ହନୁମାନ ଜୟନ୍ତୀ ଉପଲକ୍ଷେ ସହରରେ ପୋଲିସର ଫ୍ଲାଗମାର୍ଚ୍ଚ
କେନ୍ଦ୍ରାପଡ଼ା,(ଚିତ୍ତ ରଞ୍ଜନ ଦାଶ):କେନ୍ଦ୍ରାପଡ଼ାରେ ମଙ୍ଗଳବାର ହନୁମାନ ଜୟନ୍ତୀ ଉପଲକ୍ଷେ ବିଶେଷ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ଏଥିସହିତ ବଜରଙ୍ଗ ଦଳ ଓ ହନୁମାନ ଭକ୍ତମାନଙ୍କ ପକ୍ଷରୁ ସହରରେ ଏକ ବିରାଟ ଶୋଭାଯାତ୍ରା ଅନୁଷ୍ଠିତ ହେବାର କାର୍ଯ୍ୟକ୍ରମ ରହିଛି। ଏଥିରେ ୨୦ ହଜାରରୁ ଉର୍ଦ୍ଧ୍ୱ ଯୁବକ ସାମିଲ ହେବେ। ତେଣୁ କୌଣସି ଆଇନ୍ ଶୃଙ୍ଖଳା ପରିସ୍ଥିତି ନ ଉପୁଜିବା ନିମନ୍ତେ ପୋଲିସ ପକ୍ଷରୁ କେନ୍ଦ୍ରାପଡା ସହରରେ ସୋମବାର ସନ୍ଧ୍ୟାରେ ଫ୍ଲାଗମାର୍ଚ୍ଚ କରାଯାଇଛି। ଏହି ଫ୍ଲାଗମାର୍ଚ୍ଚ କେନ୍ଦ୍ରାପଡ଼ା ପୁରୁଣା ବସଷ୍ଟାଣ୍ଡରୁ ବାହାରି ସହର ମଧ୍ୟ ଦେଇ ତିନିମୁହାଣୀ ଛକ ପର୍ଯ୍ୟନ୍ତ ଯାଇଥିଲା। ଏହି ଫ୍ଲାଗମାର୍ଚ୍ଚରେ କେନ୍ଦ୍ରାପଡ଼ା ଏସ୍ପି ସିଦ୍ଧାର୍ଥ କଟ୍ଟାରିଆଙ୍କ ସହ ଦୁଇ ଅତିରିକ୍ତ ଏସ୍ପି, ୮ ଡିଏସ୍ପି, ୧୯ ଇନ୍ସପେକ୍ଟର, ୭୩ ସବ ଇନ୍ସପେକ୍ଟର ଓ ଏଏସ୍ଆଇ, ୧୫୨ ହାବିଲଦାର ଓ କନଷ୍ଟେବଳ, ୧୫୬ ଗୃହରକ୍ଷୀଙ୍କ ସମେତ ୭ ପ୍ଲାଟୁନ ପୋଲିସ ଫୋର୍ସ ସାମିଲ ହୋଇଥିଲେ। ଏହି ଅବସରରେ ଏସ୍ପି ଶ୍ରୀ କଟ୍ଟାରିଆ କହିଛନ୍ତି ହନୁମାନ ଜୟନ୍ତୀ ହେଉଛି ସଦ୍ଭାବନାର ଉତ୍ସବ। ଏହାକୁ ସମସ୍ତେ ମିଳିମିଶି ଶାନ୍ତିର ସହ ପାଳନ କରନ୍ତୁ। କେନ୍ଦ୍ରାପଡ଼ା ଏକ ଭାଇଚାରାର ସହର। ଏହି ଭାଇଚାରାକୁ ବଜାୟ ରଖିବା ପାଇଁ ସମସ୍ତଙ୍କୁ ସେ ନିବେଦନ କରିଛନ୍ତି।


