ପଞ୍ଚାୟତ ସମିତି ବୈଠକରେ ଉତେଜନା: ବିଧାୟକଙ୍କ ହସ୍ତକ୍ଷେପ ପରେ ଶୃଙ୍ଖଳିତ ହେଲା ବୈଠକ
ନାଉଗାଁ(ଓ୍ବାଇଏନଏସ): ଜଗତସିଂହପୁର ଜିଲ୍ଲା ନାଉଗାଁ ପଂଚାୟତ ସମିତି ସମ୍ମିଳନୀ କକ୍ଷରେ ବୁଧବାର ବିକଶିତ ଗାଁ ବିକଶିତ ଓଡିଶାର ସ୍ୱତନ୍ତ୍ର ପଂଚାୟତ ସମିତି ବୈଠକ ଅନୁଷ୍ଠିତ ହୋଇଥିଲା। ବିଧାୟକଙ୍କ ଅମରେନ୍ଦ୍ର ଦାସଙ୍କ ଅନୁମତିକ୍ରମେ ବିଭିନ୍ନ ପଂଚାୟତର ଜନ ପ୍ରତିନିଧିମାନେ କିଛି ପ୍ରସ୍ତାବ ରଖିଥିଲେ। ଯାହାକୁ ବିଡିଓ ଆଶୁତୋଷ ମିଶ୍ର ବିରୋଧ କରିଥିଲେ। ଏପରିକି ବିଡିଓ ମିଶ୍ର ବ୍ଳକକୁ ଆସୁ ନଥିବାରୁ ଉନ୍ନୟନ ମୂଳକ କାର୍ଯ୍ୟରେ ବାଧା ସୃଷ୍ଟି ହେଉଥିବା ବ୍ଳକ ଉପାଧ୍ୟକ୍ଷ ସୁଜିତ ପୁହାଣ ମତବ୍ୟକ୍ତ କରିଥିଲେ। ଏହି ବକ୍ତବ୍ୟ ପରେ ଉପାଧ୍ୟକ୍ଷ କିଏ ତାଙ୍କୁ ଚିହ୍ନି ନଥିବା ବିଡିଓ ଉତର ଦେଇଥିଲେ। ଯାହାଫଳରେ ବୈଠକରେ ଯୋଗ ଦେଇଥିବା ପଂଚାୟତ ପ୍ରତିନିଧି ଯଥା ଡାବର ସମିତି ସଭ୍ୟ ସୁବଳ ବେହେରା, ଘୋଡାଂଶ ସମିତି ସଭ୍ୟ ତରୁଣକାନ୍ତ ବାରିକ, ବଛାଳୋ ସମିତି ସଭ୍ୟ ଚନ୍ଦନ ଲେଙ୍କା ଆଦି ବିଡିଓଙ୍କ ଉକ୍ତିକୁ ନେଇ ବିରୋଧ କରିଥିଲେ। ଏପରିକି ବିଡିଓ ଦୀର୍ଘ ୪ମାସ ହେବ ଉକ୍ତ ବ୍ଳକର ଦାୟିତ୍ୱରେ ରହିଥିବା ବେଳେ ୪ଥର ବ୍ଳକକୁ ଆସି ନଥିବା କହିଥିଲେ। ପଂଚାୟତ ପ୍ରତିନିଧିମାନେ ନିଜ ଆସନରୁ ଉଠି କିଛି ସମୟ ହୋ ହାଲ୍ଲା କରିଥିଲେ। ଯାହାଫଳରେ ବୈଠକ ବନ୍ଦ ରହିଥିଲା। ବିଧାୟକ ଦାସ ପଂଚାୟତ ପ୍ରତିନିଧିଙ୍କୁ ବୁଝାବୁଝି କରିବା ସହିତ ପ୍ରଶାସନ ଓ ଜନ ପ୍ରତିନିଧିଙ୍କ ସହ ସମନ୍ୱୟ ରକ୍ଷା କରି କାର୍ଯ୍ୟ କରିବା ପାଇଁ ପରାମର୍ଶ ଦେଇଥିଲେ। ଅପରପକ୍ଷେ ବିଡିଓ ମିଶ୍ର ଉକ୍ତ ବ୍ଳକକୁ ସପ୍ତାହକୁ ୩-୪ ଥର ଆସିବା ପାଇଁ କହିଥିଲେ। ଯଥାଶୀଘ୍ର ଏହି ବ୍ଳକକୁ ନୂତନ ବିଡିଓ ଯୋଗ ଦେବାର ବ୍ୟବସ୍ଥା କରାଯିବାର ପ୍ରତିଶ୍ରୁତି ଦେବା ପରେ ପଂଚାୟତ ପ୍ରତିନିଧି ମାନେ ନିଜ ନିଜ ଆସନରେ ବସିଥିଲେ। ପରେ ବୈଠକରେ ବିଭିନ୍ନ ପ୍ରସ୍ତାବ ଉପରେ ଆଲୋଚନା କରାଯାଇଥିଲା। ଏସଂକ୍ରାନ୍ତରେ ବିଡିଓ ମିଶ୍ରଙ୍କର କୌଣସି ମତାମତ ମିଳିପାରିନାହିଁ। ପଂଚାୟତ ସମିତି ଅଧ୍ୟକ୍ଷା ତୃଷ୍ଣା ଲେଙ୍କାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସଭାରେ ମୁଖ୍ୟ ଅତିଥି ଭାବେ ବିଧାୟକ ଦାସ, ଉପାଧ୍ୟକ୍ଷ ସୁଜିତ ପୁହାଣ,ଜିଲ୍ଲା ପରିଷଦ ସଭ୍ୟା ଅମିତା ସ୍ୱାଇଁ,ସାଂସଦଙ୍କ ପ୍ରତିନିଧି ଲଲାଟେନନ୍ଦୁ ପରିଡା ପ୍ରମୁଖ ଯୋଗ ଦେଇଥିଲେ।ଏହି ବୈଠକରେ ପଂଚାୟତମାନଙ୍କରୁ ଗ୍ରାମସଭା ମାଧ୍ୟମରେ ସ୍ଥିରୀକୃତ ହୋଇ ଆସିଥିବା ବିଭିନ୍ନ ପ୍ରକଳ୍ପ ଗୁଡିକୁ ଅନୁମୋଦନ କରାଯାଇଥିଲା। ଚଳିତ ବର୍ଷ ବ୍ଳକର ୧୬ଟି ପଂଚାୟତ ପାଇଁ ବିକଶିତ ଗାଁ ବିକଶିତ ଓଡିଶା ଯୋଜନାରେ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ବାବଦକୁ ୧ କୋଟି ୮୮ ଲକ୍ଷ ୪୮ ହଜାର ୨୬୭ ଟଙ୍କା ବ୍ୟୟ କରାଯିବ ବୋଲି ବୈଠକରେ ଜଣାଯାଇଛି। ଏହି ବୈଠକରେ ପ୍ରଶାସନିକ ଅଧିକାରୀଙ୍କ ସମେତ ବିଭିନ୍ନ ପଂଚାତର ଜନ ପ୍ରତିନିଧି ଯୋଗ ଦେଇଥିଲେ।