିନ ଛାଡି ଦେବାପରେ ସମ୍ପୃକ୍ତ ଚୋରା ମଦ ବ୍ୟବସାୟୀ ଅଧିକ ଜୋରସୋରରେ ମଦ ବେପାର କରୁଛନ୍ତି। ଏପରିକି ତେଜରାତି ପାନ ଦୋକାନ ନାମରେ ଦୋକାନ ଖୋଲି କେବଳ ମଦ ବ୍ୟବସାୟ କରୁଛନ୍ତି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ଯେ ବିଦେଶୀ ମଦ ଠାରୁ ଅଧିକ ନିଶାଯୁକ୍ତ ଦେଶିମଦର ଚାହିଦା ଢେର ଅଧିକ। ପ୍ରତିଦିନ ଶହ ଶହ ଲୋକ ଏହି ମଦ ଖାଇ ଗାଁରେ ଅରାଜକତା ସୃଷ୍ଟି କରୁଥିବା ବେଳେ ମହିଳା ମାନେ ବାହାରକୁ ବାହାରି ପାରୁ ନାହାନ୍ତି।  ଗୋଟିଏ ପଟେ ଦେଶୀ ମଦ ବେପାର ଉପରେ ରୋକ ଲଗାଇବାକୁ  ଅବକାରୀ ବିଭାଗର ପ୍ରତିଶୃତି ପାଣିରେ ଗାର ଭଳି ଲାଗୁଚି। ଏହି ବେପାର କମିବା ଅପେକ୍ଷା ଦିନକୁ ଦିନ ବଢ଼ିବାରେ ଲାଗିଥିବାରୁ ଲୋକେ ଅତିଷ୍ଠ ହେଲେଣି। ଗାଁର ମହିଳା ମାନେ ଏହାକୁ ନେଇ ବିରୋଧ ଆରମ୍ଭ କରୁଥିଲେ ମଧ୍ୟ ଅବକାରୀ ବିଭାଗ ର ନୀରବତା ଯୋଗୁଁ ସବୁ ଆନ୍ଦୋଳନ ଫସର ଫାଟି ଯାଉଛି। ତେବେ ଏହି ଦେଶୀ ମଦ ଆଉ ମୁଣ୍ଡ କେତେ ନବ ତାହାକୁ ନେଇ ଲୋକେ ପ୍ରଶ୍ନ କରିଛନ୍ତି। ମୁଣ୍ଡା ସାହିରେ ଜଣେ ପରେ ଜଣେ ଲୋକଙ୍କ ମୃତ୍ୟୁ ଘଟୁଥିବାରୁ ଅଁରା ପଞ୍ଚାୟତର ସରପଞ୍ଚ ମମତା ବେହେରା ଉଦବେଗ ପ୍ରକାଶ କରିବା ସହିତ ପ୍ରଶାସନ ଏ ଦିଗରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛନ୍ତି। ସେହିପରି ପୂର୍ବତନ ସରପଞ୍ଚ ଅନିରୁଦ୍ଧ ନାୟକ, ବିଶ୍ୱମ୍ବର ବେହେରା, ମାନ କୁମାର ଦାସ, ଅଭିମନ୍ୟୁ ପାରିଡା, କାର୍ତ୍ତିକେଶ୍ୱର ଖଣ୍ଡେଇ, କାଳିଆ ନାୟକ, ଅର୍ଜୁନ ଜେନା, ନାରାୟଣ ପରିଡା, ଯୋଗେନ୍ଦ୍ର ଜେନା, ବିନୋଦ ଖୁଣ୍ଟିଆ, ନାରାୟଣ ଦାସ, ଗୀତାରାଣୀ ଦାସ, ଗୁଞ୍ଜର ଦାସ, ଶ୍ରୀୟା ଦାସ, ଶକୁନ୍ତଳା ଜେନା, ଦମୟନ୍ତୀ ପରିଡା, ଗୀତାଞ୍ଜଳି ଜେନା, ସରସ୍ବତୀ ଜେନା, ମମତା ବେହେରା, ନୀଳିମା ଜେନା, ତୁଳସୀ ଦାସ, ରୀନାଲତା ଦାସ, ସଞ୍ଜୟ ଦାସ, ବିଜୟ ଦାସ, ଅଶୋକ ଦାସ, କିଶୋର ଦାସ, ଶ୍ରୀଧର ବେହେରା, ଶ୍ୟାମ ଶଙ୍ଖୁଆ, ସୋରେନ ମୁଣ୍ଡା, ଟାଙ୍ଗୁରୁ ମୁଣ୍ଡା, ବଳିଆ ମୁଣ୍ଡା, ପବନ ମୁଣ୍ଡା, ଵାପିନ ମୁଣ୍ଡା ପ୍ରମୁଖ ଗାଁ ରୁ ଚୋରା ମାଡ଼ବ୍ୟବସାୟ ହଟାଇବାକୁ ଦାବି କରିଛନ୍ତି ନଚେତ ଆନ୍ଦୋଳନା ତ୍ମକ ପନ୍ଥା ଗ୍ରହଣ କରିବାକୁ ଚେତାବନୀ ଦେଇଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ