୨୦ ଲକ୍ଷ ରୁ ଅଧିକ ଟଙ୍କାର ବେଆଇନ ବାଣକୁ ଜବତ କରି ନଷ୍ଟ କଲା ପୁଲିସ: ଦୁଇ ଗିରଫ
ଛତ୍ରପୁର, (ଓ୍ବାଇଏନଏସ):ବେଆଇନ ବାଣ ଜବତ ଘଟଣା ରେ ଦୁଇ ଜଣକୁ ଗିରଫ କଲା ଛତ୍ରପୁର ପୁଲିସ | ଗିରଫ ଦୁଇ ଜଣ ହେଲେ ଛତ୍ରପୁର ର ଅଶୋକ ସେନାପତି ଓ ରବିନ୍ଦ୍ର ସେନାପତି | ଜବତ ୨୦ ଲକ୍ଷ ବାଣ କୁ ନଷ୍ଟ କରିଦିଆଯାଇଛି | ଆଇନଗତ ବ୍ୟବସ୍ଥାର କଡ଼ାକଡ଼ି ପାଳନ କରି ଏବଂ କୋର୍ଟଙ୍କଠାରୁ ଆବଶ୍ୟକୀୟ ନିର୍ଦ୍ଦେଶ ପାଇବା ପରେ ବୋମା ସ୍କ୍ୱାର୍ଡ, ମାଜିଷ୍ଟେଟ, ଫାୟାର କର୍ମଚାରୀ, ଡାକ୍ତର ଏବଂ ପୁଲିସ କର୍ମଚାରୀ ଙ୍କ ଉପସ୍ଥିତ ରେ ପାଲୁର ନିକଟ ଫାୟାର ରେଞ୍ଜ ଜଙ୍ଗଲ ରେ ଜବତ ହୋଇଥିବା ବାଣ କୁ ପୋଡି ତାହା ଉପରେ ପାଣି ପକାଇ ଖାଲ କରି ପୋତି ନଷ୍ଟ କରି ଦିଆଯାଇଛି | ଏଥିରେ ଛତ୍ରପୁର ଏସଡିପିଓ ଚନ୍ଦନ ଘଡେଇ, ମାଜିଷ୍ଟେଟ ଭାବେ ଛତ୍ରପୁର ଅତିରିକ୍ତ ତହସିଲଦାର ମନୋଜ ପ୍ରଧାନ, ଥାନା ଅଧିକାରୀ ସବ୍ୟସାଚି ମଲ୍ଲ ଉପସ୍ଥିତ ଥିଲେ | ପୁଲିସ ପକ୍ଷ ରୁ ଦୁଇଟି ମାମଲା ରୁଜୁ ହୋଇଛି | ସୂଚନା ଥାଉକି ଗତକାଲି ଛତ୍ରପୁର ସହର ର ଅଶୋକ ସେନାପତି ଙ୍କ ଦୁଇଟି ଘରୁ ଓ ରବିନ୍ଦ୍ର ସେନାପତି ଙ୍କ ଗୋଟିଏ ଘରେ ବେଆଇନ ଭାବେ ବାଣ ଗଛିତ ଥିବା ବେଳେ ପୁଲିସ କୌଣସି ପ୍ରକାରେ ସୂଚନା ପାଇଁ ଚଢାଉ କରିଥିଲା | ବିପୁଳ ପରିମାଣର ବାଣ ଜବତ ହୋଇଥିଲା | ତାହାକୁ ୭ ଟି ଗାଡ଼ିରେ ଥାନା କୁ ଆଣିଥିଲା ପୁଲିସ | ଦୁଇ ଜଣ ବ୍ୟକ୍ତି ଙ୍କ ତିନୋଟି ଘରୁ ଆନୁମାନିକ ୨୦ ଲକ୍ଷ ରୁ ଉର୍ଦ୍ଧ ଟଙ୍କା ର ବେଆଇନ ଭାବେ ବାଣ ଜବତ କରିଥିଲା ପୁଲିସ | ଅଂଚଳ ରେ ଯେଉଁଠି ବି ବେଆଇନ ବାଣ ବିକ୍ରି ହେବ ତାହାକୁ ଧରାଯିବ ବୋଲି କୁହାଯାଇଛି | କିଛି ଦିନ ତଳେ ଛତ୍ରପୁର ପୋଲିସ ସୁନ୍ଦରପୁର ଅଂଚଳ ରେ ମଧ୍ୟ୍ୟ ୧୦ ଲକ୍ଷ ଟଙ୍କା ର ବାଣ ଜବତ କରିଥିଲେ | ଗଞ୍ଜାମ ଏସପି ଙ୍କ ନିଦେଶ କ୍ରମେ ସମସ୍ତ ଥାନା ଅଧିକାରୀ ଙ୍କୁ ଯେଉଁଠି ବି ବେଆଇନ ବାଣ ରହିଥିବ ତାହାକୁ ଧରିବା ପାଇଁ ସମସ୍ତ ଥାନା ଅଧିକାରୀ ଙ୍କୁ ନିଦେଶ ଦିଆଯାଇଛି |