ମା ତାରା ତାରିଣୀଙ୍କ ଚୈତ୍ର ଯାତ୍ରା ଲାଗି ପ୍ରସ୍ତୁତି ବୈଠକ
ଛତ୍ରପୁର(ଓ୍ବାଇଏନଏସ): ଗଞ୍ଜାମ ଜିଲ୍ଲାର ଆରାଧ୍ୟ ଦେବୀ ମା ତାରାତାରିଣୀ ଙ୍କ ଚୈତ୍ର ମାସ ଯାତ୍ରା ଲାଗି ଏକ ପ୍ରସ୍ତୁତି ବୈଠକ ଗଞ୍ଜାମ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ସଦଭାବନା ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି l ଗଞ୍ଜାମ ଜିଲ୍ଲାପାଳ ଭି. କୀର୍ତ୍ତି ଭାଷନ ଙ୍କ ଅଧ୍ୟକ୍ଷତାରେ ଆୟୋଜିତ ପ୍ରସ୍ତୁତି ବୈଠକରେ ମା ତାରା ତାରିଣୀ ଙ୍କ ଯାତ୍ରା ସୁରୁଖୁରରେ ଶେଷ କରିବା ପାଇଁ ଜିଲ୍ଲାପାଳ ନିର୍ଦେଶ ଦେଇଥିଲେ l ଚଳିତ ବର୍ଷ ମାଙ୍କ ଯାତ୍ରା ୪ ଟି ପାଳି ଅନୁଷ୍ଠିତ ହେବ l ପ୍ରଥମ ପାଳି ମାର୍ଚ୍ଚ ମାସ ୧୦ ତାରିଖରେ ଅନୁଷ୍ଠିତ ହେବାକୁ ଥିବା ବେଳେ ଦ୍ଵିତୀୟ ପାଳି ମାର୍ଚ୍ଚ ୧୭ ତାରିଖ, ତୃତୀୟ ପାଳି ମାର୍ଚ୍ଚ ମାସ ୨୪ ତାରିଖ ଓ ଚତୁର୍ଥ ତଥା ଶେଷ ପାଳି ମାର୍ଚ୍ଚ ୩୧ ରେ ଅନୁଷ୍ଠିତ ହେବ l ମାଙ୍କ ଯାତ୍ରା ଉପଲକ୍ଷେ ଗତ ବର୍ଷ ୧ ଲକ୍ଷ ଲୋକ ମା ଙ୍କ ମାଗଣା ଅନ୍ନ ପ୍ରସାଦ ପାଇଥିବା ବେଳେ ଚଳିତ ବର୍ଷ ମଧ୍ୟ ଏହାକୁ ସୁରୁଖୁରରେ ସମ୍ପାଦନା କରିବାକୁ ଜିଲ୍ଲାପାଳ ବୈଠକରେ ନିର୍ଦେଶ ଦେଇଥିଲେ l ଚଳିତ ବର୍ଷ ପ୍ରଥମ ପାଳି ମଙ୍ଗଳବାର ସହିତ ବରୁଣେଇ ସ୍ନାନ ପଡୁଥିବା ବେଳେ ଅଧିକ ସଂଖ୍ୟାରେ ଶ୍ରଦ୍ଧାଳୁ ଙ୍କ ଭିଡ଼ ଜମିପାରେ l ସେମାନଙ୍କ ସୁରକ୍ଷା ପାଇ ହେଲିପ୍ୟାଡ଼ ଠାରୁ ମନ୍ଦିର ପର୍ଯ୍ୟନ୍ତ ବିଭିନ୍ନ ସ୍ଥାନରେ ଶେଡ଼ ନିର୍ମାଣ କରାଯିବାକୁ ବୈଠକରେ ନିଷ୍ପତ୍ତି ନିଆଯାଇଛି l ମାଙ୍କ ଯାତ୍ରା ଉପଲକ୍ଷେ ୪ ପାଳି ମଙ୍ଗଳବାର ଦିନ ମନ୍ଦିର ପରିସରରେ ଚଣ୍ଡୀ ଯଜ୍ଞ ଅନୁଷ୍ଠିତ ହେବ l ଯାତ୍ରୀ ମାନେ ପାହାଡ଼ ତଳୁ ଉପରକୁ ଯିବା ପାଇଁ ଅଧିକ ବସ ନିୟୋଜିତ କରାଯିବ l ବସ ଟିକେଟ ୪୦ ଟଙ୍କା ଓ ରୋପ ୱେ ପାଇଁ ୬୦ ଟଙ୍କା ଧାର୍ଯ୍ୟ କରାଯାଇଛି l ମଙ୍ଗଳବାର ଯାତ୍ରା ଅନୁଷ୍ଠିତ ହେବାକୁ ଥିବା ବେଳେ ସୋମବାର ସନ୍ଧ୍ୟାରୁ ଆଇନ ଶୃଙ୍ଖଳା ବ୍ୟବସ୍ଥା ର ସୁଧାର କରିବା ପାଇଁ ବ୍ୟାପକ ପୋଲିସ ମୃତୟନ ରହିବେ l ସେହିପରି ସେବାୟତ ମାନଙ୍କ ଯିବା ଆସିବା ପାଇଁ ୨ ଟି ବୋଲେରୋ କରାଯିବ l ଯାତ୍ରା ସମୟରେ ବିଦ୍ୟୁତ ସରୋବରହ ଯେପରି ବାଧା ସୃଷ୍ଟି ନ ହୁଏ ସେଥିପାଇଁ ୪ ଟି ଜେନେରେଟର ପ୍ରସ୍ତୁତ କରି ରଖିବାକୁ ଟିପିଏସଓଡ଼ିଏଲ କୁ କୁହାଯାଇଛି l ନଦିଘାଟ ପାଖରେ ସୁରକ୍ଷା ଦୃଷ୍ଟିରୁ ଓଡ୍ରାଫ ଓ ଦମକଳ ବାହିନୀ ନିୟୋଜିତ ହୋଇ ରହିବେ l ବିଶେଷ କରି ପଲିଥିନ ମୁକ୍ତ ଭାବେ ଯାତ୍ରା କରିବା ପାଇଁ ଚେଷ୍ଟା କରାଯିବ ବୋଲି ଜିଲ୍ଲାପାଳ ବୈଠକରେ ସମସ୍ତ ଅଧିକାରି ଙ୍କୁ ନିର୍ଦେଶ ଦେଇଛନ୍ତି l ସେହିପରି ପରିମଳ ସୁରକ୍ଷା, ପାନୀୟ ଜଳ, ଭ୍ରାମ୍ୟମାଣ ପାଇପ ଆଦି ଉପରେ ବୈଠକରେ ଆଲୋଚନା ହୋଇଛି l ସେହିପରି ୱାଇ ଫାଇ ର ବ୍ୟବସ୍ଥା, ଯାତ୍ରୀ ଙ୍କ ସୁରକ୍ଷା ପାଇଁ ବ୍ୟାରିକେଟ ଆଦିର ସୁ ବନ୍ଦୋବସ୍ତ କରିବା ପାଇଁ ଜିଲ୍ଲାପାଳ କହିଛନ୍ତି l ନକଲି ଘିଅ ରେ ପ୍ରସ୍ତୁତ ଦୀପକୁ ବାରଣ କରାଯାଇଛି l ନକଲି ଘିଅ ର ଯାଞ୍ଚ କରାଯିବ ବୋଲି ମଧ୍ୟ ଜିଲ୍ଲାପାଳ ବୈଠକରେ କହିଥିଲେ l ବୈଠକରେ ଗଞ୍ଜାମ ଏସପି ଶୁଭେନ୍ଦୁ କୁମାର ପାତ୍ର, ଛତ୍ରପୁର ଉପଜିଲ୍ଲାପାଳ ଶିବାଶିଷ ବରାଳ, ମୁଖ୍ୟ ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀ, ପୁରୁଷୋତ୍ତମପୁର ତହସିଲଦାର ବିନୋଦ ବେହେରାଙ୍କ ସମେତ ବହୁ ଅଧିକାରୀ ମାନେ ଉପସ୍ଥିତ ଥିଲେ l


