କବିତା ପାଠୋତ୍ସବ ଅନୁଷ୍ଠିତ
ନୂଆପଡ଼ା,(ଲିଲାମ୍ବର ନାଗ): ଓଡ଼ିଆ ପକ୍ଷ ପାଳନ ଅବସରରେ ଜିଲ୍ଲା ସଂସ୍କୃତି ପରିଷଦ, ନୂଆପଡ଼ା ପକ୍ଷରୁ ଆଜି ସଦର ମହକୁମା ସ୍ଥିତ ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନ (ଡାଏଟ) ଠାରେ ଓଡ଼ିଶାର ବନ୍ଦନୀୟ ବରପୁତ୍ରମାନଙ୍କ ଶୀର୍ଷକରେ ଆଲୋଚନାଚକ୍ର ଓ କବିତା ପାଠୋତ୍ସବ ଅନୁଷ୍ଠିତ ହୋଇଯାଇଛି। ଓଡ଼ିଶାର ବରପୁତ୍ରମାନଙ୍କ ତ୍ୟାଗ, ବଳିଦାନ ଓ ଅବଦାନକୁ ସ୍ମରଣ କରିବା ସହ ଆଗାମୀ ପିଢ଼ିଙ୍କ ମନରେ ସେମାନଙ୍କ ଆଦର୍ଶ ପ୍ରତିଷ୍ଠା କରିବା ଏହି କାର୍ଯ୍ୟକ୍ରମର ମୂଳ ଉଦ୍ଦେଶ୍ୟ ଥିଲା।ଏହି କାର୍ଯ୍ୟକ୍ରମରେ ଜିଲ୍ଲାପାଳ ମଧୁସୂଦନ ଦାଶ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଓଡ଼ିଶାର ବରପୁତ୍ରମାନଙ୍କ ଅସାମାନ୍ୟ ଅବଦାନକୁ ସ୍ମରଣ କରିଥିଲେ। ସେ କହିଥିଲେ ଯେ, ଯେଉଁମାନେ ସମାଜ ଓ ରାଷ୍ଟ୍ରର ଉନ୍ନତି ପାଇଁ ନିଜ ସ୍ୱାର୍ଥକୁ ତ୍ୟାଗ କରି କାମ କରିଛନ୍ତି, ସେମାନେ ହିଁ ପ୍ରକୃତ ବରପୁତ୍ର। ଯୁବପିଢ଼ିଙ୍କୁ ସେମାନଙ୍କ ଆଦର୍ଶକୁ ଅନୁସରଣ କରି ଜୀବନରେ ଆଗକୁ ବଢ଼ିବାକୁ ସେ ଆହ୍ୱାନ ଜଣାଇଥିଲେ। ଅତିରିକ୍ତ ଜିଲ୍ଲାପାଳ ସୁବାସ ଚନ୍ଦ୍ର ରଇତ, ମୁଖ୍ୟ ଉନ୍ନୟନ ଅଧିକାରୀ ଲମ୍ବୋଦର ଧରୁଆ, ଉପ ଜିଲ୍ଲାପାଳ ଶ୍ରୀମତୀ ସୁର୍ମୀ ସୋରେନ, ଜିଲ୍ଲା ପରିଷଦ ଅତିରିକ୍ତ କାର୍ଯ୍ୟନିର୍ବାହୀ ଅଧିକାରୀ କ୍ଷମାନିଧି ଭୋଇ, କବି ଅଶୋକ କୁମାର ପଟ୍ଟନାୟକ ଓ ଡାଏଟ ଅଧ୍ୟକ୍ଷ ନରୋତ୍ତମ ଭୋଇ ପ୍ରମୁଖ ମଞ୍ଚାସୀନ ଥିଲେ। ଅତିଥିମାନେ ଓଡ଼ିଶାର ବିଭିନ୍ନ ବରପୁତ୍ରମାନଙ୍କ ଜୀବନୀ, ସାହସ ଓ ସେବାଭାବ ସମ୍ପର୍କରେ ଆଲୋକପାତ କରିଥିଲେ।ଆଲୋଚନାଚକ୍ର ସହିତ କବିତା ପାଠୋତ୍ସବ ଅନୁଷ୍ଠିତ ହୋଇଥିଲା। ଜିଲ୍ଲାର ବିଭିନ୍ନ ପ୍ରାନ୍ତରୁ ଆସିଥିବା ବହୁ ସଂଖ୍ୟକ କବି ଓ କବୟତ୍ରୀମାନଙ୍କ ସହିତ ଡାଏଟର ଶିକ୍ଷାର୍ଥୀମାନେ ମଧ୍ୟ ସକ୍ରିୟ ଭାବେ ଅଂଶଗ୍ରହଣ କରି ବରପୁତ୍ରମାନଙ୍କୁ ଆଧାର କରି ସ୍ୱରଚିତ କବିତା ପାଠ କରିଥିଲେ।ଜିଲ୍ଲା ସଂସ୍କୃତି ଅଧିକାରୀ ରମେଶ ମହରା ଏହି କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ। ଶେଷରେ ଜିଲ୍ଲା ପରିଷଦ ଅତିରିକ୍ତ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ଦ୍ୱାରା ଧନ୍ୟବାଦ ଅର୍ପଣ ସହ କାର୍ଯ୍ୟକ୍ରମର ସମାପ୍ତି ଘୋଷଣା କରାଯାଇଥିଲା।


