ପାଇପ ଚୋରି ଗାଡି ଯବତ, ଦୁଇ ଗିରଫ
ମୁନିଗୁଡା,(ନନ୍ଦ କିଶୋର ପଟ୍ଟନାୟକ): ମୁନିଗୁଡା ପୋଲିସକୁ ମିଳିଛି ବଡ଼ ସଫଳତା ପାନୀୟଜଳ ଯୋଗାଣ ପ୍ରକଳ୍ପରେ ବ୍ୟବହାର ହେଉଥିବା ପାଇପ ଗୁଡିକ ଚୋରି ହୋଇ ଯାଉଥିବା ସରକାରୀ ଡିଆଇ ପାଇପ ଚୋରା ଚାଲାଣ ହେଉଥିବା ଆଇଚେର ଗାଡି ଯବତ କରିବା ସହ ଦୁଇ ଜଣ ଅଭିଯୁକ୍ତକୁ ଗିରଫ କରିଥିବା ଜଣାପଡିଛି। ଗିରଫ ଦୁଇ ଜଣ ହେଲେ କଳାହାଣ୍ଡି ଜିଲ୍ଲା ନର୍ଲା ଥାନା ଅନ୍ତର୍ଗତ ଭଟାଙ୍ଗ ଗ୍ରାମର ପରିମଳ ବିଶି (୩୪) ଓ ଆଉ ଜଣେ ଭାଟେଲି ଗ୍ରାମର ମିଥୁନ ରାଣା(୨୦) ବୋଲି ଜଣାପଡିଛି। ସୂଚନା ଯେ ରାୟଗଡା ଜିଲ୍ଲାର ଚନ୍ଦ୍ରପୁର ହନୁମନ୍ତପୁର,ଡାଙ୍ଗସୋରଡ଼ା,ବିଷମକଟକ ଓ ଅମ୍ବାଦଳା ଅଞ୍ଚଳରେ ଦୀର୍ଘ ଦିନ ଧରି ଏହି ଚୋରି ଚାଲାଣ କାମ ଚାଲୁ ରଖିଥିଲେ। ଏମାନେ ଏକ ଗ୍ୟାଙ୍ଗ ତିଆରି କରି ସରକାରୀ ଡିଆଇ ପାଇପ କେଉଁ ସ୍ଥାନରେ ଗଛିତ ରହିଛି ତାକୁ ନଜରରେ ରଖୁଥିଲେ ଏବଂ ରାତ୍ର ସମୟରେ ଗାଡି ଭଡା କରି ସ୍ଥାନୀୟ ଅଞ୍ଚଳର ଲୋକକୁ ଶ୍ରମିକ ଭାବେ ଯୋଗାଡ଼ କରି ଦ୍ରୁତ ଭାବେ ଲୋଡିଙ୍ଗ କରୁଥିଲେ। ଏହା ଏକ ସଂଗଠିତ ଆନ୍ତର୍ରାଜ୍ୟ ପାଇପ ଚୋରି ଗ୍ୟାଙ୍ଗର ପର୍ଦାଫାଶ କରାଯାଇଛି। ଏହି ଚୋରି ପାଇପ ଗାଡି କନ୍ଦମାଳ ଜିଲ୍ଲା ତୁମୁଡିବନ୍ଧ ଦେଇ କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ରୁଟ ଦେଇ ପଶ୍ଚିମବଙ୍ଗକୁ ଟ୍ରାନ୍ସପୋର୍ଟ କରାଯାଉଥିଲା। ଏହି ଘଟଣାରେ ବର୍ତମାନ ଏକ ଆଇଇଚେର ଗାଡି ( ଓଡି୦୮ଏଏ ୫୨୪୪) ରେ ୮୦ଟି ଚୋରି ପାଇପ ଜବତ କରିବା ସହ ଦୁଇ ଜଣ ଅଭିଯୁକ୍ତକୁ ଗିରଫ କରାଯାଇଥିବା ବେଳେ ଚୋରି ରକେଟରେ ସମ୍ପୃକ୍ତ ଥିବା ମୁଖ୍ୟ ଅଭିଯୁକ୍ତ ଭୁବନ ସହ ଗ୍ୟାଙ୍ଗରେ ସାମିଲ ଥିବା ଅନ୍ୟ ସଦସ୍ୟ ମାନଙ୍କୁ ଶୀଘ୍ର ଧରିବା ପାଇଁ ବିଶେଷ ଅଭିଯାନ ଜାରି ରହିଛି ଏବଂ ଏନେଇ ମୁନିଗୁଡା ଥାନା କେଶ ନମ୍ବର ୧୦୩/୨୦୨୬ ଧାରା ୩୦୨(୨)/୩(୫) ବିଏନଏସ ରେ ମାମଲା ରୁଜୁ କରି ଦୁଇ ଜଣଙ୍କୁ କୋର୍ଟକୁ ସ୍ଥାନାନ୍ତର କରିବା ସହ ଘଟଣାର ଅଧିକ ତଦନ୍ତ ଜାରି ରହିଛି ବୋଲି ମୁନିଗୁଡା ଥାନା ଅଧିକାରୀ କେଶବ ଷଡ଼ଙ୍ଗୀ ଓ ଡାଙ୍ଗସୋରଡ଼ା ଫାଣ୍ଡି ଅଧିକାରୀ ମନୋରଞ୍ଜନ ବିଶ୍ୱାଳ ସୂଚନା ଦେଇଛନ୍ତି।


