ମଣ୍ଡିରୁ ଉଠୁନି ଧାନ, ଚାଷୀ ହତାଶ

ହାଟଡିହି (ଓ୍ବାଇଏନଏସ): ସରକାର ଧାନ କିଣା କ୍ଷେତ୍ରରେ ଚାଷୀଙ୍କ ସୁବିଧା ପାଇଁ କେତେ କଣ ନିୟମ ଆଣିଛନ୍ତି, ହେଲେ ସବୁ ନୀତି ନିୟମ ଯେପରି କାଗଜ କଲମରେ ସୀମିତ ରହି ଯାଉଛି। ଚାଷୀମାନେ ମଣ୍ଡିରେ ଧାନ ପକାଉଥିବା ବେଳେ ମିଲର ଧାନ ଉଠାଉ ନଥିବାରୁ ଚାଷୀମାନେ ବାଧ୍ୟ ହୋଇ ରାତି ଉଜାଗର ହୋଇ ଧନକୁ ଜଗି ରହୁଛନ୍ତି। ଖୋଲା ମେଲାରେ ଧାନ କିଣା ହେଉ ଥିବାରୁ ବୁଲା ଗୋରୁ, ଗାଈ ଓ ଷେଣ୍ଢ ମାନଙ୍କ ଖାଦ୍ୟ ପାଲଟିଛି ଚାଷୀଙ୍କ ଉତ୍ପାଦିତ ଧାନ। ଏପରି ଅଭିଯୋଗ କରିଛନ୍ତି ଶାଳଣିଆଁ ମଣ୍ଡିର ଚାଷୀମାନେ। ଅନେକ ଚାଷୀ ମଣ୍ଡିରେ ଧାନ ପକାଇ ଥିବାବେଳେ ଧାନ ଉଠୁ ନଥିବା ସୁରେନ୍ଦ୍ର ବାରିକ, ବନବିହାରୀ ଜେନା, ସୁଦର୍ଶନ ପଣ୍ଡା, ଅରୁଣ ମଲ୍ଲିକ, ଅଭୟ ମଲ୍ଲିକ, ନନ୍ଦ କିଶୋର ଜେନା, ଅଭିମନ୍ୟୁ ଜେନା ପ୍ରମୁଖ ଅଭିଯୋଗ କରିଛନ୍ତି। ଅରୁଣ ମଲ୍ଲିକଙ୍କ ଅଭିଯୋଗ ଯେ ଏଠାରେ ରାସ୍ତା କଡରେ ଧାନ କିଣା ଯାଉଥିବା ବେଳେ ସେ ଆଜକୁ ଦଶ ଦିନ ହେଲା ଧାନ ପକାଇଛନ୍ତି। ଧାନ ଉଠୁ ନଥିବାରୁ ଦିନ ରାତି ଧାନ ଜଗିବା ସହିତ ପାଲ ଘୋଡାଇ ଧାନ ଜଗିଛନ୍ତି। ତାହାରି ଭିତରେ ଗୋରୁ ଗାଈ ୨୦ / ୩୦ କିଲ ଧାନ ଖାଇ ସାରିଲେଣି। କେବେ ଗାଡି ଆସିବ ତାର କିଛି ଠିକ ଠିକଣା ନାହିଁ ବୋଲି ଅଭିଯୋଗ କରିଛନ୍ତି। ସମ୍ପାଦକ ଉମାକାନ୍ତ ନାୟକଙ୍କ ସୂଚନା ଅନୁଯାଇ ଡ଼ଅଁର ସମବାୟ ସମିତି ଅଧୀନରେ ଚାରୋଟି ମଣ୍ଡି ଥିବାବେଳେ ୯୯୧୯୬ କୁଇଣ୍ଟାଲ ଧାନ କିଣିବାକୁ ଟାର୍ଗେଟ ଆସିଥିବା ବେଳେ ଆଜି ସୁଧା ଡ଼ଅଁର ଓ କଳିଗାଁ ମଣ୍ଡିରୁ ୩୬୩୫୦ କୁଇଣ୍ଟାଲ ଏବଂଶାଳଣିଆଁ ଓ ଗୋଡ଼ମା ମଣ୍ଡିରୁ ୨୫୯୩୭ କୁଇଣ୍ଟାଲ ଧାନ କିଣା ହୋଇଛି । କିନ୍ତୁ ମୋଟ ୬୨୨୮୮ କୁଇଣ୍ଟାଲ ଧାନ କିଣା ହୋଇଥିଲା ବେଳେ ୫୬୯୮୭ କୁଇଣ୍ଟାଲ ଧାନ ବିଭିନ୍ନ ମିଲ କୁ ଉଠାଣ ହୋଇଛି । ଏବେବି ୫୩୦୧ କୁଇଣ୍ଟାଲ ଧାନ ମଣ୍ଡିରେ ଗଛିତ ଅଛି। ମିଲର ଗାଡି ପଠାଉ ନଥିବାରୁ ଧାନ ପଡି ରହିଛି ବୋଲି ସେ କହିଛନ୍ତି। ପ୍ରଶାସନ ଏନେଇ ପଦକ୍ଷେପ ଗ୍ରହଣ କରିବାକୁ ଚାଷୀମାନେ ଦାବି କରିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ