ପ୍ଳାଷ୍ଟିକମୁକ୍ତ ସଚେତନତା ଶିବିର
ଆସିକା (ୱାଇଏନ୍ଏସ୍) ରାଜ୍ୟ ସରକାରଙ୍କ ଉଚ୍ଚଶିକ୍ଷା ବିଭାଗର ପରାମର୍ଶକ୍ରମେ ଆସିକା ନିରଞ୍ଜନ ସରକାରୀ ମହିଳା ମହାବିଦ୍ୟାଳୟ ପକ୍ଷରୁ ସୋମବାର ଆମ କଲେଜ ଆମ ଗୌରବ କାର୍ଯ୍ୟକ୍ରମ ଅଧୀନସ୍ଥ ପ୍ଳାଷ୍ଟିକମୁକ୍ତ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି । ନିରଞ୍ଜନ ସରକାରୀ ମହିଳା ମହାବିଦ୍ୟାଳୟର ଜାତୀୟ ସମର ଶିକ୍ଷାର୍ଥୀ ବାହିନୀ ଓ ଜାତୀୟ ସେବା ଯୋଜନା ଏବଂ ଯୁବ ରେଡକ୍ରସର ମିଳିତ ସହଯୋଗରେ ଅନୁଷ୍ଠିତ ହୋଇଥିବା ଏହି କାର୍ଯ୍ୟକ୍ରମରେ ଶିକ୍ଷାନୁଷ୍ଠାନର ଅଧ୍ୟକ୍ଷ ଡଃ ସରୋଜ କୁମାର ଜେନା, ଆସିକା ବିଜ୍ଞାନ ମହାବିଦ୍ୟାଳୟର ଅଧ୍ୟାପିକା ଡଃ ନନ୍ଦିତା ଦାଶ, ଆମ କଲେଜ ଆମ ଗୌରବ କାର୍ଯ୍ୟକ୍ରମର ସଂଯୋଜକ ଅଧ୍ୟାପକ ଡଃ କେ.ଓମ୍ ନାରାୟଣ ରାଓ, ଶିକ୍ଷାନୁଷ୍ଠାର ଜାତୀୟ ସେବା ଯୋଜନର କାର୍ଯ୍ୟକ୍ରମ ଅଧିକାରୀ ତଥା ଅଧ୍ୟାପିକା ଡଃ ଜୟପ୍ରଦା ମହାପାତ୍ର, ଯୁବ ରେଡକ୍ରସର ସଂଯୋଜିକା ଅଧ୍ୟାପିକା ଡଃ ଲୀନା ଲିଲିୟାନ୍, ବରିଷ୍ଠ ଅଧ୍ୟାପକ ଗଣେଶ୍ୱର ମାଝୀ, ଜାତୀୟ ସମର ଶିକ୍ଷାର୍ଥୀ ବାହିନୀର ପ୍ରଶିକ୍ଷିକା ଡଃ ସୁପ୍ରିୟା ଦାଶ ପ୍ରମୁଖ ଯୋଗଦେଇ ପରିବେଶ ପ୍ରଦୂଷଣର ମୁଖ୍ୟ କାରଣ ପ୍ଳାଷ୍ଟିକ୍ ଓ ପଲିଥିନ୍ ହୋଇଥିବା ବେଳେ ଅଧିକାଂଶ ଲୋକଙ୍କ ମଧ୍ୟରେ ସଚେତନତାର ଅଭାବ ଯୋଗୁଁ ଦିନକୁ ଦିନ ନାନା କାରଣରୁ ପରିବେଶ ପ୍ରଦୂଷଣ ହେବାରେ ଲାଗିଛି । ପରିବେଶ ନଷ୍ଟ ହେଉଥିବାରୁ ଦିନକୁ ଦିନ ଅନେକ ପ୍ରଜାତିର ପକ୍ଷୀ ଲୋପ ପାଇଗଲେଣି । ଘରଚଟିଆର ଚିକିରି ମିଚିର ଶବ୍ଦ ଆଉ ଶୁଣିବାକୁ ମିଳୁନାହିଁ । ଶଙ୍ଖଚିଲ୍ଲ ହୁଅନ୍ତୁ କି ଶାଗୁଣା ପକ୍ଷୀ ଏବେ ପ୍ରାୟତଃ ପୂର୍ବପରି ଦେଖିବାକୁ ମିଳୁନାହିଁ । ପରିବେଶ ସହ ଖାପ ଖୁଆଇ ନପାରି ଅନେକ ଜୀବ ଏହି ଧରାପୃଷ୍ଟରୁ ଦିନକୁ ଦିନ ଲୋପ ପାଇବାରେ ଲାଗିଛନ୍ତି । ତେଣୁ ସମସ୍ତେ ମିଳିମିଶି ପ୍ଳାଷ୍ଟିକମୁକ୍ତ ସଚେତନତା କାର୍ଯ୍ୟକ୍ରମକୁ ଆହୁରି ବ୍ୟାପକ କରିବାକୁ ଆହ୍ୱାନ କରିଥିବା ଲକ୍ଷ୍ୟ କରାଯାଇଥିଲା । ଆସିକା ନିରଞ୍ଜନ ସରକାରୀ ମହିଳା ମହାବିଦ୍ୟାଳୟ ପକ୍ଷରୁ ଅନୁଷ୍ଠିତ ହୋଇଥିବା ଏହି ପ୍ଳାଷ୍ଟିକମୁକ୍ତ ସଚେତନତା କାର୍ଯ୍ୟକ୍ରମରେ ଶିକ୍ଷାନୁଷ୍ଠାନର ସମସ୍ତ ଅଧ୍ୟାପକ, ଅଧ୍ୟାପିକା ଓ ଛାତ୍ରୀମାନେ ଯୋଗଦେଇଥିଲା ବେଳେ ଏହି ଅବସରର କଲେଜ କ୍ୟାମ୍ପସକୁ ପ୍ଳାଷ୍ଟିକମୁକ୍ତ କରିବା ପାଇଁ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।