ଅଳିଆ ଆବର୍ଜନାର ପେଣ୍ଠସ୍ଥଳୀ ପାଲଟିଛି ବେତନଟୀ : ପ୍ରତିଶୃତି ଦେଇ ଚୁପ ବସିଛି ବ୍ଲକ ପ୍ରଶାସନ

ବେତନଟୀ ( ଉଦିତ କୁମାର ପରିଡା ) : କେନ୍ଦ୍ର ସରକାର ଓ ରାଜ୍ୟ ସରକାର ପରିବେଶକୁ ସ୍ୱଚ୍ଛ ଓ ସୁସ୍ଥ ରଖିବା ନିମନ୍ତେ ସବୁ ଅଞ୍ଚଳରେ ସ୍ୱଚ୍ଛ ଭାରତ ଅଭିଯାନ ଯୋଜନାରେ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି, ହେଲେ ମୟୂରଭଞ୍ଜ ଜିଲ୍ଲା ବେତନଟୀ ବ୍ଲକରେ ଏହି ଯୋଜନାର ବିକଳ ଚିତ୍ର ଦେଖିବାକୁ ମିଳିଛି। ବେତନଟୀ ବଜାର ମଧ୍ୟରେ ଅଳିଆ ଆବର୍ଜନା ଭର୍ତ୍ତି ହୋଇ ରହିଥିବା ଡ୍ରେନ ଓ ଆବର୍ଜନା କୁଣ୍ଡ ପରିଷ୍କାର ପାଇଁ ସେପରି କୌଣସି ପଦକ୍ଷେପ ବ୍ଲକ ପ୍ରଶାସନ ନେଉନଥିବାରୁ ସ୍ଥାନୀୟ ଅଞ୍ଚଳରେ ଅସନ୍ତୋଷର ବାତାବରଣ ଦେଖାଦେଇଛି। ଏନେଇ ବାରମ୍ବାର ଗଣମାଧ୍ୟମରେ ଖବର ପ୍ରକାଶ ପାଇ ସାରିଲାଣି ହେଲେ ଏହି ସମସ୍ୟା କୁ ସାମାନ୍ୟ ଭାବି ଏଡାଇ ଦେଇଛି ବ୍ଲକ ପ୍ରଶାସନ।  ବେତନଟୀ ବଜାରମଧ୍ୟରେ ଆନନ୍ଦ ବଜାର, ହାଟ ଛକ, କାଳିକା ଛକ, ଉଠାଣି ଛକ, ଚଣ୍ଡୀ ଛକ, ପୁରୁଣା ବସଷ୍ଟାଣ୍ଡ, ବଙ୍ଗାଳଛକ ଅଞ୍ଚଳର ସବୁ ଡ୍ରେନ ଓ ଆବର୍ଜନା କୁଣ୍ଡଗୁଡିକ ଅଳିଆ ଆବର୍ଜନା ଭର୍ତ୍ତି ହୋଇ ତାର ଚାରି ପାର୍ଶ୍ୱ ଅଳିଆରେ ଭର୍ତ୍ତି ହୋଇଯାଇଛି । ବେତନଟୀ ବଜାରରେ ଚାରିଆଡେ ଡ୍ରେନଗୁଡିକ ଅଳିଆ ଆବର୍ଜନା ଭର୍ତ୍ତି ହୋଇରହିବା ଫଳରେ ସାମାନ୍ୟ ବର୍ଷାରେ ଡ୍ରେନ ଜାମ ହୋଇ ରାସ୍ତାରେ ଅଳିଆ ଆବର୍ଜନା ଭାସୁଛି। ଏବେ ସାରା ରାଜ୍ୟରେ ହୋଇଜା, କଲେରା, ଡ଼ାଇରିଆ ଝାଡା ବାନ୍ତି ଭଳି ମହାମାରୀ ବ୍ୟାପୁ ଥିବାବେଳେ ମୟୂରଭଞ୍ଜ ଜିଲାରେ ମଧ୍ୟ କିଛି ଅଞ୍ଚଳରେ ପ୍ରବେଶ କରିସାରିଛି ଏଣୁ ତାହା ବେତନଟୀରେ ପ୍ରବେଶ କରିବାକୁ କେତେ ଦିନ ପ୍ରଶ୍ନ ଉଠିଛି। ବେତନଟୀ ବଜାର ମଧ୍ୟରେ ଏପରି ଉତ୍କଟ ପରିମଳ ଅବସ୍ଥା ଯୋଗୁଁ ଏହି ମହାମାରୀ ରୋଗ ବେତନଟୀ ଭଳି ଜାଗାରେ ବହୁ ଶୀଘ୍ର ବ୍ୟାପିବା ନେଇ ସନ୍ଦେହକୁ ଏଡାଇ ଦିଆଯାଇନପାରେ। ସୂଚନାଅନୁସାରେ ବେତନଟୀ ବଜାରରେ ୧୦ ହଜାର ରୁ ଉର୍ଦ୍ଧ ଲୋକ ବସବାସ କରୁଥିବା ବେଳେ,  ୩୦ ପଞ୍ଚାୟତର ହଜାର ହଜାର ଲୋକ ଏହି ବଜାର ଉପରେ ନିର୍ଭର କରି ବାଣିଜ୍ୟ ଓ କିଣା କିଣି କରିବାକୁ ଆସିଥାନ୍ତି। ହେଲେ ବେତନଟୀର ଏପରି ବିକୃତ ପରିମଳ ବ୍ୟବସ୍ଥା ଯୋଗୁଁ ବେତନଟୀ ପ୍ରତି ଲୋକଙ୍କ ଚିନ୍ତାଧାରା ବଦଳିବାରେ ଲାଗିଲାନି। ଯିଏ ବି ବେତନଟୀ ପ୍ରଥମ କରି ଆସିଛି କିଛି ସୁନ୍ଦର ଜିନିଷ ଦେଖୁନଦେଖୁ ଆଗ ପ୍ରତି ଛକରେ ପଡିରହିଥିବା ଅଳିଆ ଆବର୍ଜନା ଦେଖିବାକୁ ପାଉଛି। ଯାହା ଦ୍ୱାରା ବେତନଟୀ ଅଞ୍ଚଳର ସ୍ୱାଭିମାନ ନଷ୍ଟ ହେବାକୁ ଯାଉଛି।  ବେତନଟୀ ବ୍ଲକ ମେଡ଼ିଆ ଆସୋସିଏସନ ଓ ବେତନଟୀ ପଞ୍ଚାୟତ ପକ୍ଷରୁ ଏହି ଡ୍ରେନ ଓ ଆବର୍ଜନା କୁଣ୍ଡ ସଫେଇ ପାଇଁ ଆଲୋଚନା ସହ ବିଡିଓଙ୍କୁ ଲିଖିତ ଅଭିଯୋଗ ଦିଆଯାଇଛି। ବିଡିଓ ସୁଶାନ୍ତ କୁମାର ସୁତାର ବର୍ଷା ଦିନ ପୂର୍ବରୁ ସଫେଇ ହେଇଯିବ ବୋଲି ପ୍ରତିଶୃତି ମଧ୍ୟ ଦେଇଥିଲେ। ହେଲେ ଏତେ ଦିନ ଗଡିଗଲାଣି ଏଥିପ୍ରତି ନା ପ୍ରଶାସନର ନା ଜନପ୍ରତିନିଧିଙ୍କ କାହାରି ଦୃଷ୍ଟି ପଡୁନାହିଁ। ସମସ୍ତ ଡ୍ରେନ ଓ ଆବର୍ଜନା କୁଣ୍ଡ ପରିଷ୍କାର ନହୋଇଥିବା ଯୋଗୁଁ ସେଥିରୁ ଦୁର୍ଗନ୍ଧ ବାହାରିବା ହେତୁ ଲୋକେ ନାହିଁ ନଥିବା ଅସୁବିଧା ଭୋଗୁଛନ୍ତି। ବିଶେଷ କରି ବେତନଟୀ ମଠସାହିରେ ଆବର୍ଜନା କୁଣ୍ଡ ପାଖାପାଖି ଘର ଓ ଦୋକାନୀମାନଙ୍କ ଅଭିଯୋଗ ଅନୁସାରେ ଏହି କୁଣ୍ଡ ଅନେକ ଦିନରୁ ପରିଷ୍କାର କରାଯାଉନାହିଁ, ଏହା ମାସକୁ ମାସ ପରିଷ୍କାର କରାଗଲେ ଆମେ ଘରର ଆବର୍ଜନା ଆଣି ଏଠାରେ ପକାନ୍ତୁ, ହେଲେ ଏହା ଭର୍ତ୍ତି ରହିବା ଫଳରେ ଆମେ ଅଳିଆ କଉଠି ପକାଇବୁ ତାହା ପ୍ରଶ୍ନ କରିଛନ୍ତି। ଯେହେତୁ ଆବର୍ଜନା କୁଣ୍ଡ ପାର୍ଶ୍ୱରେ ରହିଥିବା ସାହି ଘର ଓ ଦୋକାନୀମାନଙ୍କୁ ଏବେ ଚାରିଆଡେ ମାତୁଥିବା ହୋଇଜା ଝାଡା, ବାନ୍ତି ଭଳି ଅନେକ ରୋଗ ମହାମାରୀ ହେବାର ମଧ୍ୟ ଭୟ ରହୁଛି। ଏହାର ପ୍ରତିକାର ଯଥା ଶୀଘ୍ର ହେବା ଦରକାର। ବିଗତ କିଛି ଦିନ ତଳେ ଦେଖିବାକୁ ପାଇଥିଲୁ କିଛି ମାସ ତଳେ ପ୍ରବଳ ବର୍ଷା ମଧ୍ୟରାତ୍ରିରେ ବେତନଟୀ ହାଟଛକରେ ଅନେକ ଦୋକାନୀ ଓ ଲୋକଙ୍କ ଘରେ ଘରେ ଡ୍ରେନ ନର୍ଦ୍ଦମା ପାଣି ପଶିଥିଲା। ହାଟଛକ ନିକଟ ପେଟ୍ରୋଲ ପମ୍ଫ ସମ୍ମୁଖରେ ଡ୍ରେନ ଜାମ ହୋଇ ରାସ୍ତାରେ ଅଳିଆ ଭାସିବାର ଦେଖିବାକୁ ମିଳିଥିଲା।  ସେହିପରି ଆଉ ଦିନେ ବେତନଟୀ ପୁରୁଣା ବସଷ୍ଟାଣ୍ଡରୁ ଚଣ୍ଡୀଛକ ଡ୍ରେନ ନର୍ଦ୍ଦମା ପାଣି ଅନେକ ଦୋକାନରେ ପଶିବା ଖବର ନଜର ଆସିଥିଲା। ଅନେକ ଲୋକେ ଏଥିଯୋଗୁ ନାହିଁନଥିବା ଅସୁବିଧାରେ ସମୁଖୀନ ହୋଇଥିଲେ। ଏଣୁ ବେତନଟୀରେ ସମସ୍ତ ଭଙ୍ଗା ଡ୍ରେନ ମରାମତି ସହ ଡ୍ରେନ ପରିଷ୍କାର, ଓ ଆବର୍ଜନା କୁଣ୍ଡ ପରିଷ୍କାର କରାଯିବା ନେଇ ଏକ ବ୍ଲକ ପ୍ରଶାସନ ପକ୍ଷରୁ ସମସ୍ୟା ସମାଧାନ ନିମନ୍ତେ ପଦକ୍ଷେପ ନେବା ପାଇଁ ସାଧାରଣରେ ଦାବି କରାଯାଇଛି। ଯାହା ଫଳରେ ବେତନଟୀରେ ସୁସ୍ଥ ପରିବେଶ ସୃଷ୍ଟି ହେବା ସହ ବେତନଟୀ ପାରିବ ବୋଲି ମତ ପ୍ରକାଶ ପାଇଛି। ସେହିପରି ବେତନଟୀସ୍ଥିତ ୧୮ନମ୍ବର ଜାତୀୟ ରାଜପଥ ପାର୍ଶ୍ଵରେ ମାଳ ମାଳ ଅଳିଆ ଆବର୍ଜନା ପଡି ପଡି ତାହା ଏବେ ଡ଼ମ୍ପିଂୟାର୍ଡ଼ ପାଲିଟିଛି। ଫଳରେ ପରିବେଶ ପ୍ରଦୂଷଣ ମାତ୍ରା ଧୀରେ ଧୀରେ ବୃଦ୍ଧି ପାଇବାରେ ଲାଗିଛି। ଯାହାକୁ ନେଇ ଅଞ୍ଚଳବାସୀଙ୍କ ମଧ୍ୟରେ ଅସନ୍ତୋଷ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ସୂଚନାଅନୁସାରେ ରାଜପଥ ଦେଇ ବାଲେଶ୍ୱର ପଟୁ ବେତନଟୀକୁ ପ୍ରବେଶ ବେଳେ ରାସ୍ତାପାର୍ଶ୍ଵରେ ବେତନଟୀ ଅଞ୍ଚଳର କିଛି ଅସାମାଜିକ କୁକୁଡ଼ା ଦୋକାନୀ କୁକୁଡ଼ା ପର, ଛାଲ, ମଳ ସମେତ ଅନ୍ୟାନ୍ୟ ଅଳିଆ ଇତ୍ୟାଦି ଆଣି ସେଠାରେ ପକାଇଦେଉଛନ୍ତି। ଯାହାଫଳରେ ସେ ଗୁଡିକ ସାମାନ୍ୟ ବର୍ଷାରେ ପାଣି ପାଇ ପଚି ସଢ଼ି ଅତି ଦୁର୍ଗନ୍ଧରେ ହେବା ଫଳରେ ସେ ପଟ ଦେଇ ପଥଚାରୀଙ୍କୁ ଯାତ୍ରା କରିବାରେ ବହୁ ଅସୁବିଧାରେ ସମୁଖୀନ ହେବାକୁ ପଡୁଛି। ବହୁ ଦିନରୁ କୁକୁଡ଼ାର ଅପରିଷ୍କାର ଗୁଡିକ ପଡି ରହିବା ଫଳରେ ସେଥିରେ ପୋକ ଜୋକ, ଜୀବାଣୁମାନଙ୍କ ବଂଶ ବିସ୍ତାର ହେବାର ସମ୍ଭାବନା ରହିଛି।   ଯାହା ଦ୍ୱାରା ପରିବେଶ ଦୂଷିତ ହେବା ସହ ମାଡି ଆସୁଥିବା ଅନେକ ହୋଇଜା, ଝାଡା ବାନ୍ତି ଭଳି ମହାମାରୀ ରୋଗ ହେବାର ଭୟ ରହୁଛି। ଆଗାମୀ ଦିନରେ ବ୍ଲକ ପ୍ରଶାସନ ପକ୍ଷରୁ ରାଜରାସ୍ତା ପାର୍ଶ୍ୱରେ ଅଳିଆ ଆବର୍ଜନା ଆଣି ପକାଉଥିବା ଦୋକାନୀମାନଙ୍କୁ ଚି଼ହ୍ନଟ କରାଯାଇ ସେମାନଙ୍କ ପ୍ରତି କଠୋର କାର୍ଯ୍ୟାନୁଷ୍ଠାନ ନେବାର ଆବଶ୍ୟକତା ରହିଛି। ଯେହେତୁ ଏବେ କେନ୍ଦ୍ର ଓ ରାଜ୍ୟରେ ଡବଲ ଇଂଜିନ ବିଜେପି ସରକାର, ଏଣୁ ନୂଆ ସରକାର ପକ୍ଷରୁ ଲୋକ ବହୁତ କିଛି ଆଶା ରଖିଛନ୍ତି। ଏଣୁ ଜିଲ୍ଲାକୁ ଜିଲ୍ଲା ମାଡି ଆସୁଥିବା ମହାମାରୀ ହୋଇଜା, ଡ଼ାଇରିଆ, ଝାଡା ବାନ୍ତି ଭଳି ରୋଗ ବେତନଟୀ ରେ ବ୍ୟାପିବା ପୂର୍ବରୁ ବେତନଟୀ ବିପର୍ଯ୍ୟସ୍ତ ପରିମଳ ବ୍ୟବସ୍ଥାକୁ ଦୃଷ୍ଟିରେ ରଖି ସମସ୍ତ ଡ୍ରେନ, ଆବର୍ଜନା କୁଣ୍ଡ, ରାଜପଥ ପାର୍ଶ୍ଵ ପରିଷ୍କାର କରାଯିବା ନେଇ ପଦକ୍ଷେପ ନେବାର ନିତ୍ୟାନ୍ତ ଆବଶ୍ୟକତା ରହିଛି। କିଛି ମଧ୍ୟରେ ଏହି ସମସ୍ୟା ର ସମାଧନ ଦିଗରେ ଦୃଷ୍ଟି ନନିଆ ଗଲେ ସାଧାରଣ ଜନସାଧାରଣ ଓ ବିଭିନ୍ନ ସାମାଜିକ ସଂଗଠନ ପକ୍ଷରୁ ପ୍ରତିବାଦ କରାଯିବା ନେଇ ଚେତାବନୀ ଦେଇଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ