ସାହାରା ନର୍ସିଂହୋମକୁ ପୁଣି ସିଲ୍ କଲା ପୁଲିସ
ଦିଗପହଣ୍ଡି,(ଅଳକ ନାଥ ମିଶ୍ର): ଦିଗପହଣ୍ଡି ଥାନା ସାନଖେମୁଣ୍ଡି ବ୍ଲକ ଡେଙ୍ଗାଓସ୍ତା ଗ୍ରାମ ମୁଖ୍ୟ ରାସ୍ତାକଡ ରେ ଥିବା ସାହାରା ନର୍ସିଂହୋମ ଗଞ୍ଜାମ ଜିଲ୍ଲା ସ୍ବାସ୍ଥ୍ୟ ଅଧିକାରୀ ଡ଼. ଭବାନୀ ଶଙ୍କର ମିଶ୍ର ଙ୍କ ନିର୍ଦ୍ଦେଶକ୍ରମେ ଶୁକ୍ରବାର ଅପରାହ୍ନ ପ୍ରାୟ ୪ ଟାରେ ସାନଖେମୁଣ୍ଡି ତହସିଲଦାର ତଥା ଏକଜିକ୍ୟୁଟିଭ ମାଜିଷ୍ଟ୍ରେଟ ରାମଚନ୍ଦ୍ର ପଟ୍ଟନାୟକ ଙ୍କ ଉପସ୍ଥିତିରେ ଦିଗପହଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ର ଡାକ୍ତର ପ୍ରଦୀପ ପ୍ରଧାନ, ଚିକିଟି ଏସଡିପିଓ ବିଶ୍ଵାମିତ୍ର ହରପାଲ୍, ଦିଗପହଣ୍ଡି ଥାନା ଆଇଆଇସି କିଶୋର କୁମାର ସାମଲ ତଦନ୍ତ କରି କିଛି ଆପତ୍ତିଜନକ କାଗଜପତ୍ର ଜବତ କରିବା ସହ ଉକ୍ତ ନର୍ସିଂ ହୋମ କୁ ସିଲ୍ କରିଥିବା ଜଣାପଡିଛି।ସ୍ୱାସ୍ଥ୍ୟବିଭାଗର ବିନା ଅନୁମତି ରେ କୌଣସି ଲାଇସେନ୍ସ ନଥାଇ ଦୀର୍ଘଦିନ ହେଲା ମଙ୍ଗୁଳୁ ପ୍ରଧାନ ନାମକ ଜଣେ ଯୁବକ ଏହି ନର୍ସିଂ ହୋମ ପରିଚାଳନା କରୁଥିବା ନେଇ ସ୍ବାସ୍ଥ୍ୟ ବିଭାଗ ନିକଟରେ ଅଭିଯୋଗ ହୋଇଥିଲା।ଅଭିଯୋଗ କୁ ଭିତ୍ତି କରି ପୋଲିସ ନର୍ସିଂ ହୋମ କୁ ସିଲ୍ କରିଥିବା ଜଣାପଡିଛି। ଏନେଇ ଦିଗପହଣ୍ଡି ଥାନାରେ ମକଦ୍ଦମା ରୁଜୁ କରାଯାଇଥିବା ଆଇଆଇସି କହିଛନ୍ତି। ତ୍ରୁଟିପୂର୍ଣ୍ଣ ଅସ୍ତ୍ରୋପଚାର ଯୋଗୁଁ ଗତ ୨୦୨୫ ମେ ୧୧ ତାରିଖ ବିଳମ୍ବିତ ସନ୍ଧ୍ୟାରେ ଜଣେ ପ୍ରସୂତି ଏବଂ ନବଜାତକ ଙ୍କ ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଥିଲା। ସାନଖେମୁଣ୍ଡି ବ୍ଲକ ଡେଙ୍ଗାଓସ୍ତା ଗ୍ରାମ ନିକଟ ସିଙ୍ଗପୁର ର ମାଗୁଣି ନାୟକ ଙ୍କ ଝିଅ ରୋଜି ଘଟଣାର ବର୍ଷକ ପୂର୍ବେ ପାଟପୁର ଥାନା କରାଖଣ୍ଡି ଗ୍ରାମର ଉଦୟ ନାୟକ ଙ୍କ ପୁଅ ବାବୁ ନାୟକଙ୍କୁ ବିବାହ କରିଥିଲେ।ବାବୁ ଗୁଜୁରାଟ ବରୋଦା ସ୍ଥିତ ଏକ ଘରୋଇ କମ୍ପାନୀ ରେ କାମ କରୁଥିଲେ।ରୋଜି ଗର୍ଭବତୀ ହେବାପରେ ସିଙ୍ଗପୁର ଗ୍ରାମର ବାପଘରେ ରହୁଥିଲେ।ସେ ପ୍ରାୟ ୯ ମାସର ଗର୍ଭବତୀ ଥିଲେ।୨୦୨୫ ମେ ୧୧ ତାରିଖ ମଧ୍ୟାହ୍ନରେ ପେଟରେ ଯନ୍ତ୍ରଣା ହେବାରୁ ବାପଘର ଲୋକେ ତାଙ୍କୁ ଉକ୍ତ ନର୍ସିଂ ହୋମ ରେ ଭର୍ତ୍ତି କରିଥିଲେ।ସେଠାରେ ତାଙ୍କ ଅଲଟ୍ରା ସାଉଣ୍ଡ କରାଯାଇଥିଲା। ଉକ୍ତ ଦିନ ଅପରାହ୍ନ ରେ ପ୍ରସବ ବେଦନା ଅଧିକ ହେବାରୁ ଉପସ୍ଥିତ ନର୍ସିଂ ହୋମ କର୍ମଚାରୀ ବୃନ୍ଦ ତାଙ୍କ ପ୍ରସବ କରାଇବା ପାଇଁ ରୋଜି ଙ୍କ ପରିବାର ଲୋକଙ୍କୁ କହିଥିଲେ।ସେଠାରେ ଅପରାହ୍ନ ପ୍ରାୟ ସାଢ଼େ ୪ ଟାରେ ତାଙ୍କୁ ପ୍ରସବ ପାଇଁ ନର୍ସିଂ ହୋମ ର ଅପରେସନ ଥିଏଟର କୁ ନିଆଯାଇଥିଲା। ସେହିଦିନ ସନ୍ଧ୍ୟା ପ୍ରାୟ ୬ ଟାରେ ଜଣେ ମହିଳା ସ୍ବାସ୍ଥ୍ୟ କର୍ମଚାରୀ ବାବୁ ଙ୍କ ଶାଶୁ ମମତା ନାୟକ ଙ୍କୁ ଡାକି ତାଙ୍କୁ ଏକ ମୃତ ଶିଶୁପୁତ୍ର ଦେଇଥିଲେ। ରାତି ପ୍ରାୟ ୧୦ ଟାରେ ରୋଜି ଙ୍କ ମୃତ୍ୟୁ ଘଟିଥିଲେ ମଧ୍ୟ ନର୍ସିଂହୋମ କର୍ତ୍ତୃପକ୍ଷ ରୋଜି ଙ୍କ ପରିବାର ଲୋକଙ୍କୁ ନଜଣାଇ ତାଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା ଦର୍ଶାଇ ୧୦୨ ଆମ୍ବୁଲାନ୍ସ ଡ଼କାଇ ଦିଗପହଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର କୁ ପଠାଇ ଦେଇଥିଲେ।ପରେ ଅଧିକ ଚିକିତ୍ସା ପାଇଁ ତାଙ୍କୁ ବ୍ରହ୍ମପୁର ବଡ଼ ଡାକ୍ତରଖାନା କୁ ସ୍ଥାନାନ୍ତର କରାଯାଇଥିଲା।ସେଠାରେ ଉପସ୍ଥିତ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ନର୍ସିଂହୋମ ରେ କୌଣସି ଡ଼ାକ୍ତର ଙ୍କ ଅନୁପସ୍ଥିତିରେ ଅନଭିଜ୍ଞ କର୍ମଚାରୀ ଙ୍କ ଦ୍ଵାରା ତାଙ୍କ ସ୍ତ୍ରୀ ଙ୍କ ତ୍ରୁଟିପୂର୍ଣ୍ଣ ଅସ୍ତ୍ରୋପଚାର କରାଯାଇଥିବା କାରଣରୁ ତାଙ୍କ ମୃତ୍ୟୁ ଘଟିଥିଲା।ଘଟଣାରେ ସମ୍ପୃକ୍ତ ଥିବା ନର୍ସିଂହୋମ ମାଲିକ, ଅପରେସନ କରିଥିବା ନର୍ସିଂହୋମ ର ଡାକ୍ତର, ମହିଳା ସ୍ବାସ୍ଥ୍ୟ କର୍ମୀ, ଆଶା କର୍ମୀ ପ୍ରମୁଖ ଙ୍କ ଅବହେଳାରୁ ତାଙ୍କ ସ୍ତ୍ରୀ ଓ ଛୁଆ ଙ୍କ ମୃତ୍ୟୁ ଘଟିଥିବା ନେଇ ରୋଜି ଙ୍କ ସ୍ବାମୀ ବାବୁ ଦିଗପହଣ୍ଡି ଥାନାରେ ଏତଲା ଦେଇଥିଲେ।ଏତଲାକୁ ଭିତ୍ତିକରି ତତ୍କାଳୀନ ଭାରପ୍ରାପ୍ତ ଆଇଆଇସି ତଥା ଡିଏସପି ପ୍ରଶାନ୍ତ କୁମାର ପାତ୍ର ଥାନା ମାମଲା ନଂ.୧୭୪/୨୫ ଅନୁଯାୟୀ ମକଦ୍ଦମା ରୁଜୁ କରି ତଦନ୍ତ ଚଳାଇଥିଲେ।ତତ୍କାଳୀନ ତଦନ୍ତକାରୀ ଅଧିକାରୀ ଏସ.ଆଇ ଜ୍ୟୋତି ରଞ୍ଜନ ବେହେରା ଏହି ମାମଲାରେ ସମ୍ପୃକ୍ତ ଡେଙ୍ଗାଓସ୍ତା ଗ୍ରାମ ସରକାରୀ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ର ମହିଳା ସ୍ବାସ୍ଥ୍ୟକର୍ମୀ ଭାବେ କାର୍ଯ୍ୟ କରୁଥିବା ବ୍ରହ୍ମପୁର ବୈଦ୍ୟନାଥପୁର ଥାନା ବୈକୁଣ୍ଠ ନଗର ୪ ର୍ଥ ଲେନ୍ ରେ ରହୁଥିବା ମଧୁ ଓରଫ ମଧୁସ୍ମିତା ପଟ୍ଟନାୟକ,ନର୍ସିଂ ହୋମ ମାଲିକ ମଙ୍ଗୁଳୁ ପ୍ରଧାନ, ନର୍ସିଂ ହୋମ ରେ ଚାକିରି କରୁଥିବା ଅନ୍ୟତମ ମହିଳା ସ୍ବାସ୍ଥ୍ୟକର୍ମୀ ପ୍ରମୋଦିନି ଗମାଙ୍ଗ ଙ୍କୁ ଗିରଫ କରି କୋର୍ଟ ଚାଲାଣ କରିବାସହ ସେମାନଙ୍କ ବିରୋଧରେ ଚାର୍ଜସିଟ୍ ଦେଇଥିଲେ। ପୂର୍ବରୁ ଏହି ନର୍ସିଂ ହୋମ କୁ ସ୍ୱାସ୍ଥ୍ୟ ପ୍ରଶାସନ ଗତ ୨୦୨୫ ଜୁଲାଇ ୧୯ ତାରିଖରେ ସିଲ୍ କରିଥିଲା।କିଛିଦିନ ପରେ ପୁଣି ଥରେ ନର୍ସିଂ ହୋମ ରେ ରୋଗୀ ଚିକିତ୍ସା ଓ ଅପରେସନ ପୂର୍ବଭଳି ଚାଲିଥିଲା।ଏନେଇ ପୁଣି ଥରେ ଅଭିଯୋଗ ହେବା ପରେ ୨୦୨୫ ଅଗଷ୍ଟ ୮ ରେ ଉକ୍ତ ନର୍ସିଂ ହୋମ କୁ ସିଲ୍ କରାଯାଇଥିଲା।କିଛିଦିନ ପରେ ଉକ୍ତ ନର୍ସିଂ ହୋମ ରେ ପୂର୍ବଭଳି ବିନା ଲାଇସେନ୍ସ ରେ ରୋଗୀ ଙ୍କୁ ବେଆଇନ ଭାବେ ଚିକିତ୍ସା ଓ ଅପରେସନ କରାଯାଉଥିବା ଅଭିଯୋଗ ହୋଇଥିଲା ବୋଲି ଆଇଆଇସି ସୂଚନା ଦେଇଛନ୍ତି।


