ପିଏମ୍ଶ୍ରୀ ହରିହର ହାଇସ୍କୁଲର ବାର୍ଷିକ କ୍ରୀଡା ପ୍ରତିଯୋଗିତା ଉଦ୍ଘାଟିତ
ଆସିକା (ୱାଇଏନ୍ଏସ୍): ଆସିକା ଏନ୍ଏସି ଅଧିନସ୍ଥ ସର୍ବ ପୁରାତନ ପିଏମ୍ଶ୍ରୀ ହରିହର ହାଇସ୍କୁଲର ୧୧୦ତମ ବାର୍ଷିକ କ୍ରୀଡା ପ୍ରତିଯୋଗିତା ମଙ୍ଗଳବାର ଶିକ୍ଷାନୁଷ୍ଠାନର ଷ୍ଟାଡିୟମ୍ ପରିସରରେ ଉଦ୍ଘାଟିତ ହୋଇଯାଇଛି । ପିଏମ୍ଶ୍ରୀ ହରିହର ହାଇସ୍କୁଲର ପ୍ରଧାନଶିକ୍ଷକ ରମାକାନ୍ତ ମହାନ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବାର୍ଷିକ କ୍ରୀଡା ପ୍ରତିଯୋଗିତାର ଉଦ୍ଘାଟନୀ ଅବସରରେ ବିଦ୍ୟାର୍ଥୀମାନେ ଅଧୀଷ୍ଠାତ୍ରୀ ଦେବୀ ମା ଖମ୍ବେଶ୍ୱରୀଙ୍କ ପୀଠରେ ପହଞ୍ଚି ପୂଜାର୍ଚ୍ଚନା କରି ଏକ ମଶାଲ୍ ଶୋଭାଯାତ୍ରାରେ ଆସି ଖେଳପଡିଆରେ ପହଞ୍ଚିଥିଲେ । ଆସିକା ପିଏମ୍ଶ୍ରୀ ହରିହର ହାଇସ୍କୁଲର ପ୍ରଧାନଶିକ୍ଷକ ରମାକାନ୍ତ ମହାନ୍ତିଙ୍କ ସଂଯୋଜନାରେ ଆରମ୍ଭ ହୋଇଥିବା ଶିକ୍ଷାନୁଷ୍ଠାନର ଏହି ବାର୍ଷିକ କ୍ରୀଡା ପ୍ରତିଯୋଗିତାକୁ ଅନ୍ତର୍ଜାତୀୟ ବଡି ବିଲ୍ଡର୍ ତଥା ବିଦ୍ୟାଳୟର ପୁରାତନ ଛାତ୍ର ଏସ୍.ରାଜେଶ୍ବାବୁ ଆଚାରୀ କ୍ରୀଡାଧ୍ୱଜା ଉତ୍ତୋଳନ କରି ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିଥିଲା ବେଳେ ସମ୍ମାନିତ ଅତିଥି ରୂପେ ସରକାରୀ ଏନ୍ଏସି ହାଇସ୍କୁଲର ପ୍ରଧାନଶିକ୍ଷକ ବଳରାମ ପଣ୍ଡା ଯୋଗଦେଇ ଛାତ୍ର ମାନେ ପାଠପଢା ସହ ଖେଳକୁଦ ପ୍ରତି ଗୁରୁତ୍ୱ ଦେଲେ ଉଲ୍ଲେଖନୀୟ ସଫଳତା ହାସଲ କରିବା ସାଙ୍ଗକୁ ବିଦ୍ୟାର୍ଥୀଙ୍କ ଶାରୀରିକ ଓ ମାନସିକ ବିକାଶରେ ଖେଳକୁଦର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ହୋଇଥିବାରୁ କ୍ରୀଡାବିତ୍ମାନେ କ୍ରୀଡା କ୍ଷେତ୍ରରେ ଉତ୍କର୍ଷତା ପ୍ରତିପାଦନ କରିବାକୁ ଆହ୍ୱାନ କରିଥିବା ଲକ୍ଷ୍ୟ କରାଯାଇଥିଲା । ଆସିକା ପିଏମ୍ଶ୍ରୀ ହରିହର ହାଇସ୍କୁଲର ୧୧୦ତମ ବାର୍ଷିକ କ୍ରୀଡା ପ୍ରତିଯୋଗିତା ଅବସରରେ ପ୍ରଥମରୁ ଦଶମ ଶ୍ରେଣୀରେ ଅଧ୍ୟୟନରତ ଥିବା ପ୍ରାୟ ୪ ଶହରୁ ଉର୍ଦ୍ଧ୍ୱ ବିଦ୍ୟାର୍ଥୀ ମାନେ ଦୌଡ, ଲମ୍ବାଡିଆଁ, ଉଚ୍ଚଡିଆଁ, ଡିସ୍କସ୍ ଥ୍ରୋ, ସଟ୍ଫୁଟ୍ ଥ୍ରୋ ଭଳି ୨୪ଟି ବିଭିନ୍ନ ଖେଳରେ ଭାଗ ନେଉଥିବା ଲକ୍ଷ୍ୟ କରାଯାଇଥିଲା । ଆସନ୍ତାକାଲି ପର୍ଯ୍ୟନ୍ତ ଅନୁଷ୍ଠିତ ହେବାକୁ ଥିବା ଏହି ବାର୍ଷିକ କ୍ରୀଡା ପ୍ରତିଯୋଗିତାକୁ ସୁପରିଚାଳନା କରିବା ଦିଗରେ କ୍ରୀଡାଶିକ୍ଷକ ମନୋରଜଂନ ପଣ୍ଡା, ସହକାରୀ ଶିକ୍ଷକ ସୁଶାନ୍ତ କୁମାର ପଣ୍ଡା, ରଂଜିତ୍ କୁମାର ପ୍ରଧାନ, ପ୍ରଶାନ୍ତ କୁମାର ନାୟକ, ରଜନୀରାଣୀ ଦାଶ, ଜୁଲି ରଥ, ଅର୍ଚ୍ଚନା କୁମାରୀ ପାଢୀ, ଚନ୍ଦ୍ରିକା ସୁନା, ମମତା ଭଂଜ, ଦେବେନ୍ ନାୟକ, ବଟକୃଷ୍ଣ ଗୌଡ, ସବିତା ତ୍ରିପାଠୀ, ଗାୟତ୍ରୀ ପାତ୍ର, ନର୍ମଦା ସ୍ୱାଇଁଙ୍କ ସମେତ ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ସହଯୋଗ କରିଥିବା ଦେଖିବାକୁ ମିଳିଥିଲା । ଆସିକା ପିଏମ୍ଶ୍ରୀ ହରିହର ଉଚ୍ଚ ବିଦ୍ୟାଳୟର ବାର୍ଷିକ କ୍ରୀଡା ପ୍ରତିଯୋଗିତାର ଉଦ୍ଘାଟନୀ ଦିବସରେ ଶିକ୍ଷାନୁଷ୍ଠାନର ପ୍ରଧାନଶିକ୍ଷକ ରମାକାନ୍ତ ମହାନ୍ତିଙ୍କ ନେତୃତ୍ୱରେ ଭାରତ ସ୍କାଉଟସ୍ ଓ ଗାଇଡସ୍ର ସ୍ୱେଚ୍ଛାସେବୀ ଏବଂ ଏନ୍ସିସି କ୍ୟାଡେଟ୍ମାନେ ଆଗନ୍ତୁକ ଅତିଥିମାନଙ୍କୁ ଭବ୍ୟ ସ୍ୱାଗତ ଜ୍ଞାପନପୂର୍ବକ ଖେଳପଡିଆକୁ ପାଛୋଟି ନେଇଥିବା ଦେଖିବାକୁ ମିଳିଥିଲା ।


