କଟକରେ ଆର୍ମସ୍ ଫୋର୍ସେସ୍ ଟ୍ରିବ୍ୟୁନାଲ୍ର ସର୍କିଟ୍ ବେଞ୍ଚ୍ ପ୍ରତିଷ୍ଠା ପାଇଁ ମିଳିଲା ଅନୁମତି
କଟକ, (ଓ୍ବାଇଏନଏସ): ଭାରତୀୟ ସେନାନୀରେ ଓଡ଼ିଶାରୁ କାର୍ଯ୍ୟ କରିଥିବା ତଥା ଅବସର ନେଇଥିବା ସୈନିକ ଓ ସେମାନଙ୍କ ପରିବାରର ଦୀର୍ଘଦିନର ଦାବି ପୂରଣ ହୋଇଛି । ଇଣ୍ଡିଆନ୍ ଏକ୍ସ ସର୍ଭିସେସ୍ ଲିଗ୍ ଓଡ଼ିଶା ପକ୍ଷରୁ ରୁଜୁ ମାମଲାର ଶୁଣାଣି କରି ଦେଶର ସର୍ବୋଚ୍ଚ ଅଦାଲତ କଟକରେ ଆର୍ମସ୍ ଫୋର୍ସେସ୍ ଟ୍ରିବ୍ୟୁନାଲ୍ର ସର୍କିଟ୍ ବେଞ୍ଚ୍ ପ୍ରତିଷ୍ଠା ପାଇଁ ଅନୁମତି ପ୍ରଦାନ କରିଛନ୍ତି । ଫଳରେ ୨୦୨୬ ଏହି ପୂର୍ବତନ ସୈନିକମାନଙ୍କ ପାଇଁ ବଡ଼ ଖୁସି ଆଣିବାକୁ ଦେଇଛି । ଆସନ୍ତା ଜାନୁଆରୀ ୭ ତାରିଖରୁ ଆର୍ଆରଡିସି କାର୍ଯ୍ୟାଳୟ ପରିସରରେ ଏହି ସର୍କିଟ୍ ବେଞ୍ଚ୍ କାର୍ଯ୍ୟ କରିବ । ଓଡ଼ିଶାରେ ଆର୍ମସ୍ ଫୋର୍ସେସ୍ ଟ୍ରିବ୍ୟୁନାଲ୍ ନ ଥିବାରୁ ସେନାରେ ଓଡ଼ିଶାରୁ କାର୍ଯ୍ୟ କରିଥିବା ପୂର୍ବତନ ସୈନିକମାନଙ୍କୁ ବିଭିନ୍ନ ମାମଲା ପାଇଁ କୋଲକାତା କିମ୍ବା ଦିଲ୍ଲୀ ଯିବାକୁ ପଡ଼ୁଥିଲା । ଫଳରେ ପୂର୍ବତନ ସୈନିକ ବା ସେମାନଙ୍କ ପରିବାରକୁ ଏଥିପାଇଁ ଉଭୟ ଶାରୀରିକ, ମାନସିକ ଏବଂ ଆର୍ଥିକ ଭାବେ ନିର୍ଯାତନା ସହିବାକୁ ପଡ଼ୁଥିଲା । ଏନେଇ ଇଣ୍ଡିଆନ୍ ଏକ୍ସ ସର୍ଭିସେସ୍ ଲିଗ୍ ସୁପ୍ରିମ୍କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲା । ସୁପ୍ରିମ୍କୋର୍ଟଙ୍କ ଆବେଦନକାରୀଙ୍କ ସମସ୍ୟାକୁ ହୃଦୟଙ୍ଗମ କରି କଟକରେ ଆର୍ମସ୍ ଫୋର୍ସେସ୍ ଟ୍ରିବ୍ୟୁନାଲ୍ର ଏକ ସର୍କିଟ୍ ବେଞ୍ଚ୍ ପ୍ରତିଷ୍ଠା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ନୂଆଦିଲ୍ଲୀ ପ୍ରଧାନ ବେଞ୍ଚ୍ର ନ୍ୟାୟିକ ସଦସ୍ୟ ବିଚାରପତି ନନ୍ଦିତା ଦୁବେ ଏବଂ କୋଲକାତା ବେଞ୍ଚ୍ର ପ୍ରଶାସନିକ ସଦସ୍ୟ ଲେଃ ଜେନେରାଲ୍ ଶଶାଙ୍କ ଶେଖର ମିଶ୍ରଙ୍କୁ ନେଇ ଗଠିତ ଖଣ୍ଡପୀଠ ସର୍କିଟ୍ ବେଞ୍ଚ୍ରେ ବିଭିନ୍ନ ମାମଲାର ଶୁଣାଣି କରିବେ । ଜାନୁଆରୀ ୭, ୮ ଏବଂ ୯ ତାରିଖ ତିନିଦିନ ପ୍ରଥମେ ବେଞ୍ଚ୍ କାମ କରିବ । ମାମଲା ସଂଖ୍ୟା ଅନୁସାରେ ପୁଣି ପରବର୍ତ୍ତୀ ମାସକୁ ଦିନ ଧାର୍ଯ୍ୟ କରାଯିବ ।


