ନୂତନ ସରକାରୀ ବସଷ୍ଟାଣ୍ଡକୁ ପଶୁନାହିଁ ଯାତ୍ରୀବାହୀ ବସ: ଯାତ୍ରୀଙ୍କ ମଧ୍ୟରେ ବଢୁଛି ଅସନ୍ତୋଷ

ବେତନଟୀ ( ଉଦିତ କୁମାର ପରିଡା ) : ଓଡିଶା ସରକାରଙ୍କ ବାଣିଜ୍ୟ ଓ ପରିବହନ ବିଭାଗ ଅଧୀନରେ ରହିଛି ୧୮ନମ୍ବର ଜାତୀୟ ରାଜପଥ ପାର୍ଶ୍ୱରେ ଥିବା ବେତନଟୀ ନୂତନ ସରକାରୀ ବସଷ୍ଟାଣ୍ଡ। ଏହି ବସଷ୍ଟାଣ୍ଡ ନିର୍ମାଣ ସରି ଲୋକାର୍ପଣ ଉତ୍ସବ ହେବାର ୧୮ ମାସ ବିତିଥିଲେ ମଧ୍ୟ ବସ ଷ୍ଟାଣ୍ଡକୁ କେବଳ ପୂର୍ବରୁ ଥିବା ଲକ୍ଷ୍ମୀ ବସ ଏବେର ମୋ ବସ ପ୍ରବେଶ କରୁଛି। ଅଣ ଓସାରିଆ ଆପ୍ରଚ ରୋଡ଼ ପାଇଁ ବସଗୁଡିକ ପ୍ରବେଶ ଓ ବାହାରିବା ସମସ୍ୟା ହେଉ ଥିବାବେଳେ ସମସ୍ତ ଘରୋଇ ବସ ପ୍ରବେଶ କରୁନଥିବା ଜଣାପଡିଛି। ଏଭଳିକି ରାଜ୍ୟ ପରିବହନ ନିଗମର ତିନୋଟି ଉଚ୍ଚ କ୍ଷମତା ସମ୍ପର୍ଣ୍ଣ ବିଳାସପୂର୍ଣ ବସ ମଧ୍ୟ ବେତନଟୀ ରାସ୍ତା ଦେଇ ପୁରୀ, ଭୁବନେଶ୍ୱର, ରାଉଲକେଲାକୁ ଯାତାୟାତ କରୁଥିଲେ ମଧ୍ୟ ବେତନଟୀ ବସଷ୍ଟାଣ୍ଡକୁ ପ୍ରବେଶ କରୁନଥିବାରୁ ଯାତ୍ରୀଙ୍କ ମହଲରେ ଅସନ୍ତୋଷ ସୃଷ୍ଟି ହୋଇଛି। ଦୀର୍ଘ ୫୦ବର୍ଷରୁ ଉର୍ଦ୍ଧ ଧରି ବେତନଟୀ ଠାରେ ଚାଲୁଥିଲା ଅସ୍ଥାୟୀ ବସଷ୍ଟାଣ୍ଡ, ଏହି ଅସ୍ଥାୟୀ ବସଷ୍ଟାଣ୍ଡ ସ୍ଥାନରେ ସ୍ଥାୟୀ ବସଷ୍ଟାଣ୍ଡ କରିବା ପାଇଁ ସରକାରୀ ଜମି ନଥିବାରୁ ଯାତ୍ରୀମାନଙ୍କ ସୁବିଧା ପାଇଁ ସରକାର ପୁଞ୍ଜି ବିନିଯୋଗ କରିବାରେ ପ୍ରତିବନ୍ଧକ ରହିଥିଲା। ବେତନଟୀ ଜନସାଧାରଣ ଓ ଗଣମାଧ୍ୟମ ପ୍ରତିନିଧି ମାନଙ୍କର ଦୀର୍ଘ ଦିନର ଦାବି ପରେ ପ୍ରଶସ୍ତ ସରକାରୀ ଜମି ଥିବା ସ୍ଥାନରେ ନିର୍ମାଣ ହେଲା ନୂତନ ସରକାରୀ ବସଷ୍ଟାଣ୍ଡ। ଏହି ସରକାରୀ ବସଷ୍ଟାଣ୍ଡ ୧୮ନମ୍ବର ଜାତୀୟ ରାଜପଥ ପାର୍ଶ୍ୱରେ ଥିବା ବଙ୍ଗଳାଛକ ନିକଟରେ ଅଗଷ୍ଟ ୨୩, ୨୦୨୩ ମସିହାରେ ସରକାରଙ୍କ ପକ୍ଷରୁ ନିର୍ମାଣ କରାଯାଇ ଲୋକାର୍ପଣ ଉତ୍ସବ ପାଳନ ହୋଇସାରିଛି। ଏହି ପାଳନ ହେବାର ୧୮ମାସ ବିତିଥିଲେ ମଧ୍ୟ ବସ ଗୁଡିକ ପ୍ରବେଶ କରୁନଥିବାରୁ ଯାତ୍ରୀ ମହଲରୁ ଅସନ୍ତୋଷ ବୃଦ୍ଧି ପାଉଛି। ଯାତ୍ରୀମାନଙ୍କୁ ପୂର୍ବ ଭଳି ୧୮ ନମ୍ବର ଜାତୀୟ ରାଜପଥ ଉଭୟ ପାର୍ଶ୍ୱରେ ଖରା ବର୍ଷ ଶୀତ କାକର ରେ ଠିଆ ହୋଇ ବସ କୁ ଅପେକ୍ଷା କରିବାକୁ ପଡୁଛି। ଏଭଳିକି ଯାତ୍ରୀମାନଙ୍କ ପାଇଁ ବିଶ୍ରାମଗୃହ ଶୌଚାଳୟ ପାନୀୟଜଳ ସାଧାରଣ ସୁବିଧାରୁ ପୁରୁଷ ସମେତ ମହିଳା ଯାତ୍ରୀମାନେ ବଞ୍ଚିତ ହେଉଛନ୍ତି। ଏହି ରାସ୍ତା ଦେଇ ପ୍ରତିଦିନ ମୟୂରଭଞ୍ଜ ଜିଲ୍ଲାର ସମଗ୍ର ଅଞ୍ଚଳକୁ ବସ ଯାଉଥୁବା ବେଳେ ବାଲେଶ୍ୱର ଭୁବନେଶ୍ୱର ପୁରୀ ରାଉରକେଲା କେନ୍ଦୁଝର ଝାରସୁଗୁଡା ସମ୍ବଲପୁର ଅନୁଗୁଳ ପ୍ରମୁଖ ସ୍ଥାନକୁ ଯିବା ଆସିବା ପାଇଁ ଯାତ୍ରୀମାନେ ପ୍ରତିଦିନ ରାତି ୩ ଟା ରୁ ବିଳମ୍ବିତ ରାତି ପର୍ଯ୍ୟନ୍ତ ବସରେ ଯିବା ଆସିବା କରିବା ପାଇଁ ଅପେକ୍ଷା କରିରହୁଛନ୍ତି। ବସଗୁଡିକ ଜାତୀୟ ରାଜପଥର ଅଣ ଓସାରିଆ ଆପ୍ରଚ ରୋଡ଼ରେ ଠିଆ ହୋଇ ରହୁଥିବାରୁ ଟ୍ରାଫିକ ସମସ୍ୟାରେ ବାଧା ସୃଷ୍ଟି ହେଉଥିବା ସହ ସଡ଼କ ଦୁର୍ଘଟଣାକୁ ଏଡାଇ ଦିଆଯାଇନପାରେ। ଏବେ ଅନବରତ ଛୀନତାଇ ସମସ୍ୟା ବୃଦ୍ଧି ପାଉଥିବା ବେଳେ ରାଜପଥ ପାର୍ଶ୍ଵରେ ରାତ୍ରି ସମୟରେ ଯାତ୍ରୀମାନଙ୍କ ମଧ୍ୟରେ ଅଧିକ ଭୟ ସୃଷ୍ଟିର କାରଣ ସାଜୁଛି ଏଣୁ ଯାତ୍ରୀଙ୍କ ସୁରକ୍ଷା ନିମନ୍ତେ ବସ ଗୁଡିକ ନୂତନ ବସଷ୍ଟାଣ୍ଡ କୁ ପ୍ରବେଶ କରିବା ଅତିଜରୁରୀ। ଏବାବଦରେ ମୟୂରଭଞ୍ଜ ବସ ସିଣ୍ଡିକେଟର ସଦସ୍ୟ ପ୍ରକାଶ କୁମାର ବେହେରା କହନ୍ତି ୧୮ନମ୍ୱର ଜାତୀୟ ରାଜପଥର ବେତନଟୀ ଥାନା ଛକ ଗୋଳାପୋଲ ଠାରୁ ନୂତନ ବସଷ୍ଟାଣ୍ଡ ପର୍ଯ୍ୟନ୍ତ ଗୋଟିଏ ପଥରେ ବସ ପ୍ରବେଶ ଓ ଅନ୍ୟ ପଥରେ ବସ ବାହାରିବା ପାଇଁ ଆପ୍ରଚ ରୋଡ଼ ନିର୍ମାଣ ହେଲେ ଏହି ପ୍ରତିବନ୍ଧକ ଦୂର ହୋଇପାରିବ। ବେତନଟୀ ବାର ଆସସିଏସନର ସମ୍ପାଦକ ପ୍ରବୀର ବାରିକ କହନ୍ତି ୧୮ନମ୍ବର ଜାତୀୟ ରାଜପଥରୁ ନୂତନ ବସଷ୍ଟାଣ୍ଡକୁ ସଂଯୋଗ କରୁଥିବା ଆପ୍ରଚ ରୋଡ଼ ପ୍ରଶସ୍ତି କରଣ ହେଲେ ଯାଇ ସମସ୍ତ ବସ ବସଷ୍ଟାଣ୍ଡକୁ ପ୍ରବେଶ କରିପାରିବ। ଏସମ୍ପର୍କରେ ଆଇନଜୀବୀ ସତ୍ୟକାମ ପଣ୍ଡା ଓ ଅଟୋ ଚାଳକ ସଂଘର ସଦସ୍ୟ ଅରୁଣ କୁମାର ସାହୁ କହନ୍ତି ସରକାରୀ ଓ ବେସରକାରୀ ବସ ପ୍ରଥମେ ପଶୁଥିଲା ଲମ୍ବା ବସ ହେତୁ ବୁଲିବାରେ ଅସୁବିଧା ହେଲା, ବସଷ୍ଟାଣ୍ଡ ନିର୍ମାଣ ପୂର୍ବରୁ ଏହି ଆପ୍ରଚ ରୋଡ଼ ପ୍ରତି ଧ୍ୟାନ ଦେବାର ଆବଶ୍ୟକତା ଥିଲା, ଆପ୍ରଚ ରୋଡ଼ ହେବା ପାଇଁ ଯଥେଷ୍ଟ ସରକାରୀ ଜାଗା ରହିଥିବା ନିଜର ମତ ସାବ୍ୟସ୍ତ କରିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ