ବ୍ୟକ୍ତିତ୍ଵ ବିକାଶ ଶିବିର- ୨୦୨୫

ନାଉଗାଁ,(ଓ୍ବାଇଏନଏସ): ଉଚ୍ଚ ବିଦ୍ୟାଳୟସ୍ତରୀୟ ଛାତ୍ରଛାତ୍ରୀମାନଙ୍କର ଉତ୍ତମ ଚରିତ୍ର ଗଠନ, ଉଚ୍ଚଶିକ୍ଷା ପାଇଁ ପ୍ରସ୍ତୁତି, ଆଧ୍ୟାତ୍ମିକ ସାଧନା, ଗୁରୁଜନଙ୍କ ପ୍ରତି ଓ ପିତାମାତାଙ୍କ ପ୍ରତି କର୍ତ୍ତବ୍ୟ ଏବଂ ସାମାଜିକ ଦାୟିତ୍ବବୋଧତା ସଂପର୍କରେ ପ୍ରଶିକ୍ଷଣ ପ୍ରଦାନ କରିବା ପାଇଁ ବିଶ୍ଵ ସନାତନ ଯୁବସେବା ସଂଘ ଓ ଗୁରୁକୃପା ଚାରିଟେବୁଲ୍ ସୋସାଇଟିର ମିଳିତ ସ‌ହ‌ଯୋଗରେ ‘ ବ୍ୟକ୍ତିତ୍ଵ ବିକାଶ ଶିବିର- ୨୦୨୫ ’ ଜଗତସିଂହପୁର ଜିଲ୍ଲା ନାଉଗାଁ ବ୍ଳକ ଅନ୍ତର୍ଗତ ତିହୁଡାସ୍ଥିତ ମା’ ଜାଗୁଳାଇ ମନ୍ଦିର ପରିସରରେ ଆସନ୍ତା ୨୬ ତାରିଖରୁ ୩୦ ତାରିଖ ପର୍ଯ୍ୟନ୍ତ ଆୟୋଜନ ହେବାକୁ ଯାଉଛି। ଏହି ପରିପ୍ରେକ୍ଷୀରେ ଗୁରୁକୃପା କୁଟୀର ପରିସରରେ ଅନୁଷ୍ଠାନର ସଭାପତି ବାବା ସତ୍ୟାନନ୍ଦ ଦାସଙ୍କ ସଭାପତିତ୍ବରେ ଶନିବାର ଖବରଦାତା ସମ୍ମୀଳନୀ ଅନୁଷ୍ଠିତ ହୋଇଥିଲା। ଏହି ଶିବିରରେ ଚିନ୍ମୟ ମିଶନ ପଟିଆଲା (ପଞ୍ଜାବ)ର ପୂଜ୍ୟ ସ୍ଵାମୀ ମାଧବାନନ୍ଦ ସରସ୍ୱତୀ ଯୋଗଦାନ କରି ଶ୍ରୀମଦ୍ ଭଗବଦ୍ ଗୀତାକୁ ଆଧାର କରି ଛାତ୍ରଛାତ୍ରୀମାନେ କିଭଳି ଇନ୍ଦ୍ରିୟଗୁଡ଼ିକୁ ଏବଂ ମନକୁ ସଂଜମ କରି ଆଦର୍ଶ ମଣିଷ ହୋଇପାରିବେ ସେ ବିଷୟରେ ଦୀକ୍ଷାନ୍ତ ଶିକ୍ଷା ପ୍ରଦାନ କରିବେ । ଗୀତା ଆଶ୍ରମ, କଣ୍ଟାବାଡ଼, ଭୂବନେଶ୍ଵରର ସ୍ଵାମୀ ଜଗଦୀଶାନନ୍ଦ ସରସ୍ୱତୀ ଯୋଗଦାନ କରି ପ୍ରତ୍ୟେହ ୨୬ ତାରିଖ ଠାରୁ ୩୦ ତାରିଖ ପର୍ଯ୍ୟନ୍ତ ପାଞ୍ଚ ଦିନ ଧରି ପ୍ରାର୍ଥନା, ଯୋଗ ପ୍ରାଣାୟମ ସହିତ ଶ୍ରୀମଦ୍ ଭଗବଦ୍ ଗୀତା ପଠନ ସହିତ ଛାତ୍ରଛାତ୍ରୀମାନେ କିଭଳି ନିଜ ଭିତରେ ଥିବା ଆସୁରିକ ଭାବନାକୁ ବିନାଶ କରି ଦେବତ୍ଵର ବିକାଶ କରିପାରିବେ ଏହା ଉପରେ ପ୍ରଶିକ୍ଷଣ ପ୍ରଦାନ କରିବେ । ଏହି କାର୍ଯ୍ୟକ୍ରମରେ ପ୍ରତ୍ୟେହ ଭଗବଦ୍‌ ପାଦ୍ ଜଗଦ୍‌ଗୁରୁ ଶଙ୍କରାଚାର୍ଯ୍ୟ କୃତ ‘ ଭଜଗୋବିନ୍ଦମ୍’ ଶିକ୍ଷଣ ପ୍ରଦାନ କରାଯିବା ସହିତ ଅନୁଷ୍ଠାନର ସଭାପତି ବାବା ସତ୍ୟାନନ୍ଦ ଦାସ ମହାରାଜଙ୍କ ଦ୍ୱାରା ଛାତ୍ରଛାତ୍ରୀମାନଙ୍କର ଜୀବନରେ ମୌଳିକ ପ୍ରଶ୍ନ ଓ ତାହାର ସମାଧାନ କିପରି ହୋଇପାରିବ ସେ ସଂପର୍କରେ ଶିକ୍ଷା ପ୍ରଦାନ କରିବେ । ଏହି କାର୍ଯ୍ୟକ୍ରମର ଉଦ୍‌ଯାପନୀ ସଂଧ୍ୟା ରେ ମୂଖ୍ୟ ଅତିଥି ରୂପେ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଆଦ୍ୟସେବକ ଗଜପତି ମହାରାଜା ଶ୍ରୀ ଦିବ୍ୟସିଂହ ଦେବ ପଦାର୍ପଣ କରି ଛାତ୍ରଛାତ୍ରୀ ତଥା ସର୍ବସାଧାରଣଙ୍କୁ ଶୁଭେଚ୍ଛା ବାର୍ତ୍ତା ପ୍ରଦାନ କରିବେ।ବିଶିଷ୍ଠ ଅତିଥିରୂପେ ପୂଜ୍ୟ ପରମ ହଂସ ସ୍ଵାମୀ ପ୍ରଜ୍ଞାନାନନ୍ଦଗିରିଜୀ ମହାରାଜ, ସମ୍ମାନୀତ ଅତିଥି ଭାବେ ପୂଜ୍ୟ ମହନ୍ତ ରାମକୃଷ୍ଣ ଦାସ, ପୂଜ୍ୟ ସ୍ୱାମୀ ମାଧବାନନ୍ଦ ସରସ୍ଵତୀ, ଓଡ଼ିଶା ଉଚ୍ଚ ନ୍ୟାୟାଳୟର ନ୍ୟାୟମୂର୍ତ୍ତି ଶ୍ରୀଯୁକ୍ତ ଆନନ୍ଦ ଚନ୍ଦ୍ର ବେହେରା, ଜାତୀୟ ମାନବ ଅଧୁକାର କମିସନ ସଦସ୍ୟ ତଥା ପୂର୍ବତନ ମୂଖ୍ୟ ବିଚାରପତି ଡକ୍ଟର ବିଦ୍ୟୁତ୍ ରଂଜନ ଷଡ଼ଙ୍ଗୀ, ଶ୍ରୀଯୁକ୍ତ ବିଜୟ କୁମାର ସାହୁ, ଇଂ ପ୍ରବୀର ରାଉତ, ଡାକ୍ତର ଶ୍ରୀମତୀ ପୁଷ୍ପା ମହାନ୍ତି ପ୍ରମୁଖ ଯୋଗଦାନ କରି ଛାତ୍ରଛାତ୍ରୀମାନଙ୍କୁ ମାର୍ଗଦର୍ଶନ କରିବେ। ଏହି କାର୍ଯ୍ୟକ୍ରମରେ ବହୁ ସାଧୁସନ୍ଥ, ଶ୍ରୀମନ୍ଦିରର ସେବାୟତବୃନ୍ଦ ଓ ବହୁ ବୁଦ୍ଧିଜିବି ଯୋଗଦାନ କରିବେ ବୋଲି ଅନୁଷ୍ଠାନର ସଭାପତି ବାବା ସତ୍ୟାନନ୍ଦ ଦାସ ଜଣାଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ