ବିଧାୟକଙ୍କୁ ତୀରମାଡ଼ ଧମକ ପ୍ରସଙ୍ଗକୁ ନେଇ ରାଜନୀତି ସରଗରମ
ହାଟଡିହି (ଓ୍ବାଇଏନଏସ): ଆନନ୍ଦପୁର ବିଧାୟକ ଅଭିମନ୍ୟୁ ସେଠୀଙ୍କୁ ହାଟଡିହି ବ୍ଲକର ଜଣେ କନିଷ୍ଠ ଯନ୍ତ୍ରୀ ତୀରମାଡ଼ ଧମକ ଦେବା ପ୍ରସଙ୍ଗକୁ ନେଇ ସମଗ୍ର ଉପଖଣ୍ଡରେ ରାଜନୀତି ସରଗରମ ହୋଇଛି। ବିଧାୟକଙ୍କୁ ଜଣେ କନିଷ୍ଠ ଯନ୍ତ୍ରୀ ଧମକ ଦେବା ଘଟଣାକୁ ବିଜେଡି କର୍ମୀ ମାନେ ସହଜରେ ଗ୍ରହଣ କରିପାରୁ ନାହାନ୍ତି। ଗତକାଲି ଶତାଧିକ କର୍ମୀ ବିଧାୟକ ଓ ବ୍ଲକ ଅଧ୍ୟକ୍ଷାଙ୍କ ସହିତ ବ୍ଲକ କାର୍ଯ୍ୟାଳୟକୁ ଯାଇ ପ୍ରବଳ ପାଟିତୁଣ୍ଡ କରିଛନ୍ତି। ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରା ନଗଲେ ପରିଣତି ଭିନ୍ନ ହେବବୋଲି ବିଧାୟକ ଚେତାବନୀ ଦେଇଥିଲେ। ମଙ୍ଗଳବାର ଦିନ ବିଜେଡି ପକ୍ଷରୁ ବିକ୍ଷୋଭ, ପ୍ରତିବାଦ କରାଯିବା ପାଇଁ ବିଜେଡି ସଜବାଜ ହେଉଥିବା ଶୁଣିବାକୁ ମିଲୁଛି। ସେହିପରି କଂଗ୍ରେସର ପୂର୍ବତନ ପିସିସି ସଭାପତି ଜୟଦେବ ଜେନା ଏପରି ଘଟଣାର ଦୃଢ଼ ନିନ୍ଦାକରି ଆନନ୍ଦପୁର ନିର୍ବାଚନ ମଣ୍ଡଳୀରେ ଜଣେ ବିଧାୟକ ଯଦି ସୁରକ୍ଷିତ ନୁହନ୍ତି ତେବେ ସାଧାରଣ ଲୋକେ କିପରି ସୁରକ୍ଷିତ ରହିବେ ବୋଲି ପ୍ରଶ୍ନ କରିଛନ୍ତି। ପୋଲିସ ପ୍ରଶାସନ ଏହାକୁ ଗୁରୁତର ସହ ନେବାକୁ ସେ ଦାବି କରିଛନ୍ତି। ଅନ୍ୟ ପକ୍ଷରେ ବିଜେଡି କର୍ମୀମାନେ ବ୍ଲକର ବିଡ଼ିଓ ଙ୍କୁ ଯେପରି ଗାଳି ଗୁଲଜ କରିଛନ୍ତି ତାହାକୁ ନେଇ କର୍ମଚାରୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖା ଦେଇଛି। ଏନେଇ ସେମାନେ ସୋମବାର ଦିନ ଜିଲ୍ଲାପାଳ ଙ୍କୁ ଦାବିପତ୍ର ପ୍ରଦାନ କରିବା ସହିତ ଯଦି କିଛି ପଦକ୍ଷେପ ନିଆ ନଯାଏ ତେବେ କଲମ ଛାଡ଼ ଆନ୍ଦୋଳନ କରିବାକୁ ଚେତାବନୀ ଦେଇଛନ୍ତି।


