ପଞ୍ଚୁଗୋଛିଆ ପଞ୍ଚାୟତ ପ୍ରିମିୟର ଲିଗ, ରୟାଲ ବୁଲସ ଓ ଫ୍ଲାଇଙ୍ଗ ଏଭିଏଟର ବିଜୟୀ
ହାଟଡିହି (ଓ୍ବାଇଏନଏସ): ପଞ୍ଚୁଗୋଛିଆ ପଞ୍ଚାୟତ କ୍ରିକେଟ ଆସୋସିଏସନ ଆନୁକୂଲ୍ୟରେ ଆୟୋଜିତ ଦ୍ୱିତୀୟ ବାର୍ଷିକ ପଞ୍ଚାୟତ ପ୍ରିମିୟର ଲିଗ ୨୦୨୫ ର ଆଜି ଚତୁର୍ଥ ଦିନର ଖେଳ ମା ଜାଗୁଳାଇ ପଡିଆରେ ଅନୁଷ୍ଠିତ ହୋଇଯାଇଛି । ପ୍ରଥମ ମ୍ୟାଚରେ ଭିକ୍ଟୋରି ଭାଇପର୍ସ ଦଳ ବିପକ୍ଷରେ ରୟାଲ ବୁଲସ ଟସ ଜିତି ବ୍ୟାଟିଂ କରିବା ପାଇଁ ନିଷ୍ପତ୍ତି ନେଇଥିଲା। ରୟାଲ ବୁଲସ ଦଳ ନିର୍ଦ୍ଧାରିତ ୧୦ ଓଭରରେ ୯ ଉଇକେଟ ହରାଇ ୧୩୫ ରନ କରିଥିଲା। ପରେ ଭିକ୍ଟୋରି ଭାଇପର୍ସ ଦଳ ୧୦ ଓଭର ରେ ୮ ଗୋଟି ଉଇକେଟ ହରାଇ ୧୦୧ ରନ କରି ୩୧ ରନରେ ପରାଜୟ ବରଣ କରିଥିଲା। ମିଥୁନ ଜେନା ଅଲରାଉଣ୍ଡ ଖେଳ ପ୍ରଦର୍ଶନ କରି ମ୍ୟାଚର ଶ୍ରେଷ୍ଠ ଖେଳାଳୀ ବିବେଚିତ ହୋଇଥିଲେ । ସେହିଭଳି ଦ୍ୱିତୀୟ ମ୍ୟାଚରେ ଫ୍ଲାଇଙ୍ଗ ଏଭିଏଟର ବିପକ୍ଷରେ ଇଲାଇଟ ଇଲେଭେନ ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା। ଅରୂପାନନ୍ଦ ସେଠି ଧୂଆଁଧାର ଅଧିନାୟକ ପାରି ବଳରେ ଫ୍ଲାଇଙ୍ଗ ଏଭିଏଟର ନିର୍ଦ୍ଧାରିତ ୧୦ ଓଭରରେ ୪ ଗୋଟି ଉଇକେଟ ହରାଇ ୧୧୯ ରନ କରିଥିଲା । ୧୨୦ ରନର ବିଜୟ ଲକ୍ଷ ନେଇ ପଡିଆ କୁ ଓଲ୍ହାଇଥିବା ଇଲାଇଟ ଇଲେଭେନ ଦଳ ନିର୍ଦ୍ଧାରିତ ୧୦ ଓଭରରେ ୯ ଉଇକେଟ ହରାଇ ୧୦୪ ରନ କରିବାକୁ ସକ୍ଷମ ହୋଇଥିଲା। ଫ୍ଲାଇଙ୍ଗ ଏଭିଏଟର ଏହି ମ୍ୟାଚକୁ ୧୫ ରନରେ ଜିତି ପ୍ରଥମ ବିଜୟ ହାସଲ କରିଥିଲା। ଅଧିନାୟକ ପାରି ଖେଳିଥିବା ଅରୂପାନନ୍ଦଙ୍କୁ ମ୍ୟାଚର ଶ୍ରେଷ୍ଠ ଖେଳାଳୀ ବିବେଚିତ କରାଯାଇଥିଲା ଏବଂ ଟୁର୍ନାମେଣ୍ଟର ସର୍ବାଧିକ ସ୍କୋର କରି ଅରେଞ୍ଜ କ୍ୟାପ ହାସଲ କରିବାରେ ସମର୍ଥ ହୋଇଥିଲେ l ଅମ୍ପାୟାର ଭାବେ ସତ୍ୟବ୍ରତ ସାହୁ ଓ ନିରଞ୍ଜନ ବାରିକ ମ୍ୟାଚ ପରିଚାଳନା କରିଥିଲେ । ସ୍କୋରର ଭାବେ ବିଶ୍ୱଜିତ ରଣା, ସ୍ୱୟଂ ପ୍ରକାଶ ମଲ୍ଲିକ, ରାଜେଶ ଗିରି ଓ ବିବେକାନନ୍ଦ ବେହେରା, ଭାଷ୍ୟକାର ଭାବେ ଚୈତନ୍ୟ କାଣ୍ଡି ଓ ଧ୍ୟାନ ରଞ୍ଜନ ଦାସ ଦାୟିତ୍ୱ ନିର୍ବାହ କରିଥିଲେ। କ୍ଲବର ସମସ୍ତ ସଦସ୍ୟ ମାନେ ମ୍ୟାଚ ପରିଚାଳନା କରିଥିଲେ ।


