କବିତା ପାଠୋତ୍ସବ ଅନୁଷ୍ଠିତ
ବାଲେଶ୍ଵର (ସରୋଜ ପଣ୍ଡା): ଓଡ଼ିଶାର ସଂସ୍କୃତି ଓ ସାହିତ୍ୟର ଗୌରବମୟ ଐତିହ୍ୟକୁ ସମ୍ମାନ ଜଣାଇବା ସହ ରାଜ୍ୟର ମହାନ ସନ୍ତାନମାନଙ୍କ ଅବଦାନକୁ ସ୍ମରଣ କରିବା ଉଦ୍ଦେଶ୍ୟରେ ଆଜି ବାଲେଶ୍ଵର ସଦର ମହକୁମାସ୍ଥିତ ସଦଭାବନା ସଭାଗୃହରେ ଓଡ଼ିଶାର ବରପୁତ୍ରମାନଙ୍କ ଉପରେ ଏକ ଆଲୋଚନା ଚକ୍ର ଏବଂ କବିତା ପାଠୋତ୍ସବ ଆୟୋଜିତ ହୋଇଯାଇଛି। ଏହି ସଭାରେ ସମ୍ମାନିତ ଅତିଥି ଭାବେ ମାନ୍ୟବର ବିଧାୟକ, ଜଳେଶ୍ଵର ଶ୍ରୀ ଅଶ୍ଵିନୀ କୁମାର ପାତ୍ର, ମାନ୍ୟବର ବିଧାୟିକା, ବସ୍ତା ଶ୍ରୀମତୀ ସୁବାସିନୀ ଜେନା, ମାନ୍ୟବର ଅଧ୍ୟକ୍ଷ, ଜିଲ୍ଲା ପରିଷଦ, ବାଲେଶ୍ଵର ଶ୍ରୀ ନାରାୟଣ ପ୍ରଧାନ, ମାନ୍ୟବର ପୌରାଧ୍ୟକ୍ଷା, ବାଲେଶ୍ଵର ପୌରପାଳିକା ଶ୍ରୀମତୀ ସବିତା ସାହୁ, ଜିଲ୍ଲାପାଳ ଶ୍ରୀ ସୂର୍ଯ୍ୟବଂଶୀ ମୟୂର ବିକାଶ ଓ ଡଃ ମଧୁସ୍ମିତା ସାମନ୍ତରାୟ, ଉପ-ଜିଲ୍ଲାପାଳ, ବାଲେଶ୍ଵର ମଂଚାସୀନ ଥିଲେ। ସଭା ପ୍ରାରମ୍ଭରେ ପ୍ରଦୀପ ପ୍ରଜ୍ଜୋଳନ, ମାଲ୍ୟାର୍ପଣ ଓ ରାଜ୍ୟ ସଙ୍ଗୀତ “ବନ୍ଦେ ଉତ୍କଳ ଜନନୀ” ଗାନ କରାଯାଇଥିଲା । ସ୍ଵାଗତ ସମ୍ଭାଷଣ ପରେ ଓଡ଼ିଶାର ବରପୁତ୍ରମାନଙ୍କ ଉଦ୍ଦେଶ୍ୟରେ ରାଜ୍ୟ ସରକାରଙ୍କ ଦ୍ଵାରା ପ୍ରେରିତ ଏକ କ୍ଷୁଦ୍ର ଚଳଚ୍ଚିତ୍ର ପ୍ରଦର୍ଶିତ ହୋଇଥିଲା। ପରବର୍ତ୍ତୀ ଅଧିବେଶନରେ ଓଡ଼ିଶା ସାହିତ୍ୟ ଏକାଡେମୀ ସଂଯୋଜକ ଶ୍ରୀ ଶିରିଶ ଚନ୍ଦ୍ର ଜେନାଙ୍କ ସଭାପତିତ୍ଵରେ ଓଡ଼ିଶାର ମହାନ ସନ୍ତାନମାନଙ୍କ ଜୀବନ ଓ କୃତି ଉପରେ ଆଲୋଚନା ଚକ୍ର ଆୟୋଜିତ ହୋଇଥିଲା । ବରେଣ୍ୟ ଅତିଥି ଶ୍ରୀ ବିପିନ ବିହାରୀ ବିଶ୍ଵାଳ ବକ୍ତବ୍ୟ ରଖିଥିଲେ। ଶ୍ରୀଧର ସ୍ଵାମୀ ସ୍ମୃତି ପରିଷଦ, ରେମୁଣାର ଉପଦେଷ୍ଟା ଶ୍ରୀ ଭାଗବତ ପ୍ରସାଦ ଦାସ ପଣ୍ଡିତ ଶ୍ରୀଧର ସ୍ଵାମୀ ଓ ଶ୍ରୀ ବଳଦେବ ବିଦ୍ୟାଭୂଷଣଙ୍କ ଉପରେ ବକ୍ତବ୍ୟ ଦେଇଥିବା ବେଳେ ଗବେଷକ ଶ୍ରୀ ଲକ୍ଷ୍ମୀକାନ୍ତ ତ୍ରିପାଠୀ ଭକ୍ତକବି ଦୀନକୃଷ୍ଣ ଦାସଙ୍କ ଉପରେ ବକ୍ତବ୍ୟ ଦେଇଥିଲେ। ସେହି ଭଳି ଫକୀର ମୋହନ ସ୍ଵୟଂଶାସିତ ମହାବିଦ୍ୟାଳୟର ଓଡ଼ିଆ ବିଭାଗ ମୁଖ୍ୟ ଡଃ ସନ୍ତୋଷ କୁମାର ନାୟକ ବ୍ୟାସକବି ଫକୀର ମୋହନ ସେନାପତିଙ୍କ ଉପରେ ବକ୍ତବ୍ୟ ଦେଇଥିଲେ, ଅବସରପ୍ରାପ୍ତ ପ୍ରଫେସର ଡଃ ରବୀନ୍ଦ୍ର ବିହାରୀ କବିବର ରାଧାନାଥ ରାୟଙ୍କ ଉପରେ ବକ୍ତବ୍ୟ ରଖିଥିଲେ ଓ ଶେଷରେ ମନୋଜାୟନର ସମ୍ପାଦକ ଶ୍ରୀ ସୁବାସ ଚନ୍ଦ୍ର ପାତ୍ର ପଦ୍ମଭୂଷଣ ମନୋଜ ଦାସଙ୍କ ଜୀବନୀ ଉପରେ ଆଲୋକପାତ କରିଥିଲେ।