ହାଟଡିହି (ଓ୍ବାଇଏନଏସ) ବେଆଇନ୍ ବାଲି ପରିବହନ ବେଳେ ମାଡି ବସିଲା ପୁଲିସ ଓ ଖଣି ବିଭାଗର ଅଧିକାରୀ। ବର୍ଷାଋତୁକୁ ଲକ୍ଷ୍ୟ ରଖି କେନ୍ଦୁଝର ଜିଲ୍ଲାରେ ପ୍ରଶାସନ ତରଫରୁ ଜୁନ୍ ୫ତାରିଖରୁ ଅକ୍ଟୋବର ୧୫ ତାରିଖ ପର୍ଯ୍ୟନ୍ତ ବାଲି ପରିବହନ ସମ୍ପୂର୍ଣ୍ଣ ବନ୍ଦ କରାଯାଇଛି । ହେଲେ ବୈତରଣୀ ଅବବାହିକାର ହାଟଡିହି ବ୍ଲକ୍ ଅଞ୍ଚଳରେ ଥିବା ବାଲିଘାଟ ଲିଜଧାରୀ ମାନେ ଏହାକୁ ମାନୁନାହାଁନ୍ତି । ଯାହାର ସ୍ପଷ୍ଟ ପ୍ରମାଣ ଆଜିର ଏହି ବଡବଡ ଗାଡିରେ ବାଲି ଚାଲାଣ ହେଉଥିବା ଘଟଣାରୁ ମିଳିଛି । ସୂଚନା ଅନୁଯାଇ ଆନନ୍ଦପୁର ଲଘୁ ଖଣିଜ ଅଧିକାରୀଙ୍କ ଚିଠି ନମ୍ବର ୭୫୦/୧୩.୬.୨୦୨୫ ଅନୁସାରେ ଜୁନ୍ ୫ରୁ ଅକ୍ଟୋବର ୧୫ ପର୍ଯ୍ୟନ୍ତ ମୌସୁମୀ ବର୍ଷା କାରଣରୁ ବାଲିଘାଟରୁ ବାଲି ଉତ୍ତୋଳନ ଓ ପରିବହନ ବନ୍ଦ କରାଯାଉଛି। ଏହାକୁ କେହି ମାନୁନାହାନ୍ତି। ବିଭିନ୍ନ ଘାଟରେ ବେଧଡ଼କ ଚାଲିଛି ବାଲି ଉତ୍ତୋଳନ। ବାରମ୍ବାର ଏନେଇ ବିଭିନ୍ନ ସମୟରେ ଗଣମାଧ୍ୟମରେ ଖବର ପ୍ରକାଶ ପାଉଥିଲେ ବି ପୂଲିସ ଓ ଖଣିବିଭାଗ ନୀରବ ଦ୍ରଷ୍ଟା ସାଜିଥିଲେ। ଫଳରେ ଶହ ଶହ ଟ୍ରିପ ବାଲି ବାହାର ରାଜ୍ୟ ସମେତ ପଶ୍ଚିମବଙ୍ଗକୁ ଚୋରା ଚାଲାଣ ହେଉଥିଲା। ସାଧାରଣ ଲୋକେ ଭୟରେ ପାଟି ଫିଟାଇ ପାରୁ ନଥିଲେ। ପୋଲିସ ସମ୍ମୁଖରେ ଗାଡ଼ି ସବୁ ଯାଉଥିଲେ ବି ନଦେଖିଲା ପରି ବାଟ କାଟି ପଳାଉଥିଲେ ପୁଲିସ ବାବୁମାନେ। ଏପରିକି ଗତ ଦୁଇଟି ଟ୍ରାକ୍ଟର ଓ ଗୋଟିଏ ହାଇୱା କୁ ଧରିଥିବା ବେଳେ ପରବର୍ତ୍ତୀ ସମୟରେ ଛାଡି ଦେଇଥିଲା। କିନ୍ତୁ ଆଜି ନନ୍ଦିପଦା ଥାନା ପୁଲିସ ଅଣା ସମଣା ରାସ୍ତାରେ ପେଟ୍ରୋଲିଂ କରିବାକୁ ଯିବା ସମୟରେ ୩ ବାଲି ବୋଝେଇ ହାଇୱା ଓ ଗୋଟିଏ ଟିପରକୁ ଜବଦ କରିଛି। ସେହିପରି ଖଣି ବିଭାଗର ଅଧିକାରୀ ମାନେ ଗୋଟିଏ ହାଇୱା ଜବଦ କରିବାରେ ସଫଳ ହୋଇଛନ୍ତି। ଗାଡ଼ି ଗୁଡିକୁ ନନ୍ଦିପଦା ଥାନା ସମ୍ମୁଖ ଆନନ୍ଦପୁର ଭଦ୍ରକ ରାସ୍ତା କଡ଼ରେ ରଖା ଯାଇଥିବା ବେଳେ ୪ଜଣ ଚାଳକଙ୍କୁ ଅଟକ ରଖିଛି। କିନ୍ତୁ ଏଠାରେ ପ୍ରଶ୍ନ ଉଠିଛି ଯେ ପ୍ରଶାସନର କଟକଣା ମାନୁ ନ ଥିବା ବାଲି ଲିଜ ଧାରୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନିଆ ଯାଉନି କାହିଁକି। କିଏ ଦେଉଛି ସେମାନଙ୍କୁ ପ୍ରୋତ୍ସାହନ। ଖଣିଜ ସୁରକ୍ଷା ଦିଗରେ ଲଘୁ ଖଣିଜ ବିଭାଗ ଯେଉଁ ପଦକ୍ଷେପ ନେବା କଥା ନେଉନାହିଁ। କାଁଭାଁ କେତେବେଳେ ଚଢ଼ଉ କରି ଗୋଟିଏ ଦୁଇଟି ଗାଡ଼ି ଧରି ବିଭାଗ ତା’ର ଦାୟିତ୍ଵ ସାରି ଦେଉଛି। ବାଲି ଚୋରା ଚାଲାଣ ହେଉଥିବା ଘାଟର ଲିଜ୍ ବାତିଲ ହେଉନି କି ଲିଜଧାରୀଙ୍କୁ କଳା ତାଲିକାଭୁକ୍ତ କରାଯାଉନି। ଫଳରେ ମାଫିଆ ମାଲାମାଲ ହେଉଥିବା ବେଳେ ସରକାର କୋଟି କୋଟି ଟଙ୍କାର ରାଜସ୍ବ ହରାଉଛନ୍ତି । ଅନ୍ୟ ପକ୍ଷରେ ବର୍ଷାଦିନେ ଭାରିଯାନ ଗୁଡ଼ିକ ଯାତାୟତ କରିବା ଯୋଗୁଁ କୋଟି କୋଟି ଟଙ୍କା ବ୍ୟୟରେ ନିର୍ମିତ ରାସ୍ତାଘାଟ ବିପର୍ଯ୍ୟସ୍ତ ହୋଇ ପଡ଼ୁଛି। ତେଣୁ ପୁଲିସ ଓ ଖଣି ବିଭାଗ ଏଥିପ୍ରତି ସଜାଗ ରହିବାକୁ ସଧାରଣରେ ଦାବି ହେଉଛି।