ହାତୀ ଆତଙ୍କରେ ଲୋକେ ଭୟଭୀତ
ଦିଗପହଣ୍ଡି,(ଅଳକ ନାଥ ମିଶ୍ର): ଗଞ୍ଜାମ – ଗଜପତି ସୀମାନ୍ତ ରେ ଗତ ପ୍ରାୟ ୪ ଦିନ ହେଲା ଗୋଟିଏ ଗୋଠ ଛଡା ହାତୀ ଖାଦ୍ୟ ଅନ୍ୱେଷଣ ରେ ସନ୍ଧ୍ୟା ହେଲେ ଜନବସତି ଆଡ଼କୁ ମାଡ଼ି ଆସୁଛି।ଗୁରୁବାର ବିଳମ୍ବିତ ରାତିରେ ହାତୀ ଟି ଦିଗପହଣ୍ଡି ବ୍ଲକ ସିନ୍ଧବା ଗ୍ରାମ ନିକଟକୁ ଆସି ଜଣେ ଚାଷୀଙ୍କ ଖଳା ରେ ଥିବା ଅମଳ ଧାନ ଖାଇ ଦେବାସହ କିଛି ଚାଷୀ ଙ୍କ ଅମଳଧାନ ଓ ପନିପରିବା ବାଡ ନଷ୍ଟ କରିଥିବା ଅଭିଯୋଗ ହୋଇଛି। ଚଷାନିମଖଣ୍ଡି ପଞ୍ଚାୟତ ବଡ଼ପଦା ଗ୍ରାମସ୍ଥିତ ଶ୍ରୀ ଉଦୟନାଥେଶ୍ୱର ଶୈବପୀଠ ରେ ଚାଲିଥିବା ବିଶ୍ଵଶାନ୍ତି ମହାଯଜ୍ଞ ରେ ସକାଳୁ ବିଳମ୍ବିତ ରାତି ଯାଏଁ ଶ୍ରଦ୍ଧାଳୁ ଙ୍କ ଭିଡ଼ ଲାଗି ରହୁଛି। ହାତୀ ଭୟ ଯୋଗୁଁ ଲୋକେ ସନ୍ଧ୍ୟା ପୂର୍ବରୁ ଘରକୁ ଫେରିଯାଉଛନ୍ତି। ହାତୀ ଉପଦ୍ରବ ଯୋଗୁଁ ସିନ୍ଧବା,ଚଷାନିମଖଣ୍ଡିି,ଶ୍ୟାମସୁନ୍ ଦରପୁର, ସୁଗୁଗା, ବିଦ୍ୟାଧରପୁର,ଗଡ ସାମନ୍ତରାପୁର, ଖମାରି ଗାଁ, କୁମୁଟି ପଙ୍କାଳ,ପୋଡ଼ାମାରି, ଡୋଳବ ପ୍ରଭୃତି ଗ୍ରାମ ମାନଙ୍କରେ ସନ୍ଧ୍ୟା ହେଲେ ତାଟି କବାଟ ପଡିଯାଉଛି।ରାତିରେ ରାସ୍ତା ରେ ଚଳପ୍ରଚଳ ହେବାକୁ ନିରାପଦ ମନେକରୁନାହାନ୍ତି।ଗଜପତି ଜିଲା ଚନ୍ଦ୍ରଗିରି ବନାଞ୍ଚଳ ରେଞ୍ଜର ରୂପକ କୁମାର ପ୍ରଧାନ ସଦଳବଳେ ହାତୀ ଟ୍ରାକର ଙ୍କ ସହାୟତା ରେ ହାତୀ କୁ ଜଙ୍ଗଲ ମଧ୍ୟକୁ ଘଉଡାଇଦେଇଛନ୍ତି। ହାତୀ ଟି ଲଖାରୀ ହାତୀ ଅଭୟାରଣ୍ୟ ନିକଟ ଝାଟିକାବାଡ ଜଙ୍ଗଲରୁ ଚାଲିଆସିଥିଲା।ପୁଣି ଜଙ୍ଗଲ ମଧ୍ୟକୁ ହାତୀ ଟି ଚାଲିଯାଇଥିବା ରେଞ୍ଜର କହିଛନ୍ତି।


