ପଞ୍ଚୁଗୋଛିଆ ପଞ୍ଚାୟତ କ୍ରିକେଟ ଲିଗ: ଭିକ୍ଟୋରି ଭାଇପର୍ସ ଓ ମା ଦୁର୍ଗା ୱାରିଅର୍ସ ବିଜୟୀ

ହାଟଡିହି (ଓ୍ବାଇଏନଏସ): ପଞ୍ଚୁଗୋଛିଆ ପଞ୍ଚାୟତ କ୍ରିକେଟ ଆସୋସିଏସନ ଆନୁକୂଲ୍ୟରେ ଆୟୋଜିତ ଦ୍ୱିତୀୟ ବାର୍ଷିକ ପଞ୍ଚାୟତ ପ୍ରିମିୟର ଲିଗ ୨୦୨୫ ର ଆଜି ସପ୍ତମ ଦିବସର ଖେଳ ମା ଗୋପଲକ୍ଷ୍ମୀ ପଡିଆରେ ଅନୁଷ୍ଠିତ ହୋଇଯାଇଛି l ଘସିପୁରା ତହସିଲର ଅତିରିକ୍ତ ତହସିଲଦାର  ସରୋଜ ପଣ୍ଡା ଓ ସରପଞ୍ଚ ଦୀନେଶ କୁମାର ସେଠି ମୁଖ୍ୟ ଅତିଥି ଭାବେ ଯୋଗଦେଇ ଖେଳ ଆରମ୍ଭ କରିଥିଲେ l ପ୍ରଥମ ମ୍ୟାଚରେ ଇଲାଇଟ ଇଲେଭେନ ବିପକ୍ଷରେ ଭିକ୍ଟୋରି ଭାଇପର୍ସ ଦଳ ଟସ ଜିତି ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା l ଆରମ୍ଭରୁ ଭିକ୍ଟୋରି ଭାଇପର୍ସ ଦଳର ଦୁଇ ଓପନର ଅଧିନାୟକ ଆକାଶ ଏବଂ ସତ୍ୟପ୍ରିୟ ଧୂଆଁଧାର ବ୍ୟାଟିଂ କରି ନିର୍ଦ୍ଧାରିତ ୧୦ ଓଭରରେ ୫ ଉଇକେଟ ହରାଇ ବିଶାଳ ୧୬୭ ରନ କରିଥିଲା l ୧୬୮ ରନର ବିଜୟ ଲକ୍ଷ୍ୟ ନେଇ ପଡିଆକୁ ଓଲ୍ହାଇଥିବା ଇଲାଇଟ ଇଲେଭେନ ଦଳ ସମାନ ଆକ୍ରମଣାତ୍ମକ ଖେଳ ଖେଳିଥିଲେ ମଧ୍ୟ ସମୟ ବ୍ୟବଧାନରେ ଉଇକେଟ ହରାଇ ନିର୍ଦ୍ଧାରିତ ୧୦ ଓଭରରେ ୫ ଗୋଟି ଉଇକେଟ ହରାଇ ୧୦୩ ରନ କରିବାକୁ ସକ୍ଷମ ହୋଇଥିଲା l ଭିକ୍ଟୋରି ଭାଇପର୍ସ ଦଳ ଏହି କର ବା ମର ମ୍ୟାଚକୁ ୬୪ ରନରେ  ଜିତି କ୍ୱାଲିଫାୟାର ଖେଳିବାପାଇଁ ଯୋଗ୍ୟ ବିବେଚିତ ହୋଇଥିଲା l ଉତ୍କୃଷ୍ଟ ଖେଳ ପ୍ରଦର୍ଶନ କରି ଆଲୋକ ନାୟକ ମ୍ୟାଚର ଶ୍ରେଷ୍ଠ ଖେଳାଳୀ ବିବେଚିତ ହୋଇଥିଲେ l ସେହିଭଳି ଦ୍ୱିତୀୟ ମ୍ୟାଚରେ ମା ଦୁର୍ଗା ୱାରିଅର୍ସ ବିପକ୍ଷରେ ରୟାଲ ବୁଲସ ଦଳ ଟସ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା l ରୟାଲ ବୁଲସ ଦଳ ନିର୍ଦ୍ଧାରିତ ୧୦ ଓଭରରେ ୮ ଗୋଟି ଉଇକେଟ ହରାଇ ୧୦୭ ରନ କରିଥିଲା l ୧୦୮ ରନର ବିଜୟ ଲକ୍ଷ୍ୟ ନେଇ ପଡିଆ କୁ ଓଲ୍ହାଇଥିବା ମା ଦୁର୍ଗା ୱାରିଅର୍ସ ଦଳ ଲଢୁଆ ବ୍ୟାଟିଂ ପ୍ରଦର୍ଶନ କରି ଶେଷ ଓଭରରେ ୬ ଉଇକେଟ ହରାଇ ଆବଶ୍ୟକୀୟ ରନ କରିବାକୁ ସକ୍ଷମ ହୋଇଥିଲା l ମା ଦୁର୍ଗା ୱାରିଅର୍ସ ରୋମାଞ୍ଚ ପୂର୍ଣ୍ଣ ଏହି ମ୍ୟାଚକୁ ୪ ଉଇକେଟରେ ବିଜୟ ହାସଲ କରିଥିଲା l ଅରବିନ୍ଦ ସାହୁ ଅଲରାଉଣ୍ଡ ଖେଳ ପ୍ରଦର୍ଶନ କରି ମ୍ୟାଚର ଶ୍ରେଷ୍ଠ ଖେଳାଳୀ ବିବେଚିତ କରାଯାଇଥିଲା l ଅମ୍ପାୟାର ଭାବେ ରଶ୍ମିରଂଜନ ରାଉତ ଓ ଜ୍ୟୋତି ରଞ୍ଜନ ଧଳ ମ୍ୟାଚ ପରିଚାଳନା କରିଥିଲେ l ସ୍କୋରର ଭାବେ ବୁଦ୍ଧଦେବ ଜେନା, ବାଦଲ ଜେନା, ରମେଶ ପତି ଓ ବିବେକାନନ୍ଦ ବେହେରା, ମଳୟ ମଲ୍ଲିକ, ସ୍ୱୟଂପ୍ରକାଶ ମଲ୍ଲିକ ଏବଂ ଭାଷ୍ୟକାର ଭାବେ ଚୈତନ୍ୟ କାଣ୍ଡି ଓ ପୂର୍ଣ୍ଣଚନ୍ଦ୍ର ବାରିକ ଦାୟିତ୍ୱ ନିର୍ବାହ କରିଥିଲେ l କ୍ଲବର ସମସ୍ତ ସଭ୍ୟ ମାନେ ମ୍ୟାଚ ପରିଚାଳନା କରିବାରେ ସହଯୋଗ କରିଥିଲେ l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ