ପୋଡାପାଟଣାକୁ ନୂତନ ଗ୍ରାମ ପଞ୍ଚାୟତ ଦାବୀ
ବନ୍ତ,(ଚାନ୍ଦିନୀ ମହାନ୍ତି) : ବନ୍ତ ବ୍ଲକ ପୋଡାପାଟଣାକୁ ନୂତନ ଗ୍ରାମ ପଞ୍ଚାୟତ ଦାବୀ ନେଇ ଆଜି ପୋଡାପାଟଣା ଠାରେ ୪ର୍ଥ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଟିଲୋ-କଣ୍ଟାପଡା, ଭୁବନେଶ୍ୱରପୁର, ଶାଳକଣିଆ ସମେତ ୭ଟି ଗ୍ରାମର ବୁଦ୍ଧିଜୀବି, ସମାଜସେବୀ ଓ ଜନସାଧାରଣ ମାନେ ଯୋଗ ଦେଇଥିଲେ । ଶିକ୍ଷାବିତ୍ ପ୍ରଶାନ୍ତ କୁମାର ବେହେରାଙ୍କ ଆବାହକତ୍ୱରେ ଅନୁଷ୍ଠିତ ବୈଠକରେ ବରିଷ୍ଠ ନାଗରିକ ରବିନ୍ଦ୍ର ଦାସ, ବସନ୍ତ କୁମାର କର, ସୁବାଷ ଦାସ, ରମେଶ ଜେନା, ମନୋଜ ଦାସ, ରବିନ୍ଦ୍ର ଓଝା, ଅଶୋକ କୁମାର ଦାସ, ସେକ୍ ସୌକତ ଅଳ୍ଲୀ, ସଞ୍ଜୟ କୁମାର ସାହୁ, ଦିଗମ୍ବର ଜେନା, ରମାକାନ୍ତ ଜେନା, ଅବସରପ୍ରାପ୍ତ ଶିକ୍ଷକ କୈଳାସ ଚନ୍ଦ୍ର ପେଡା, ପଦ୍ମଲୋଚନ ଦାସ, କଳିଙ୍ଗ ଦାସ, ପ୍ରଶାନ୍ତ ଦାସ, ବଟକୃଷ୍ଣ ସାହୁ, ନରେନ୍ଦ୍ର କୁମାର ରାଉଳ, କାହ୍ନୁ ଚରଣ ବେହେରା, ବିଭୂତି ପଲେଇଙ୍କ ସମେତ ବହୁ ଜନସାଧାରଣ ଉପସ୍ଥିତ ଥିଲେ । ବୈଠକରେ ନୂତନ ପଞ୍ଚାୟତ ଗଠନର ଆବଶ୍ୟକତା ସମ୍ପର୍କରେ ଆଲୋଚନା ହୋଇଥିଲା । ଟିଲୋ ପଞ୍ଚାୟତର ଜନସଂଖ୍ୟା ୧୦ ହଜାରୁ ଉର୍ଦ୍ଧ୍ୱ ହୋଇଥିବା ବେଳେ କପାଳୀ ନଦୀ ଉପକୂଳ ବର୍ତ୍ତୀ ପ୍ରାୟ ୧୦ ଗ୍ରାମର ଦୂରତା ପଞ୍ଚାୟତ ଠାରୁ ୫କିମିରୁ ଉର୍ଦ୍ଧ୍ୱ ହେବ । ବର୍ଷା ଦିନେ ଉପରୋକ୍ତ ଗ୍ରାମର ଲୋକ ମାନେ ପଞ୍ଚାୟତକୁ ଯାତାୟତ କରିବାରେ ଅସୁବିଧାର ସମ୍ମୁଖୀନ ହୋଇ ଆସୁଛନ୍ତି । ଏପରିପେକ୍ଷୀରେ ରାଜ୍ୟ ସରକାର ପଞ୍ଚାୟତ ପୁର୍ନଗଠନ ପାଇଁ ସମସ୍ତ ପ୍ରକ୍ରିୟା ଜାରି ରଖିଥିବା ବେଳେ ପୋଡାପାଟଣାକୁ ନୂତନ ଗ୍ରାମ ପଞ୍ଚାୟତ ଘୋଷଣା କରାଗଲେ ସମସ୍ତ ଜନସାଧାରଣ ଉପକୃତ ହୋଇ ପାରିବେ ବୋଲି ଆଲୋଚନା ହୋଇଥିଲା । ୧ ଓ ୨ ନଂ.ୱାର୍ଡକୁ ନେଇ ପୋଡାପାଟଣା, ୩ନଂ.ୱାର୍ଡରେ ଭୁବନେଶ୍ୱରପୁର ଓ ଶାଳକଣିଆ, ୬ ନଂ.ୱାର୍ଡରେ ଟିଲୋ କଣ୍ଟାପଡା, ୭ନଂ.ୱାର୍ଡରେ ଭାରତୀମଠ, ବଉଳସାହି ଏବଂ ୧୧ନଂ.ୱାର୍ଡରେ ହାଟସାହିର ଆଂଶିକ ରହିଥିବା ବେଳେ ଏସମସ୍ତ ୱାର୍ଡ ଏବଂ ଗ୍ରାମର ଲୋକ ସଂଖ୍ୟା ପ୍ରାୟ ୫ ହଜାରରୁ ଉର୍ଦ୍ଧ୍ୱ ହେବ । ତେବେ ସରକାରୀ ଗାଇଡ ଲାଇନ ଅନୁସାରେ ପୋଡାପାଟଣା ନୂତନ ଗ୍ରାମ ପଞ୍ଚାୟତ ପାଇଁ ଯୋଗ୍ୟ ବୋଲି ବୈଠକରେ ମତ ପ୍ରକାଶ ପାଇଥିଲ । ଏହି ଦାବୀ ସମ୍ପର୍କରେ ଖୁବ ଶିଘ୍ର ମୁଖ୍ୟମନ୍ତ୍ରୀ, ପଞ୍ଚାୟତରାଜ ମନ୍ତ୍ରୀ, ପଞ୍ଚାୟତରାଜ ସଚିବ, ଜିଲାପାଳ, ବିଡିଓ ଓ ତହସିଲଦାରଙ୍କୁ ଲିଖିତ ଅବଗତ କରାଯିବ ବୋଲି ନିଷ୍ପତ୍ତି ହୋଇଥିଲା ।


