ରାସ୍ତାରେ ସିମେଣ୍ଟ ଖୁଣ୍ଟି ନିର୍ମାଣ କରି ରାସ୍ତା ବନ୍ଦ କରୁଛନ୍ତି ଲୋକେ: ଅତ୍ୟାବଶ୍ୟକୀୟ ସେବା ବାଧାପ୍ରାପ୍ତ
ହାଟଡିହି(ଓ୍ବାଇଏନଏସ): ବାଲି ଗାଡ଼ିରୁ ଚାନ୍ଦା ଆଦାୟକୁ ନେଇ ଉପୁଜୁଛି ବିବାଦ। ରାସ୍ତା ବନ୍ଦ କରୁଛନ୍ତି ଲୋକେ, ସାଧାରଣ ଲୋକେ ଭୋଗୁଛନ୍ତି ଦୁର୍ଦଶା। ଏପରି ଅଭାବନୀୟ ପରିସ୍ଥିତି ଉପୁଜିଛି କେନ୍ଦୁଝର ଜିଲ୍ଲା ନନ୍ଦିପଦା ଥାନା ଅଞ୍ଚଳରେ। ଗେଡ଼ମା ପଞ୍ଚାୟତ ଜଳସରପୁର ଗ୍ରାମରେ କିଛି ବ୍ୟକ୍ତି ମନ ଇଛା ଚାନ୍ଦା ଆଦାୟ କରିବାକୁ ନେଇ ବିବାଦ ଦେଖାଦେବାରୁ କିଛି ଲୋକ ରାତିରେ ମେସିନ ଲଗାଇ କୋଟି କୋଟି ଟଙ୍କା ବ୍ୟୟରେ ନିର୍ମିତ ପୂର୍ତ୍ତ ବିଭାଗ ରାସ୍ତାକୁ ଖୋଲିଦେଲେ। ଏପରି ଗୋଟିଏ ଦିନ ନୁହଁ, ଅନେକ ଥର ନିଭିନ୍ନ ସ୍ଥାନରେ ଖୋଳି ଦେଇ ରାସ୍ତା ବନ୍ଦ କରିଦେଉଛନ୍ତି। ସେହିପରି ଶାଳଣିଆଁରୁ ଭାଟିଆ ପଡିଆ ଦେଇ ଯାଇଥିବା ଜଳସରପୁରକୁ ଯାଇଥିବା ରାସ୍ତାରେ କଂକ୍ରିଟ ପିଲର ନିର୍ମାଣ କରିଦେଇଛନ୍ତି। ଯାହାଦ୍ୱାରା ଗେଡ଼ମା ଓ ଆଇତିପୁର ପଞ୍ଚାୟତକୁ ଆମ୍ବୁଲାନ୍ସ, ମୁଖ୍ୟମନ୍ତ୍ରୀ ବସ ସେବା ସମ୍ପୂର୍ଣ୍ଣ ବନ୍ଦ ହୋଇଯାଇଛି। ଗଲା। ସେହିପରି ଚଷାଖଣ୍ଡ ଗାଁ ନିକଟରେ କିଛି ମହିଳା ଚଷାଖଣ୍ଡ ସ୍କୁଲ ସମ୍ମୁଖ ପୋଲ ଉପରେ ସିମେଣ୍ଟ ପିଲ୍ଲାର ନିର୍ମାଣ କରିଦେବାରୁ ଆମ୍ବୁଲାନ୍ସ, ମୁଖ୍ୟମନ୍ତ୍ରୀ ବସ, ଦମକଳ ଭଳି ଅତ୍ୟାବଶ୍ୟକୀୟ ସେବା ବନ୍ଦ ହୋଇଯାଇଛି। ଏହି ରାସ୍ତା ଉପରେ ୭/୮ଟି ଗ୍ରାମର ଲୋକମାନେ ନିର୍ଭର କରୁଥିବା ବେଳେ ସେମାନେ ନାହିଁ ନଥିବା ଅସୁବିଧା ଭୋଗୁଛନ୍ତି। ବର୍ତମାନ ଧାନ ଅମଳ ସମୟ ଆସିଯାଇଛି ଥିବାରୁ କିପରି ଧାନ ଅମଳ କରି ଘରକୁ ନେବେ ସେନେଇ ଚିନ୍ତାରେ ପଡିଲେଣି ଚାଷୀ। ସେହିପରି ହାବଳେଶ୍ୱର ନିକଟରେ କିଛି ଚାନ୍ଦା ଆଦାୟକାରି ଚାନ୍ଦା ନପାଇବାରୁ ରାତାରାତି ରାସ୍ତାକୁ ଖୋଳି ପକାଇଛନ୍ତି। ଲୋକମାନେ ନିଜ ନିଜର ବାସଗୃହ ନିର୍ମାଣ ପାଇଁ ଗୃହୋପକରଣ ସାମଗ୍ରୀ ନେଇ ପାରୁ ନାହାନ୍ତି। ପ୍ରଶାସନ ସବୁ ଜାଣି ମଧ୍ୟ ଚୁପ ବସିଛି। ଗେଡ଼ମା, ଆଇତିପୁର ଭଳି ଦୁଇଟି ପଞ୍ଚାୟତ ବାସୀ ଏବେ ଅତ୍ୟାବଶ୍ୟକୀୟ ସେବାରୁ ବଞ୍ଚିତ ହୋଇଛନ୍ତି। ପୂର୍ତ୍ତ ବିଭାଗ କି ଗ୍ରାମ୍ୟ ଉନ୍ନୟନ ବିଭାଗ ମଧ୍ୟ ଏନେଇ କିଛି ପଦକ୍ଷେପ ଗ୍ରହଣ କରୁନି। ସର୍ବସାଧାରଣ ରାସ୍ତା ଖୋଲିଦେବା କିମ୍ବା ସିମେଣ୍ଟ ଖୁଣ୍ଟି କରି ରାସ୍ତା ବନ୍ଦ କରିଦେବା କେତେଦୂର ଯଥାର୍ଥ ତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ପ୍ରଶାସନ ତୁରନ୍ତ ପଦକ୍ଷେପ ଗ୍ରହଣ କରିବାକୁ ଦାବି ହେଉଛି।


