ଉପର ପଡ଼ିଆକୁ ବାଲିଯାତ୍ରା ନକ୍ସାରୁ ହଟାଇବା ଯୋଜନା: ଦାନା ବାନ୍ଧୁଛି ଅସନ୍ତୋଷ

କଟକ,(ଓ୍ବାଇଏନଏସ): କଟକ ଐତିହାସିକ ବାଲିଯାତ୍ରା-୨୦୨୫କୁ କେବଳ ତଳ ପଡ଼ିଆରେ ଆୟୋଜନ କରିବାର ଜିଲ୍ଲା ପ୍ରଶାସନର ନିଷ୍ପତ୍ତିକୁ ନେଇ ଅସନ୍ତୋଷ ଦାନା ବାନ୍ଧୁଛି। ଉପର ପଡ଼ିଆକୁ ବାଲିଯାତ୍ରା ନକ୍ସାରୁ ହଟାଇବାକୁ ସହରବାସୀ ଗ୍ରହଣ କରୁ ନଥିବା ବେଳେ ଏ ବାବଦରେ ପ୍ରଶାସନ ଓ ରାଜ୍ୟ ସରକାର ପୁନଃବିଚାର କରନ୍ତୁ ବୋଲି ଦାବି କରାଯାଉଛି । ଗୁରୁବାର ଦିନ ରାଜ୍ୟସଭା ସାଂସଦ ଦେବାଶିଷ ସାମନ୍ତରାୟ ଏ ବାବଦରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଚିଠି ଲେଖିଥିବା ବେଳେ ଶୁକ୍ରବାର କଟକ ମହାନଗର ଶାନ୍ତି କମିଟି ଓ ପୂଜା କମିଟି ମିଳିତ ଭାବେ ଏହାର ପ୍ରତିବାଦ କରିବାକୁ ନିଷ୍ପତ୍ତି ନେଇଛନ୍ତି । ଉପରପଡ଼ିଆରେ ବି ବାଲିଯାତ୍ରା ହେଉ ବୋଲି ରାଜ୍ୟ ସରକାରଙ୍କୁ ଦାବି ଜଣାଇବାକୁ ନିଷ୍ପତ୍ତି ନେଇଛନ୍ତି । ଖୁବ୍‌ଶୀଘ୍ର ମୁଖ୍ୟମନ୍ତ୍ରୀଙ୍କୁ ଚିଠି ପଠାଯିବ ଏବଂ ଆବଶ୍ୟକ ସ୍ଥଳେ ପ୍ରତିନିଧି ମଣ୍ଡଳୀ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ସହରବାସୀଙ୍କ ଉଦ୍ଦେଶ୍ୟରେ ସମୂହ ଦାବି ରଖିବେ । ବାଲିଯାତ୍ରାକୁ କେବଳ ତଳ ପଡ଼ିଆରେ ସୀମିତ ରଖିବା ନେଇ ପ୍ରଶାସନ ପକ୍ଷରୁ ରାଜ୍ୟ ସରକାରଙ୍କୁ ପ୍ରସ୍ତାବ ଦିଆଯାଇଛି । ତେବେ କେବଳ ତଳ ପଡ଼ିଆରେ ବାଲିଯାତ୍ରା ଆୟୋଜନ ଭବିଷ୍ୟତରେ ମେଳାର ଅସ୍ଥିତ୍ୱକୁ ସଙ୍କଟରେ ପକାଇଥିବା ବେଳେ ପ୍ରଶାସନ ପକ୍ଷରୁ ଏ ବାବଦରେ କଟକ ସହରବାସୀଙ୍କ ପ୍ରତିକ୍ରିୟା ନେବାକୁ ଚେଷ୍ଟା କରାଯାଇନାହିଁ ।ପୂର୍ବରୁ ବାଲିଯାତ୍ରା ବୈଠକରେ ଗଣମାଧ୍ୟମକୁ ସୂଚନା ଦେଇ ଜିଲ୍ଲାପାଳ କହିଥିଲେ, ଉପର ପଡ଼ିଆକୁ ବାଲିଯାତ୍ରା ନକ୍ସାରୁ ବାଦ୍‌ ଦେବା ବାବଦରେ ପ୍ରଶାସନ ତରଫରୁ କଟକର କିଛି ଜନପ୍ରତିନିଧିଙ୍କ ମତାମତ ମଗାଯାଇଥିଲା । କିନ୍ତୁ କେହି ଏ ବାବଦରେ କିଛି ପ୍ରସ୍ତାବ ଦେଇ ନଥିବାରୁ ଆମେ କେବଳ ତଳ ପଡ଼ିଆରେ ବାଲିଯାତ୍ରା ଆୟୋଜନ କରିବାକୁ ନିଷ୍ପତ୍ତି ନେଇଥିଲୁ । ତେଣୁ ଏଥିରୁ ସ୍ପଷ୍ଟ ଜଣାପଡୁଛି ଯେ,ପ୍ରଶାସନ ତରଫରୁ ଜନପ୍ରତିନିଧିଙ୍କୁ କେବଳ ମୋହରା କରି ତାଙ୍କୁ ଏଥିରେ ସମ୍ପୃକ୍ତ କରାଯାଇଥିଲା । କେବଳ ଜନପ୍ରତିନିଧି କାହିଁକି ପ୍ରଶାସନ କଟକ ସହରର ବୁଦ୍ଧିଜୀବୀ, ଅନୁଷ୍ଠାନ, ସଂଗଠନ, ସାମାଜିକକର୍ମୀଙ୍କ ପ୍ରସ୍ତାବ ମଧ୍ୟ ନିଆଯିବା ଜରୁରି ଥିଲା । କିନ୍ତୁ ସେଭଳି କୌଣସି ଉଦ୍ୟମ ଆୟୋଜକ ଜିଲ୍ଲା ପ୍ରଶାସନ ପକ୍ଷରୁ କରାଯାଇ ନଥିବାରୁ ଅସନ୍ତୋଷ ଦାନା ବାନ୍ଧିଛି । ଏ ବାବଦରେ କଟକ ମହାନଗର ପୂଜା କମିଟିର ସାଧାରଣ ସମ୍ପାଦକ ତଥା ପୂର୍ବତନ ବିଧାୟକ ପ୍ରଭାତ କୁମାର ତ୍ରିପାଠୀଙ୍କୁ ପଚାରିବାରେ ସେ କହିଛନ୍ତି, ଉପର ପଡ଼ିଆ ହେଉଛି ବାଲିଯାତ୍ରାର ସ୍ମାରକୀ । ଏହାକୁ ଛାଡ଼ି ବାଲିଯାତ୍ରା କଥା ଚିନ୍ତା କରାଯାଇ ନ ପାରେ । ଏହା ଭୁଲ୍‌ ହେବ ଯଦି ପ୍ରଶାସନ କେବଳ ତଳ ପଡ଼ିଆରେ କରିବାକୁ ଚାହୁଁଛି । କିଛି ନ ହେଲେ ବି ଉଠା ଦୋକାନୀଙ୍କୁ ଉପର ପଡ଼ିଆରେ ବସିବାକୁ ସୁଯୋଗ ଦେଲେ ପରମ୍ପରା ବଜାୟ ରହିବ ବୋଲି ଶ୍ରୀ ତ୍ରିପାଠୀ ମତ ରଖିଛନ୍ତି । ଏ ବାବଦରେ ଶାନ୍ତି କମିଟି ଓ ପୂଜା କମିଟି ତରଫରୁ ମୁଖ୍ୟମନ୍ତ୍ରୀଙ୍କୁ ଖୁବ୍‌ ଶୀଘ୍ର ନିବେଦନ କରାଯିବ । ଅନ୍ୟପକ୍ଷରେ ରାଜ୍ୟସଭା ସାଂସଦ ଦେବାଶିଷ ସାମନ୍ତରାୟ କହିଛନ୍ତି, ବାଲିଯାତ୍ରା ଉପର ପଡ଼ିଆ ଯୋଗୁଁ ଲୋକପ୍ରିୟତା ହାସଲ କରିଥିଲା । ପରେ ଏହାକୁ ତଳ ପଡ଼ିଆକୁ ନିଆଯାଇଥିଲା । ଏବେ ଉପର ପଡ଼ିଆକୁ ବାଲିଯାତ୍ରା ନକ୍ସାରୁ ବାଦ୍‌ ଦେବା ଉଚିତ୍‌ ନୁହେଁ । ଏ ସହରର ଇତିହାସ ବାଲିଯାତ୍ରା ସହ ଜଡ଼ିତ ରହିଛି । ତେଣୁ ଜିଲ୍ଲା ପ୍ରଶାସନ ଯାହା ଯୋଜନା କରୁଛି ତାହା ଠିକ୍‌ ନୁହେଁ । ଭାଇଚାରା ସହରରେ ଏତେ ଅନ୍ୟାୟ କରିବା ଶୋଭନୀୟ ହେଉନାହିଁ । ବାରବାଟୀ-କଟକ ବିଧାୟିକା ସୋଫିଆ ଫିର୍ଦ୍ଦୋସ କହିଛନ୍ତି, ଜିଲ୍ଲା ପ୍ରଶାସନ କୌଣସି ନିଷ୍କର୍ଷରେ ପହଞ୍ଚିବା ପୂର୍ବରୁ ଅନ୍ତତଃପକ୍ଷେ କଟକ ସହରବାସୀ କ’ଣ ଚାହୁଛନ୍ତି ସେମାନଙ୍କ ମତାମତ ଲୋଡ଼ିବା ଦରକାର । ମନଇଚ୍ଛା ଉପର ପଡ଼ିଆକୁ ବାଦ୍‌ ଦେଲେ ଚଳିବନାହିଁ । ଲୋକ, ବ୍ୟବସାୟୀ ଏବଂ ବାଲିଯାତ୍ରା ସହ ଜଡ଼ିତ ସମସ୍ତ ଅଂଶିଦାରଙ୍କ ମତାମତ ଜିଲ୍ଲା ପ୍ରଶାସନ ନେବା ପରେ ଚୂଡ଼ାନ୍ତ ନିଷ୍ପତ୍ତି ନିଅନ୍ତୁ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ