ବିଦ୍ୟାଳୟ ଇକୋ କ୍ଳବ୍ ପକ୍ଷରୁ ପୋଖରୀ ସଫେଇ
ଦିଗପହଣ୍ଡି, (ଅଳକ ନାଥ ମିଶ୍ର) : ଦିଗପହଣ୍ଡି ବ୍ଲକ ଅନ୍ତର୍ଗତ ଭିଷ୍ମଗିରି ସ୍ଥିତ ରାମଜୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଇକୋ କ୍ଳବ୍ ପକ୍ଷରୁ ପୋଖରୀ ସଫେଇ, ବୃକ୍ଷ ରୋପଣ, ବିଭିନ୍ନ ସ୍ଥାନରେ ଡଷ୍ଟବିନ ସ୍ଥାପନ ଭଳି ବିଭିନ୍ନ ସାମାଜିକ ସେବା କାର୍ଯ୍ୟକ୍ରମ ବୁଧବାର ଆୟୋଜିତ ହୋଇଯାଇଛି। ଇକୋ କ୍ଳବ୍ ମୂଖ୍ୟ ସଂଯୋଜିକା ରାଜଲକ୍ଷ୍ମୀ ସାହୁଙ୍କ ସଂଯୋଜନା ଏବଂ ତୁଷାର ସାହୁଙ୍କ ପରିଚାଳନାରେ ଅନୁଷ୍ଠିତ କାର୍ଯ୍ୟକ୍ରମକୁ ଅଧ୍ୟକ୍ଷ ଜେନାମଣି ସାହୁ ଉଦଘାଟନ କରିଥିଲେ। ଏହି ଅବସରରେ ଗ୍ରାମରେ ସଚେତନତା ସଭା ଓ ଶୋଭାଯାତ୍ରା ଅନୁଷ୍ଠିତ ହେବା ସହ ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ଚିତ୍ରାଙ୍କନ ପ୍ରତିଯୋଗିତା ଅନୁଷ୍ଠିତ ହୋଇ କୃତି ପ୍ରତିଯୋଗୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା। ଏଥିରେ ଆସିକା କଲେଜର ଅଧ୍ୟାପକ ମନମୋହନ ପଟ୍ଟନାୟକ ମୂଖ୍ୟ ଅତିଥି, ରାମଜୀ ସ୍ନାତକ ମହାବିଦ୍ୟାଳୟ ଅଧ୍ୟକ୍ଷ ନିହାର ରଞ୍ଜନ କର, ଧନ୍ଦାମୂଳକ ଶିକ୍ଷା ଅଧ୍ୟାପକ ରଂଜନ କୁମାର ରଥ ସମ୍ମାନିତ ଅତିଥି ଏବଂ ଶିକ୍ଷା ବିଭାଗର ଶିକ୍ଷକ ସଚିନ୍ ସେଠ୍ ମୂଖ୍ୟ ବକ୍ତା ଭାବେ ଯୋଗ ଦେଇଥିଲେ। ରସାୟନ ବିଜ୍ଞାନ ଅଧ୍ୟାପକ ସୁଧାଂଶୁ ଶେଖର ସାହୁ ଧନ୍ୟବାଦ ଅର୍ପଣ କରିଥିବା ବେଳେ ଅନ୍ୟ ଶିକ୍ଷକ, ଶିକ୍ଷୟିତ୍ରୀ ଓ କର୍ମଚାରୀ ସହଯୋଗ କରିଥିଲେ।


