ମୋରମ ଚୋରା ଚାଲାଣ ବେଳେ ମାଡ଼ି ବସିଲା ପୁଲିସ, ୬ଟି ଟ୍ରକ ଜବତ
ହାଟଡିହି (ବିକାଶ ବିଶ୍ବାଳ): ମୋରମ ଚୋରା ଚାଲାଣ ବେଳେ ମାଡ଼ି ବସିଲା ସୋସୋ ପୁଲିସ। ବିଳମ୍ବିତ ରାତିରେ ଗାଡ଼ି ଗୁଡିକୁ ଜବଦ କରି ଥାନା ପରିସରକୁ ଆଣିଛି। ସୁଚନାରୁ ଜଣା ଯାଇଛି ଯେ କେନ୍ଦୁଝର ଜିଲ୍ଲା ସୀମାନ୍ତ ଝୁଣାବାଡି, ମହୁଲପଙ୍ଖା ଅଞ୍ଚଳରେ ମୋରମ୍ ମାଫିଆ ମାନେ ପ୍ରତିଦିନ ଟ୍ରିପ୍ ଟ୍ରିପ୍ ମୋରମ ଉଠାଇ କେନ୍ଦୁଝର, ବାଲେଶ୍ଵର ଓ ଭଦ୍ରକ ଜିଲ୍ଲାକୁ ଚାଲାଣ କରିଥାନ୍ତି। ଏହି ଅଞ୍ଚଲଟି ତିନୋଟି ଜିଲ୍ଳାର ସୀମାନ୍ତ ହେଉ ଥିବାରୁ ଏଠାରେ ଖଣି ବିଭାଗର ଚଢ଼ାଉ ପ୍ରାୟତ ହୋଇ ନଥାଏ। କେତେବେଳେ କିପରି ପୁଲିସ ଚଢ଼ାଉ କରିଥାଏ। ବାଲେଶ୍ୱର ଜିଲ୍ଲା ଖଇରା ପୁଲିସ ଚଢ଼ାଉ ବେଳେ ଏମାନେ କେନ୍ଦୁଝର ଜିଲ୍ଲା ଅଞ୍ଚଳକୁ ତ କେତେବେଳେ କେନ୍ଦୁଝର ଜିଲ୍ଲାର ସୋସୋ ପୁଲିସ ଚଢ଼ାଉ କଲେ ଏମାନେ ବାଲେଶ୍ବର ଜିଲ୍ଲା ସୀମାକୁ ପଳାଇ ଲୁଚକାଳି ଖେଳ ଖେଳିଥାନ୍ତି। ଅନେକବାର ପୁଲିସ ଚଢ଼ାଉ କରୁଥିଲେ ବି ଏମାନଙ୍କୁ ଧରିବାରେ ସଫଳ ହୁଏନି। ଗତକାଲି ରାତିରେ ଖଇରା ଅଞ୍ଚଳରେ ମୋରମ ଉତ୍ତୋଳନ କରିବା ସମୟରେ ଖଇରା ପୁଲିସ ଅତର୍କିତ ଚଢ଼ାଉ କରିବା ଜାଣି ଏମାନେ କେନ୍ଦୁଝର ଜିଲ୍ଲା ପଢିଆରିପଲ୍ଲୀ ପଞ୍ଚାୟତ ଝୁଣାବାଡି ଅଞ୍ଚଳକୁ ପଳାଇ ଆସିଥିଲେ। ଖବରପାଇ ସୋସୋ ଥାନା ଆଇ.ଆଇ.ସି ବିଜୟ କୁମାର ବିହାରୀ ସଦଳବଳେ ଚଢ଼ାଉ କରି ଝୁଣାବାଡି ନିକଟରୁ ୬ଟି ହାଇୱା ଓ ଡମ୍ପରକୁ ଅଟକ ରଖିଥିଲେ। ଡ୍ରାଇଭର ମାନେ ଗାଡ଼ି ଛାଡି ପଳାଇବାରେ ସକ୍ଷମ ହୋଇଥିଲେ। ମାଫିଆ ମାନେ ପୁଲିସ ନିକଟରୁ ଗାଡ଼ି ଗୁଡିକୁ ନେଇ ଯିବାକୁ ଅନେକ କସରତ କରିଥିଲେ ବି ସଫଳ ହୋଇ ନଥିଲେ। ସୋସୋ ପୁଲିସ ଜବଦ ଗାଡ଼ି ଗୁଡିକୁ ଥାନା ପରିସରକୁ ଆଣିଥିବା ବେଳେ କେସ ନଂ ୯୯/୨୦୨୫ରେ ଏକ ମାମଲା ରୁଜ୍ଜୁ କରିଥିବା ଥାନା ଆଇ.ଆଇ.ସି ବିଜୟ କୁମାର ବିହାରୀ କହିଛନ୍ତି।