ପୋଲିସ କର୍ମଚାରୀଙ୍କୁ ଦୁର୍ବ୍ୟବହାର ଗାଡି ଭଙ୍ଗାରୁଜା ଘଟଣା: ନିଜଆଡୁ ମାମଲା ରୁଜୁ କଲା ପୋଲିସ
ଦିଗପହଣ୍ଡି, (ଅଳକ ନାଥ ମିଶ୍ର) ଦିଗପହଣ୍ଡି ଥାନା ଅନ୍ତର୍ଗତ ଗୋପାଳପୁର ଗ୍ରାମରେ ମହିଳା ଏଏସଆଇ ଝୁନୁ ମାଝୀ, ଏଏସଆଇ ମନୋଜ ସିଂ ଓ ଅନ୍ୟ କନେଷ୍ଟବଳ ମାନଙ୍କୁ ଆପତ୍ତିଜନକ ଭାଷାରେ ଗାଳିଗୁଲଜ ସହ ଦୁର୍ବ୍ୟବହାର ପ୍ରଦର୍ଶନ କରିବା ଏବଂ ଜଣେ ଅଟକ ବ୍ୟକ୍ତିଙ୍କୁ ଉଦ୍ଧାର କରି ଆଣିବା ସମୟରେ ପୋଲିସ ଗାଡି ଉପରକୁ ଢେଲାପଥର ମାଡ଼ ମାରି ଭଙ୍ଗାରୁଜା କରିବା ଅଭିଯୋଗରେ ପୋଲିସ ସମ୍ପୃକ୍ତ ବ୍ୟକ୍ତି ମାନଙ୍କ ବିରୁଦ୍ଧରେ ନିଜଆଡୁ ମାମଲା ରୁଜୁ କରିଛି। ଥାନା ମାମଲା ନଂ. ୪୩୮/୨୫ ଅନୁଯାୟୀ ମାମଲା ରୁଜୁ କରାଯାଇ ଏଏସଆଇ କହ୍ନେଇ ମିର୍ଦ୍ଧାଙ୍କୁ ତଦନ୍ତ ନିର୍ଦ୍ଦେଶ ଦିଆଯାଇଥିବା ଥାନା ଭାରପ୍ରାପ୍ତ ଆଇଆଇସି ତଥା ଡିଏସପି ପ୍ରଶାନ୍ତ କୁମାର ପାତ୍ର କହିଛନ୍ତି। ସୂଚନା ପ୍ରକାରେ ଗତ ସୋମବାର ରାତିରେ ଗୋପାଳପୁର ଗ୍ରାମ କୋଠଘରେ ଜଣେ ବ୍ୟକ୍ତିଙ୍କୁ ବେଆଇନ ଭାବେ ଅଟକ ରଖାଯାଇଥିବା ଖବର ପାଇ ପୋଲିସ ଅଧିକାରୀ ଓ କର୍ମଚାରୀ ବୃନ୍ଦ ସେଠାରେ ପହଞ୍ଚିଥିଲେ। ଲୋକଙ୍କୁ ବୁଝାଶୁଝା କରି ଅଟକ ବ୍ୟକ୍ତିଙ୍କୁ ଉଦ୍ଧାର କରି ଥାନା ଗାଡିରେ ବସାଇବା ପରେ ନିଶାସକ୍ତ ଅବସ୍ଥାରେ କିଛି ବ୍ୟକ୍ତି ସେଠାରେ ପହଞ୍ଚି ପୋଲିସ ସହ ଯୁକ୍ତିତର୍କ କରିବା ସହ ଗାଳିଗୁଲଜ କରିଥିଲେ। ରାତିରେ ଉତ୍ତେଜନା ବଢିବା ଆଶଙ୍କା କରି ପୋଲିସ ଟିମ୍ ଗ୍ରାମରୁ ଫେରିବା ବେଳେ ଥାନା ଗାଡି ଉପରକୁ ଲୋକେ ଢେଲାପଥର ମାଡ଼ କରିଥିଲେ। ଅପରପକ୍ଷରେ ଗଞ୍ଜାମ ଜିଲା ଚମାଖଣ୍ଡି ଥାନା ଅଞ୍ଚଳର ହର୍ଷବର୍ଦ୍ଧନ ସାହୁ ଓ ତାଙ୍କର କିଛି ସହଯୋଗୀ ଗୋପାଳପୁର ଗ୍ରାମ ରାସ୍ତାରେ ଜନୈକ ଅବସରପ୍ରାପ୍ତ ସେନା କର୍ମଚାରୀଙ୍କୁ ଅଟକାଇ ଲୁଟ୍ ଉଦ୍ୟମ କରିବା ସମୟରେ ଗ୍ରାମବାସୀ ଖବର ପାଇ ସେମାନଙ୍କୁ ଗୋଡ଼ାଇଥିଲେ। ତେବେ ହର୍ଷବର୍ଦ୍ଧନ ଙ୍କୁ ଗ୍ରାମବାସୀ ଧରିବାକୁ ସକ୍ଷମ ହୋଇଥିବା ବେଳେ ଅନ୍ୟ ମାନେ ଚମ୍ପଟ ମାରିଥିଲେ। ପରେ ହର୍ଷବର୍ଦ୍ଧନ ଙ୍କୁ କୋଠଘରେ ଅଟକ ରଖାଯାଇଥିଲା। ତାଙ୍କର ଜୀବନ ପ୍ରତି ବିପଦ ଥିବା ସୂଚନା ପାଇ ପୋଲିସ ଟିମ୍ ତାଙ୍କୁ ଉଦ୍ଧାର ପାଇଁ ପହଞ୍ଚିବା ପରେ ଏଭଳି ପରିସ୍ଥିତି ସୃଷ୍ଟି ହୋଇଥିବା ଜଣାପଡିଛି। ତେବେ ଗ୍ରାମର କୌଣସି ବ୍ୟକ୍ତି ସମ୍ପୃକ୍ତ ଲୁଟେରା ଗ୍ୟାଙ୍ଗ ବିରୁଦ୍ଧରେ ଏଯାବତ କୌଣସି ଏତଲା ଦେଇନଥିବା ଆଇଆଇସି କହିଛନ୍ତି।


