ପୋଲସରା ବିଜ୍ଞାନ ମହାବିଦ୍ୟାଳୟ ଅଧ୍ୟାପକ ଓ ଅଣଶିକ୍ଷକ କର୍ମଚାରୀଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ
ପୋଲସରା, (ଅନୀଲ କୁମାର ମହାରଣା) : ଓଡିଶା ରାଜ୍ୟ ବେସରକାରୀ ଅଧ୍ୟାପକ କର୍ମଚାରୀ ସଂଘ ଡ଼ାକରାରେ ଅଗଷ୍ଟ ୧୮ ତାରିଖ ଠାରୁ ପୋଲସରା ବିଜ୍ଞାନ ମହାବିଦ୍ୟାଳୟର ୨୦୦୮ ରୁ ୨୦୧୮ ମସିହା ମଧ୍ୟରେ ମହାବିଦ୍ୟାଳୟ ପରିଚାଳନା କମିଟି ଦ୍ୱାରା ନିଯୁକ୍ତି ପାଇଥିବା ଅଧ୍ୟାପକ ଓ ଅଣଶିକ୍ଷକ କର୍ମଚାରୀ ବୃନ୍ଦଙ୍କୁ ପୂର୍ଣ୍ଣ ଅନୁଦାନ ପ୍ରଦାନ ଦାବିରେ ଅନିର୍ଦ୍ଦିଷ୍ଟ ସମୟ ପାଇଁ କାର୍ଯ୍ୟବନ୍ଦ ଆନ୍ଦୋଳନ କରି ମହାବିଦ୍ୟାଳୟ ପରିସର ମଧ୍ୟରେ ୧୮/୦୮/୨୫ ତାରିଖ ଠାରୁ ଧାରଣାରେ ବସିଥିବା ଦେଖିବାକୁ ମିଳିଛି। ଓଡିଶା ରାଜ୍ୟ ବେସରକାରୀ ଅଧ୍ୟାପକ କର୍ମଚାରୀ ସଂଘ ସଭାପତି ବିଶ୍ବରଞ୍ଜନ ଦାସ ସଂଘର ପତ୍ର ସଂଖ୍ୟା ୯୫୮ ପ୍ରକାରେ ୦୮/୦୮/୨୦୨୫ ତାରିଖ ଦିନ ଓଡିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନିକଟକୁ ପତ୍ର ଲେଖିବା ସହ ତାହାର କପି ଉଚ୍ଚ ଶିକ୍ଷା ମନ୍ତ୍ରୀ, ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ, ଓ ବିଭାଗର ସଚିବ ଓ ନିର୍ଦ୍ଦେଶକ ବୃନ୍ଦଙ୍କୁ ପଠାଇ ସରକାରଙ୍କ ସହ ବିଭିନ୍ନ ସମୟରେ ଆଲୋଚନା ହୋଇଥିଲେ ମଧ୍ୟ ସରକାର ସଂଘର ଦାବି ପୂରଣ କରିନଥିବା ଜଣାଇଥିଲେ। ୨୦୨୫ ଅଗଷ୍ଟ ୧୬ ତାରିଖ ଦିନ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଆଲୋଚନା କରିବାକୁ ସଂଘର ନେତୃମଣ୍ଡଳୀ ଭୁବନେଶ୍ୱର ଯାଇଥିଲେ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା ହୋଇପାରିଲନାହିଁ। ଯାହା ଫଳରେ ଅଗଷ୍ଟ ୧୮ ତାରିଖ ଠାରୁ ୪୮୮ ଓ ୬୬୨ ବର୍ଗର +୨ ଓ +୩ ଶ୍ରେଣୀକୁ ଅଧ୍ୟୟନ କରୁଥିବା ଅଧ୍ୟାପକ ଓ ଅଣଶିକ୍ଷକ କର୍ମଚାରୀ ବୃନ୍ଦ ସମଗ୍ର ରାଜ୍ୟରେ କାର୍ଯ୍ୟବନ୍ଦ ଆନ୍ଦୋଳନରେ ଯୋଗଦେଇଛନ୍ତି। ପୋଲସରା ବିଜ୍ଞାନ ମହାବିଦ୍ୟାଳୟର ଡିଗ୍ରୀ ଓ ଉଚ୍ଚ ମାଧ୍ୟମିକ ବିଭାଗର ଅଧ୍ୟାପକ ବୃନ୍ଦ ଓ ଅଣଶିକ୍ଷକ କର୍ମଚାରୀ ବୃନ୍ଦ କାର୍ଯ୍ୟବନ୍ଦ କରି ଅନର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଆନ୍ଦୋଳନରେ ଯୋଗଦେଇଛନ୍ତି। ଯାହାଦ୍ୱାରା ଶିକ୍ଷାଦାନ ଉପରେ ଗୁରୁତର ପ୍ରଭାବ ପକାଇଥିବା ଜଣାପଡ଼ିଛି।