ନାରୀ ଶକ୍ତି ବନ୍ଦନ ଶୋଭାଯାତ୍ରା ପାଇଁ ପ୍ରସ୍ତୁତି ବୈଠକ
କେନ୍ଦ୍ରାପଡ଼ା,(ଚିତ୍ତ ରଞ୍ଜନ ଦାଶ):କେନ୍ଦ୍ରାପଡ଼ା ଜିଲ୍ଲାରେ ନାରୀ ଶକ୍ତି ବନ୍ଦନ କାର୍ଯ୍ୟକ୍ରମ ଅବସରରେ ଏକ ବିରାଟ ଶୋଭାଯାତ୍ରା କରାଯିବା ପାଇଁ ଏକ ପ୍ରସ୍ତୁତି ବୈଠକ ଗରାପୁରସ୍ଥିତ ସ୍ୱୟଂସିଦ୍ଧା ମଣ୍ଡପରେ ଅନୁଷ୍ଠିତ ହୋଇଯାଇଛି। ବିଜେପି ନାରୀନେତ୍ରୀ ତଥା କେନ୍ଦ୍ରାପଡ଼ା ସଂସଦୀୟ କ୍ଷେତ୍ର ‘ନାରୀ ଶକ୍ତି ବନ୍ଦନ’ କାର୍ଯ୍ୟକ୍ରମର ସଂଯୋଜିକା ଡ. ଜ୍ୟୋତ୍ସ୍ନାରାଣୀ ଜେନାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ବିଜେପି ମହିଳା ମୋର୍ଚ୍ଚାର ଶତାଧିକ କାର୍ଯ୍ୟକର୍ତ୍ତା ଓ କର୍ମୀମାନେ ଯୋଗ ଦେଇଥିଲେ। ଏହି ଅବସରରେ ଯଶ୍ୱସୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶବ୍ୟାପୀ ନାରୀମାନଙ୍କ ଉଦ୍ଦେଶ୍ୟରେ ‘ନାରୀ ଶକ୍ତି ବନ୍ଦନ’ କାର୍ଯ୍ୟକ୍ରମରେ ଦେଇଥିବା ଉଦ୍ବୋଧନ କାର୍ଯ୍ୟକ୍ରମକୁ ମହିଳାମାନେ ଆଭାସୀ ମାଧ୍ୟମରେ ୨ ଘଣ୍ଟା ଧରି ଶୁଣିଥିଲେ। ଏଥିସହ ନାରୀ ଶକ୍ତି ବନ୍ଦନ ଦସ୍ତଖତ ଅଭିଯାନରେ ସାମିଲ ହୋଇ ମହିଳାମାନେ ନିଜସ୍ୱ ଦସ୍ତଖତ କରିଥିଲେ। ଏହି ଦସ୍ତଖତ ପ୍ରଧାନମନ୍ତ୍ରୀଙ୍କ ନିକଟକୁ ପ୍ରେରଣ କରାଯିବ। ଆସନ୍ତା ୧୬ ତାରିଖରେ କେନ୍ଦ୍ରାପଡ଼ା ସଂସଦୀୟ କ୍ଷେତ୍ରର ଜନତାଙ୍କ ନିକଟରେ ପ୍ରଧାନମନ୍ତ୍ରୀଙ୍କ ବାର୍ତ୍ତା ପହଞ୍ଚାଇବା ପାଇଁ ହଜାର ହଜାର ସଂଖ୍ୟାରେ ମହିଳା ଶୋଭାଯାତ୍ରାରେ ସାମିଲ ହେବେ ବୋଲି ‘ନାରୀ ଶକ୍ତି ବନ୍ଦନ’ କାର୍ଯ୍ୟକ୍ରମର ଜିଲ୍ଲା ସଂଯୋଜିକା ଡ. ଜେନା ପ୍ରକାଶ କରିଛନ୍ତି।


