କବି ସଞ୍ଜୟ ରଥଙ୍କ ଜନ୍ମଦିବସ ପାଳିତ
କେନ୍ଦ୍ରାପଡ଼ା,(ଚିତ୍ତ ରଞ୍ଜନ ଦାଶ): ପୁରାତନ ସାହିତ୍ୟ ପ୍ରତିଷ୍ଠାନ ରାଜଶ୍ରୀ କଳା ଓ ସାହିତ୍ୟ ସଂସଦର ମାସିକ ବନ୍ଧୁ ମିଳନ ପର୍ବ ଆଭାସୀ ବୈଠକ ମାଧ୍ୟମରେ ଅନୁଷ୍ଠିତ ହୋଇଯାଇଛି। ବନ୍ଧୁ ମିଳନର ଏହି ମୁହୂର୍ତ୍ତରେ ରାଜଶ୍ରୀର ମାର୍ଗଦର୍ଶକ କବି ସଞ୍ଜୟ କୁମାର ରଥଙ୍କ ୭୦ତମ ଜନ୍ମ ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ମାସିକ ରାଜଶ୍ରୀ ‘ଇ’ ପତ୍ରିକା “ଦିବ୍ୟଦ୍ରଷ୍ଟା ସଞ୍ଜୟ’କୁ ବିଶିଷ୍ଟ ସାହିତ୍ୟିକ ତଥା ବିଧାନସଭାର ପ୍ରାକ୍ତନ ସଚିବ ଦାଶରଥି ଶତପଥୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଲୋକାର୍ପଣ କରିଛନ୍ତି। ସଂସଦର ଯୁଗ୍ମ ସମ୍ପାଦିକା କବି ସୁପ୍ରିୟା ସାହୁଙ୍କ ଅଳଙ୍କରଣରେ ପତ୍ରିକାଟି ଲୋକାର୍ପିତ ହୋଇଥିଲା। ଖଣ୍ଡପଡ଼ାର ବିଧାୟକ ଦୁଷ୍ମନ୍ତ କୁମାର ସ୍ୱାଇଁ ବିଶିଷ୍ଟ ଅତିଥି, ସୁନାମଧନ୍ୟ ଭାଷ୍ୟକାର ପଣ୍ଡିତ ଅନାଦି ଚରଣ ମାହାଳି ମୁଖ୍ୟବକ୍ତା ଏବଂ ସମ୍ମାନିତ ଅତିଥି ଭାବେ ବରିଷ୍ଠ କବି ବିପିନ ବିହାରୀ ବାରିକ ଓ ବାଣୀପୁତ୍ର କୁଳମଣି ବାରିକ ଆଦି କବି ସଞ୍ଜୟ ରଥଙ୍କ ସାତ ଦଶନ୍ଧିର ଆଦର୍ଶ ଜୀବନଚର୍ଯ୍ୟା ଏବଂ ସାରସ୍ୱତ ସାଧନା ଉପରେ ଆଲୋଚନା କରିଥିଲେ। ଓଡ଼ିଆ ଭାଷା ସାହିତ୍ୟର ପ୍ରଚାର ପ୍ରସାରରେ ରାଜଶ୍ରୀର ମହତ୍ତ୍ୱପୂର୍ଣ୍ଣ ଭୂମିକା ଓ ସେଥିରେ କବି ରଥଙ୍କ ମାର୍ଗ ନିର୍ଦ୍ଦେଶନା ଉପରେ ଅତିଥିମାନେ ଆଲୋକପାତ କରିବା ସଙ୍ଗେ ସଙ୍ଗେ ତାଙ୍କୁ ଅଭିନନ୍ଦନ ଜ୍ଞାପନ କରିଥିଲେ। ବିଶିଷ୍ଟ ପରିବେଶବିତ୍ ତଥା ରାଜଶ୍ରୀର ସଭାପତି କାଶୀନାଥ ରାଉତରାୟଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାକୁ ସଂସଦ ସମ୍ପାଦକ ଆଶୁ କବି ହେମନ୍ତ ଜେନା ସଞ୍ଚାଳନ କରିଥିଲେ। ପଣ୍ଡିତ ପ୍ରଜ୍ଞାଶ୍ରୀ ପ୍ରମୋଦ ତ୍ରିପାଠୀ ବେଦପାଠ, କବି ମଞ୍ଜୁଶ୍ରୀ ବରାଳ ସ୍ୱାଗତ ଭାଷଣ, କବି ସୁପ୍ରିୟା ସାହୁ ଓ ଅଧ୍ୟାପକ ନିଧି ସାହୁ ଜଗନ୍ନାଥ ଭଜନ ପରିବେଷଣ କରିଥିବା ବେଳେ କବି ପ୍ରମୋଦ କୁମାର ପାଢ଼ୀ କବିତାରେ ଧନ୍ୟବାଦ ଅର୍ପଣ କରିଥିଲେ। ଉକ୍ତ ସାରସ୍ୱତ ଉତ୍ସବରେ ବିଭିନ୍ନ ଜିଲ୍ଲାରୁ ଯୋଗଦେଇ ଥିବା ବିଶିଷ୍ଟ ଶିଶୁ ସାହିତ୍ୟିକ କବି ଭକ୍ତ ଚରଣ ସାହୁ, ପ୍ରାବନ୍ଧିକ ବାବାଜୀ ଚରଣ ଦାସ, ନାଟ୍ୟକାର ଡ. ରମାକାନ୍ତ ନାୟକ, କବି ଡ.ନିର୍ମଳ ନାୟକ, ଅଧ୍ୟାପିକା ଡ.ମନ୍ଦାକିନୀ ପାଢ଼ୀ, କବି ହାସ୍ୟମୟୀ ରାଜ୍, କବି ଶୋଭାମୟୀ ପତ୍ରୀ, କବି ରଞ୍ଜିତା କୁମାରୀ ପତି, କବି ସୁଜିତ କୁମାର ପଣ୍ଡା, କବି ରତି ନାରାୟଣ ରାଉତ, କବି ପ୍ରଜ୍ଞାଲୀନ ସାହୁ, କବି ରଙ୍କନିଧି ସେଠୀ, କବି ଗୀତାଞ୍ଜଳି ସାହୁ, କବି ଧନେଶ୍ୱର ସେଠୀ, କବି ବ୍ରଜସୁନ୍ଦର ସାହୁ, ବ୍ୟଙ୍ଗ କବି ଅପର୍ତ୍ତି ଚରଣ ସେଠୀ, ସମାଜସେବୀ ଅକ୍ଷୟ କୁମାର ତରାଇ ଓ ଜିତେନ୍ଦ୍ର କୁମାର ମହାନ୍ତି, କବି ପବିତ୍ର କୁମାର ମାହୁନ୍ତ, କବି ବନଲକ୍ଷ୍ମୀ ମହାନ୍ତି, କବି ପ୍ରେମଲତା ଗିରି, କବି ସନ୍ନିଭା ମିଶ୍ର ଦାଶ, ଗୀତିକାର ରଞ୍ଜିତ କୁମାର ଦଳାଇ, କବି ରାଜେଶ୍ୱରୀ ମହାନ୍ତି , ଅଭିନେତ୍ରୀ ଜ୍ୟୋତ୍ସ୍ନାରାଣୀ ସେଠ, କବି ମୋନାଲିସା ସିଂହ ଏବଂ କବି ପୂର୍ଣ୍ଣଚନ୍ଦ୍ର ମେହେର ପ୍ରମୂଖ ବରିଷ୍ଠକବି ସଞ୍ଜୟ ରଥଙ୍କୁ ଶୁଭେଚ୍ଛା ଜଣାଇ କବିତା ପାଠ କରିଥିଲେ। ଶେଷରେ କଣ୍ଠଶିଳ୍ପୀ ରତି ନାରାୟଣ ରାଉତ ଶାନ୍ତି ମନ୍ତ୍ର ପାଠ କରିଥିଲେ।


