ବିଇଓ ଏବଂ ପୋଲିସ୍ ଉପସ୍ଥିତିରେ କୁଆଡ ସ୍କୁଲ ବିବାଦର ଶାନ୍ତି ପୁର୍ଣ୍ଣ ସମାଧାନ
ହାଟଡିହି (ଓ୍ବାଇଏନଏସ): ହାଟଡିହି ବ୍ଲକ ସମଣା ପଞ୍ଚାୟତ କୁଆଦ ସ୍କୁଲର ପ୍ରଧାନ ଶିକ୍ଷକ ବିଦ୍ୟାଳୟରେ ଅନେକ ଅନିୟମିତତା କରିଥିବା ନେଇ ଗ୍ରାମର ଗୋଟିଏ ଗୋଷ୍ଠୀ ଅଭିଯୋଗ କରିବା, ବ୍ଲକ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଏହାର ତଦନ୍ତ ହେବା ଘଟଣା ପରେ ପରିସ୍ଥିତି ଭିନ୍ନ ମୋଡ଼ ନେଇଥିଲା। ପ୍ରଧାନ ଶିକ୍ଷକଙ୍କ ବିରୁଦ୍ଧରେ କିଛି ନିର୍ଦ୍ଦିଷ୍ଟ ବ୍ୟକ୍ତି ମିଥ୍ୟା ଅଭିଯୋଗ କରି ସ୍କୁଲକୁ ବଦନାମ କରୁଥିବା ଅଭିଯୋଗ କରି ଗତକାଲି ୩୦ରୁ ଉର୍ଦ୍ଧ୍ବ ମହିଳା ସ୍କୁଲ ଫାଟକରେ ତାଲା ପକାଇ ଦେଇଥିଲେ। ଫଳରେ ବିଦ୍ୟାଳୟର ଛାତ୍ରଛାତ୍ରୀ ମାନେ ସ୍କୁଲ ଭିତରକୁ ଯାଇ ନପାରି ଘରକୁ ଫେରିଥିଲେ। ଏପରିକି ଏହାକୁ ନେଇ ଦୁଇ ଗୋଷ୍ଠୀଙ୍କ ଭିତରେ ହାତାହାତି ହୋଇଥିଲେ। ମହିଳା ମାନେ ଥାନାକୁ ଯାଇ ସେମାନଙ୍କୁ ଆକ୍ରମଣ କରଯାଇଥିବା ଅଭିଯୋଗ କରିଥିଲେ। ଏହାକୁ ନେଇ ଗ୍ରାମରେ ଦୁଇ ଗୋଷ୍ଠୀଙ୍କ ମଧ୍ୟରେ ଉତ୍ତେଜନା ଲାଗି ରହିଥିଲା। ଆଜି ହାଟଡିହି ବ୍ଲକ ଶିକ୍ଷା ଅଧିକାରୀ ରାଜୀବ ଦଳେଇ, ନନ୍ଦିପଦା ଥାନା ଏଏସଆଇ ଗୋପାଳ କୃଷ୍ଣ ମିଶ୍ର , ସିଆରସିସି ଵିନୋଦ ଜେନା ପ୍ରମୁଖ ଉକ୍ତ ସ୍କୁଲରେ ପହଞ୍ଚି ବିଦ୍ୟାଳୟ ପରିଚାଳନା କମିଟିର ସଦସ୍ୟ ସଦସ୍ୟା, ଉଭୟ ଗୋଷ୍ଠୀର କିଛି ଅଭିଭାବକଙ୍କୁ ଡାକି ବିବାଦର ସମାଧାନ ପାଇଁ ଆଲୋଚନା କରିଥିଲେ। ଆଲୋଚନା ପରେ ସ୍କୁଲ ପରିଚାଳନା କମିଟି ବ୍ୟତୀତ ଅନ୍ୟ କୌଣସି ଲୋକ ପୁନର୍ବାର ଗଣ୍ଡଗୋଳ କରିବେ ନାହିଁ, କି କୌଣସି ଅଭିଭାବକ ସ୍କୁଲ ଭିତରକୁ ପସିବେ ନାହିଁ ବୋଲି ନିଷ୍ପତ୍ତି ହୋଇଥିଲା। ଯଦି କାହାର କିଛି ଅସୁବିଧା ହୁଏ ତେବେ ସଭାପତି ଙ୍କ ଜରିଆରେ ଜଣାଇବେ। କିନ୍ତୁ ଅନେକ ଅଭିଭାବକ ଏହି ନିଷ୍ପତିକୁ ଗ୍ରହଣ କରିନଥିବା କହିଛନ୍ତି। ସେମାନଙ୍କ ଯୁକ୍ତି ଯେ ବର୍ତ୍ତମାନର ପ୍ରଧାନ ଶିକ୍ଷକ ବିଜୟ କୁମାର ସେଠୀ ସ୍କୁଲକୁ ଫେରିବା ପରେ ଯାଇ ସେମାନେ ତାଙ୍କ ପିଲାଙ୍କୁ ସ୍କୁଲ ପଠାଇବେ। ବିଇଓ ଓ ଆଜି ଉପସ୍ଥିତ ଥିବା ପୋଲିସ୍ ଏହାର ଦାୟିତ୍ବ ନିଅନ୍ତୁ ବୋଲି ସେମାନେ ଦାବି କରିଛନ୍ତି। ଏଠାରେ ସୂଚନାଯୋଗ୍ୟ ଯେ ଉକ୍ତ ସ୍କୁଲ ରେ ବିବାଦୀୟ ପରିସ୍ଥିତି ଉପୁଜିବା ପରେ ପ୍ରଧାନ ଶିକ୍ଷକ ଛୁଟିରେ ଅଛନ୍ତି।


